Unknown

 

 

 

 

 

 

 

 

 

 

 

ମୌନୀ ପାହାଡ଼ର ବିଭୀଷିକା

ଶ୍ରୀ ଆଶୁତୋଷ ରାୟ

 

ଏକ

 

ଠିକ୍ ଅପରାହ୍‌ଣ ଦୁଇଟାବେଳେ ଦିଲ୍ଲୀର ପାଲାମ ବିମାନଘାଟି ଉପରେ ଗୋଟିଏ ଋଷୀୟ ବିମାନ ଚକ୍ରାକାରରେ ଉଡ଼ିଲା ଏବଂ ତଳକୁ ଓହ୍ଲାଇବାପାଇଁ ବେତାରଯୋଗେ କର୍ତ୍ତୃପକ୍ଷଙ୍କର ଅନୁମତି ମାଗିଲା । ଯଥାରୀତି ଅନୁମତି ପାଇ ବିମାନଟି ତଳକୁ ଓହ୍ଲାଇଲା ଓ ‘‘ରନ୍ ଓୟେ”ରେ କିଛିଦୂର ଯାଇ ସ୍ଥିରହୋଇ ଛିଡ଼ା ହେଲା । ବିମାନର ଦୁଆର ଖୋଲି ବିଭିନ୍ନ ଦେଶୀୟ ଅଠରଜଣ ଆରୋହୀ ବାହାରିଲେ । ସେମାନଙ୍କ ଭିତରୁ ଅଧିକାଂଶ ଋଷୀୟ ଓ ଭାରତୀୟ । ଯଥାରୀତି ଶୁଳ୍‌କ ଓ ଛାଡ଼ପତ୍ର ବିଭାଗର କାର୍ଯ୍ୟ ଶେଷ କରି ଯାତ୍ରୀମାନେ ବାହାରକୁ ଆସିଲେ । ପ୍ରାୟ ସମସ୍ତଙ୍କ ପାଇଁ ସେମାନଙ୍କର ନିଜର ଲୋକମାନେ ବାହାରେ ଅପେକ୍ଷା କରିଥିଲେ । ସେମାନଙ୍କ ମଧ୍ୟରେ ଜଣେ ମଧ୍ୟ ବୟସ୍କ ଓଡ଼ିଆ ଭଦ୍ରଲୋକ ଥିଲେ । ବୟସ ପ୍ରାୟ ଚାଳିଶ, ଦୀର୍ଘ ଦେହ କିନ୍ତୁ ପତଳା । ମୁଣ୍ଡରେ ଅଯତ୍ନ କେଶ । ଦେଖିଲେ ମନେହେବ ଯେପରି ବାହ୍ୟିକ ପୋଷାକ ପ୍ରତି ତାଙ୍କର ଆଦୌ ନଜର ନାହିଁ । ଆଖିରେ ଚଷମା ମୁଖମଣ୍ଡଳରୁ ପାଣ୍ଡିତ୍ୟର ଜ୍ୟୋତି ବାହାରୁଛି-। ଦେଖିଲେ ଜଣେ ଜ୍ଞାନୀ ବ୍ୟକ୍ତି ପରି ମନେହେବ ।

 

ବାହାରକୁ ଆସିବା ମାତ୍ରେ ସାମ୍ବାଦିକ ଓ ଫଟୋଗ୍ରାଫରମାନେ ଭଦ୍ରଲୋକଙ୍କୁ ବାଟ ଓଗାଳିଲେ, “ଡକ୍ଟର ଦାଶ, ଦୟାକରି ଆପଣଙ୍କର ଫଟୋ ନେବାର ଅନୁମତି ଦିଅନ୍ତୁ ।’’ କିଛିକ୍ଷଣ ଅନେକଗୁଡ଼ିଏ କାମେରାର କ୍ଲିକ୍ ଚାଲିଲା । ତଥାପି ନିଷ୍କୃତି ମିଳିଲା ନାହିଁ । ସାମ୍ବାଦିକମାନେ ବିବିଧ ପ୍ରଶ୍ନ କରିବାକୁ ଲାଗିଲେ, “ଡକ୍ଟର ଦାଶ, ଭାରତବର୍ଷରେ ନଭୋବିଜ୍ଞାନର ବିକାଶ ବିଷୟରେ ଆପଣଙ୍କର ମତ କ’ଣ ?” “ଆଣବିକ ଶକ୍ତିରେ ଭାରତର ସ୍ଥାନ କେଉଁଠି ?” “ଆମେରିକା ସହିତ ଯୁଦ୍ଧ ଲାଗିଲେ ଋଷିଆ ଆଣବିକ ବୋମା ବ୍ୟବହାର କରିପାରେକି?” ପୃଥିବୀର ଲୋକେ କେତେଦିନ ଭିତରେ ଗ୍ରହ ଗ୍ରହାନ୍ତରକୁ ଯାଇପାରିବେ ?”

 

ଯଥାବିଧି ଉତ୍ତର ଦେଇ ଡକ୍ଟର ରମେଶଚନ୍ଦ୍ର ଦାଶ ବାହାରକୁ ଆସିଲେ । ଦୀର୍ଘ ଛ’ବର୍ଷ ପରେ ବୈଜ୍ଞାନିକ ରମେଶ ଦାଶ ସ୍ଵଦେଶକୁ ଫେରି ଆସିଛନ୍ତି । ଜନ୍ମଭୂମି ଓଡ଼ିଶାର ଗଭୀର ଆକର୍ଷଣ ତାଙ୍କୁ ଟାଣିବାକୁ ଲାଗିଲା । ଦେଶର କୃତୀ ସନ୍ତାନ, ଏ ଯୁଗର ଶ୍ରେଷ୍ଠ ବୈଜ୍ଞାନିକ ଡକ୍ଟର ରମେଶ ଦାଶଙ୍କ ଘର ଓଡ଼ିଶାର ଗୋଟିଏ ଅଖ୍ୟାତ ପଲ୍ଲୀରେ, କିନ୍ତୁ ଆଜିକି ପ୍ରାୟ ବାରବର୍ଷ ହେବ ସେ ଓଡ଼ିଶା ବାହାରେ ଥିଲେ । ଭାରତବର୍ଷର ବିଭିନ୍ନ ବିଶ୍ଵବିଦ୍ୟାଳୟରୁ ବିଜ୍ଞାନରେ ସର୍ବୋଚ୍ଚ ଡିଗ୍ରୀ ଅତି ସମ୍ମାନର ସହିତ ଲାଭ କଲାପରେ ଏହି ମହାନ ବୈଜ୍ଞାନିକଙ୍କ ଉପରେ ଭାରତ ସରକାରଙ୍କର ଦୃଷ୍ଟି ପଡ଼ିଲା । ନଭୋବିଜ୍ଞାନ ଓ ଆଣବିକ ଶକ୍ତି ବିଷୟରେ ବିଦେଶରେ ଉଚ୍ଚ ଶିକ୍ଷା ପାଇବାପାଇଁ ଭାରତ ସରକାର ତାଙ୍କୁ ଆମେରିକା ଓ ଋଷିୟାକୁ ପଠାଇଥିଲେ । ଦୀର୍ଘ ଛ’ବର୍ଷ କାଳ ବିଦେଶରେ ରହି ବୈଜ୍ଞାନିକ ଦାଶ ଭାରତବର୍ଷକୁ ଫେରିଆସିଲେ । ସ୍ଵଦେଶକୁ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଦେଶରକ୍ଷା ବିଭାଗରେ ଅତି ଉଚ୍ଚ ବେତନରେ ଭାରତ ସରକାର ତାଙ୍କର ନିଯୁକ୍ତିପତ୍ର ପଠାଇ ଦେଇଥିଲେ; କିନ୍ତୁ ଦେଶରକ୍ଷା ବିଭାଗର ନିଯୁକ୍ତିରେ ଯୋଗ ଦେବା ପୂର୍ବରୁ ଥରେ ନିଜର ଜନ୍ମଭୂମି ଓଡ଼ିଶାକୁ ଦେଖିବାପାଇଁ ବୈଜ୍ଞାନିକଙ୍କର ଅନ୍ତର ବ୍ୟାକୁଳ ହେଉଥିଲା । ସେ ବିମାନ ଘାଟିଠାରୁ ସିଧା ଷ୍ଟେସନକୁ ଆସି ଦିଲ୍ଲୀମେଲର ପ୍ରଥମ ଶ୍ରେଣୀରେ ହାବଡ଼ାକୁ ଖଣ୍ଡିଏ ଟିକେଟ କାଟି ଗାଡ଼ିରେ ବସିଲେ ।

 

ଦିଲ୍ଲୀ ମେଲ ଉଦ୍ଦାମ ବେଗରେ ଏ ଯୁଗର ସର୍ବଶ୍ରେଷ୍ଠ ବୈଜ୍ଞାନିକଙ୍କୁ ବକ୍ଷରେ ନେଇ ଧାଇଁଲା । ଗଭୀର ରାତ୍ରିରେ ସହଯାତ୍ରୀମାନେ ସୁଶୁପ୍ତ । ବାହାରେ ଉଜ୍ଜ୍ୱଳ ଚନ୍ଦ୍ରାଲୋକରେ ନଦୀ, ଗିରି, ପ୍ରାନ୍ତର ସବୁ କିପରି ମାୟାପୁରୀ ପରି ମନେହେଉଛି । ଡକ୍ଟର ଦାଶ ଯେପରି ନିଜର ଏହି ସୁନ୍ଦର ଜନ୍ମଭୂମିକୁ ନୂଆ ଆଖିରେ ଦେଖିଲେ । କେଡ଼େ ସୁନ୍ଦର–କେଡ଼େ ଚିତ୍ତାକର୍ଷକ ତାଙ୍କର ଏହି ଜନ୍ମଭୂମି ! ପଞ୍ଜାବ, ଉତ୍ତର ପ୍ରଦେଶ, ବିହାର, ବଙ୍ଗ ସବୁତ ଏହି ବିଶାଳ ସୌନ୍ଦର୍ଯ୍ୟ ଭିତରେ ଲୀନ ହୋଇଯାଇଛି । କାହିଁ କୌଣସିଠାରେ ତ ଦୁଇଟି ଦେଶ ମଧ୍ୟରେ ସୀମାର ପାଚେରୀ ଉଠି ନାହିଁ । ଭେଦଭାବ କେବଳ ରାଜନୈତିକ ଫାଇଦା । ବିଶାଳ ଓ ସୁନ୍ଦର ଏହି ଦେଶ ଉଦ୍ଦେଶ୍ୟରେ ଡକ୍ଟର ଦାଶ ପ୍ରଣାମ ଜଣାଇଲେ । ହେ ମୋର ଜନନୀ ଜନନୀ ଜନ୍ମଭୂମି ! ତୁମରି ସେବାରେ ଓ ତୁମରି ସନ୍ତାନମାନଙ୍କୁ କଲ୍ୟାଣ ପାଇଁ ଯେପରି ଏ ଜୀବନ ବିସର୍ଜନ ହେଉ ।

 

ଓଡ଼ିଶାର ଗୋଟିଏ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମହୋଇ ରମେଶଚନ୍ଦ୍ର ଜୀବନସାରା ବିଦ୍ୟାଭ୍ୟାସ କରି ଆସିଛନ୍ତି । ବିଜ୍ଞାନକୁ ଜୀବନର ଚରମ ସାଧନାରୂପେ ଗ୍ରହଣ କରିଥିଲେ । ଯୌବନର ଅପରାହ୍ନରେ ପହଞ୍ଚିଥିଲେ ମଧ୍ୟ ବିବାହ କରି ସଂସାରି ହେବାର ସୁବିଧା ସେ ଏ ପର୍ଯ୍ୟନ୍ତ ପାଇ ନାହାନ୍ତି ।

 

ଅତି ବାସ୍ତବବାଦୀ ବୈଜ୍ଞାନିକଙ୍କର ମଧ୍ୟ ଅନ୍ତରରେ କ୍ଷୁଧା ଅଛି । ଏହି ଜହ୍ନରାତିର ନିର୍ଜନତାରେ ତାଙ୍କର ମନେହେଲା ପୃଥିବୀରେ ଯେପରି ସେ ଅତିଶୟ ଏକାକୀ–ସାଥୀହୀନ । ସେ ଜଣେ ବଡ଼ ବୈଜ୍ଞାନିକ । ଅଦ୍ଭୁତ ସାଧନାରେ ମହାବିଶ୍ଵର ସୃଷ୍ଟି ରହସ୍ୟ ସେ ଭେଦ କରିବେ । ତାଙ୍କର ଆବିଷ୍କାରରେ ସମଗ୍ର ଦୁନିଆ ସ୍ତମ୍ଭୀତ ହୋଇଯିବ, କିନ୍ତୁ ତା’ପରେ ? ତା’ପରେ ଯେଉଁ ରହସ୍ୟ କୌଣସି ଯୁଗର କୌଣସି ବୈଜ୍ଞାନିକ ଭେଦକରି ପାରିନାହିଁ । ଯାହା ନିୟତି, ଯାହା ସୃଷ୍ଟିକର୍ତ୍ତାଙ୍କର ଅମୋଘ ବିଧାନ ସେହି ମୃତ୍ୟୁ ଦିନେ ଆସିବ ଓ ସେ ମହାକାଶରେ ଉଲୁକାପରି ଦିନେ ପଞ୍ଚଭୂତରେ ଲୀନ ହୋଇଯିବେ । ସମଗ୍ର ଦେଶ କିଛି ଦିନ ଶୋକର ଅଭିନୟ କରିବ, କିନ୍ତୁ କାହାରି ଆଖିରୁ ପ୍ରକୃତ ଶୋକର ଅଶ୍ରୁ ବହିବ ନାହିଁ । ତାଙ୍କର କୌଣସି ସ୍ଵାକ୍ଷର ରହିବ ନାହିଁ ତାଙ୍କର ବଂଶଧାରାରେ–ତାଙ୍କର ରକ୍ତଧାରାରେ ।

 

ସୁଦୂର ଆକାଶରୁ ଗୋଟିଏ ନକ୍ଷତ୍ର ଖସି ପଡ଼ିଲା । ବୈଜ୍ଞାନିକ ମନେ ମନେ ହସିଲେ । ଆଉ ଏ ରହସ୍ୟ ମାନବ ଜାତିର ଅଜଣା ରହିବ ନାହିଁ । ସେ ଦେଖାଇ ଦେବେ ଯେ ଗ୍ରହ ଗ୍ରହାନ୍ତରକୁ ମଣିଷ ଅନାୟାସରେ ଯାତାୟାତ କରିପାରେ । ମହାଜାଗତିକ ରଶ୍ମିକୁ ମଣିଷ ନିଜର କରାୟତ କରି ଅସାଧ୍ୟ ସାଧନ କରିପାରେ ।

 

ଏହିପରି ବିକ୍ଷିପ୍ତ ଚିନ୍ତା ଭିତରେ ଡକ୍ଟର ଦାଶ ଶୋଇପଡ଼ିଲେ । ପରଦିନ ହାବଡ଼ାରେ ପହଞ୍ଚି ସେ ପ୍ରଥମେ ପୁରୀ ଏକ୍‌ସପ୍ରେସରେ ସ୍ଥାନ ରିଜର୍ଭ କରିବା ପାଇଁ ବୁକିଂ ଅଫିସକୁ ଯାଇ ଶୁଣିଲେ ଯେ ତାଙ୍କ ପାଇଁ ସେହି ଦିନର ସନ୍ଧ୍ୟା ଏକ୍‌ସପ୍ରେସରେ ଖଣ୍ଡିଏ ପ୍ରଥମ ଶ୍ରେଣୀର କୁପେ ରିଜର୍ଭ କରାହୋଇଛି । କିଏ କଲା, କିପରି ବା କଲା ସେ ସବୁ କଥା କିଛି ଭାବିଲେ ନାହିଁ । ସେ ଯେ ଜଣେ ବିଖ୍ୟାତ ଲୋକ ଏ କଥା ସେ ନିଜେ ମଧ୍ୟ ଅବହିତ ଥିଲେ । ବୁକିଂ କ୍ଲର୍କ ତାଙ୍କୁ ଖଣ୍ଡିଏ ପ୍ରଥମ ଶ୍ରେଣୀର ଟିକେଟ ଦେଇ ଜଣାଇଲେ ଯେ ତା’ର ମୂଲ୍ୟ ସେ ଆଗରୁ ପାଇଛି । ହୁଏତ ସରକାରଙ୍କର ଏହା ସୁବନ୍ଦୋବସ୍ତ ଓ ଅନୁକମ୍ପା ମନେକରି ସେ କିଛି ନପଚାରି ଟିକଟଟି ନେଇ ଷ୍ଟେସନକୁ ଆସିଲେ ।

 

ପୁରୀ ଏକ୍‌ସପ୍ରେସରେ ଗୋଟିଏ ପ୍ରଥମ ଶ୍ରେଣୀର କୁପେ ତାଙ୍କ ପାଇଁ ରିଜର୍ଭ କରାହୋଇଥିଲା । କଣ୍ଡକ୍‌ଟରଠାରୁ ବୁଝି ସେ ନିଜ କୋଠରୀକୁ ଗଲେ । ଯଥା ସମୟରେ ଗାଡ଼ି ଛାଡ଼ିଲା-। ନିର୍ଜନ କୁପେ ଭିତରେ ଆଲୁଅ ନିଭାଇ ଡକ୍ଟର ଦାଶ ବହୁକ୍ଷଣପର୍ଯ୍ୟନ୍ତ ବାହାରକୁ ଚାହିଁ ବସିରହିଲେ । କେତେ ଭାବନା ତାଙ୍କ ମନରେ ଉଦୟ ହେବାକୁ ଲାଗିଲା । ଗଗନଚୁମ୍ବୀ ତାଙ୍କର ଉଚ୍ଚାଭିଳାଷ । ଏହି ତାଙ୍କର ଜନ୍ମଭୂମି ଭାରତବର୍ଷ, କେତେ ମନୀଷୀ କେତେ ଅବତାରଙ୍କର ଏହା ଆବିର୍ଭାବ ମଞ୍ଚ । ଜ୍ଞାନ ଓ ଧର୍ମର ଅନିର୍ବାଣ କର୍ତ୍ତବ୍ୟ; କିନ୍ତୁ ମହାକାଳର ପଟ୍ଟପରିବର୍ତ୍ତନ ପରି କୁଆଡ଼େ ସେ ଗରିମାମୟ ଯୁଗ ଉଭାଇଗଲା । ବିଦେଶୀ ଦସ୍ୟୁମାନେ ସାତ ସମୁଦ୍ର ତେର ନଈ ପାରି ହୋଇ ଆସି ଏ ସୁନାର ଦେଶକୁ ଛାରଖାର କରିଦେଲେ । ଏ ଦେଶର ସମାଜ ଓ ସଂସ୍କୃତିକୁ ବିକଳାଙ୍ଗ କରିଦେଲେ । ଦୀର୍ଘ ଗୋଟାଏ ଦୁଃସ୍ଵପ୍ନ ପରି ଯେ କେତେ ଶତାବ୍ଦୀ ବିତି ଯାଇଛି । ଆଜି ଭାରତବର୍ଷ ସ୍ଵାଧୀନ, ଜ୍ଞାନର ଗାରିମାରେ ଦେଶ ଆଜି କାହାରିଠାରୁ ଊଣା ନୁହେଁ । ଅଦୂର ଭବିଷ୍ୟତରେ ବିଶ୍ଵ-ବିଜ୍ଞାନର ଦରବାରରେ ଭାରତବର୍ଷ ଶ୍ରେଷ୍ଠ ଆସନ ଗ୍ରହଣ କରିବ । ସେ ଏବଂ ତାଙ୍କରି ପରି ଆଉ କେତେକ ହେବେ ସେ ଅଭିଯାନର ଅଗ୍ରଦୂତ ।

 

ଉଦ୍ଦାମ ବେଗରେ ରେଳଗାଡ଼ି ଧାଇଁ ଚାଲିଛି । ଝରକା ବାଟେ ସୁଲୁସୁଲିଆ ଥଣ୍ଡା ପବନ ଆସୁଛି । ଧୀରେ ଧୀରେ ଡକ୍ଟର ଦାଶ ଗଭୀର ନିଦରେ ଶୋଇପଡ଼ିଲେ ।

 

ରାତି ସେତେବେଳେକୁ କେତେ–ଠିକ୍ ଜଣା ନାହିଁ । ଏକ୍‌ସପ୍ରେସ ତୀବ୍ର ବେଗରେ ଧାଇଁଛି । କିପରି ଗୋଟିଏ ଅସ୍ଵାଭାବିକ ଶବ୍ଦରେ ହଠାତ୍‌ ଡକ୍ଟର ଦାଶଙ୍କର ନିଦ ଭାଙ୍ଗିଗଲା, ନିଷ୍ପ୍ରଭ ନେଳି ଆଲୁଅରେ ସେ ଦେଖିଲେ ଯେ ଗୋଟିଏ ଦୀର୍ଘ ମନୁଷ୍ୟ ମୂର୍ତ୍ତି ତାଙ୍କ ନିକଟରେ ଛିଡ଼ା ହୋଇଛି । ତାହାର ସର୍ବାଙ୍ଗ କଳା ଆଲଖାଲାରେ ଆବୃତ । ଚମକି ପଡ଼ି ଡକ୍ଟର ଦାଶ ଉଠି ବସିବାକୁ ଚେଷ୍ଟାକଲେ; କିନ୍ତୁ ତା’ ପୂର୍ବରୁ ଆଲଖାଲାଧାରୀ ବାଘପରି ତାଙ୍କ ଛାତି ଉପରେ ମାଡ଼ିବସିଲା ଓ ତାଙ୍କ ନାକ ଓ ମୁହଁରେ ଖଣ୍ଡିଏ ରୁମାଲ ଚାପିଧରିଲା । ବୈଜ୍ଞାନିକ ବୁଝିନେଲେ ଯେ ତାଙ୍କର ମୁକ୍ତିପାଇଁ ଚେଷ୍ଟା କରିବା ବୃଥା । ଆତତାୟୀ ତାଙ୍କର ଫୁସ୍ ଫୁସ୍ ମଧ୍ୟରେ ତୀବ୍ର କ୍ଲୋରୋଫର୍ମ ପ୍ରୟୋଗ କରିଛି ।

 

ମୁହୂର୍ତ୍ତକ ମଧ୍ୟରେ ତାଙ୍କର ଦେହ ନିସ୍ପନ୍ଦ ହୋଇଗଲା । ଯେଉଁ ବୈଜ୍ଞାନିକ ମାତ୍ର କେତେକ ଘଣ୍ଟା ପୂର୍ବରୁ ମହାକାଶକୁ ବିଜୟ କରିବାର ସ୍ଵପ୍ନ ଦେଖୁଥିଲେ, ତାଙ୍କର ଦେହ ଚଳନ୍ତା ରେଲଗାଡ଼ି ଉପରେ ପ୍ରାଣହୀନ ପରି ପଡ଼ି ରହିଲା ।

 

ଦୁଇ

 

ସୁବିଖ୍ୟାତ ଡିଟେକ୍ଟିଭ୍‍ ଭବାନୀ ମହାପାତ୍ର ତାଙ୍କର ନିର୍ଜନ କୋଠରୀରେ ବସି ସେହି ଦିନର ଖଣ୍ଡିଏ ଇଂରାଜୀ ଖବର କାଗଜ ପଢ଼ୁଥିଲେ । ପ୍ରଥମ ପୃଷ୍ଠାରେ ଖଣ୍ଡିଏ ବଡ଼ ଫଟ ଓ ତା’ ତଳେ ଗୋଟିଏ ସମ୍ବାଦ ବାହାରିଛି । ଫଟଟି ଦିଲ୍ଲୀରେ ସାମ୍ବାଦିକମାନେ ଉଠାଇଥିବା ବୈଜ୍ଞାନିକ ରମେଶ ଦାଶଙ୍କର । ସମ୍ବାଦଟି ତାଙ୍କରି ବିଷୟରେ । ଦେଶର ବରପୁତ୍ର ସୁବିଖ୍ୟାତ ବୈଜ୍ଞାନିକ ରମେଶ ଦାଶ ଦୀର୍ଘଦିନ ପରେ ନଭୋବିଜ୍ଞାନରେ ବିଶେଷଜ୍ଞ ହୋଇ ସ୍ଵଦେଶକୁ ଫେରି ଆସିଛନ୍ତି । ବିଶ୍ଵବିଜ୍ଞାନର ଦରବାରରେ ସେ ଯେ ଭାରତବର୍ଷର ମୁଖ ଉଜ୍ଜ୍ୱଳ କରିବେ ଏଥିରେ ଦେଶବାସୀଙ୍କର ସନ୍ଦେହ ନାହିଁ । ଏହିପରି ସବୁ ସମ୍ବାଦ ।

 

ଗଭୀର ରାତି । ଭବାନୀ ବାବୁ ଅଳସରେ ହାଇମାରି ନିଜର ବିଛଣାକୁ ଅନାଇଲେ । ଏହି ସମୟରେ ଟେବୁଲ ଉପରର ଟେଲିଫୋନ ବାଜି ଉଠିଲା । ଭବାନୀବାବୁ ବିରକ୍ତ ହୋଇ ରିସିଭର ଉଠାଇ ନେଲେ । ତାରର ଆରପଟରୁ ଗୋଇନ୍ଦା ଏସ୍.ପି. କଥା କହୁଥିଲେ ।

 

–“ଭବାନୀବାବୁ, ଦିଲ୍ଲୀରୁ ଗୋଟିଏ ଜରୁରୀ ବେତାର ବାର୍ତ୍ତା ଆସିଛି । ଆପଣ ବର୍ତ୍ତମାନ ଥରେ ମୋ ନିକଟକୁ ଆସନ୍ତୁ ।”

 

କର୍ତ୍ତବ୍ୟନିଷ୍ଠ ଡିଟେକ୍ଟିଭ୍‍ଙ୍କର ତନ୍ଦ୍ରା ମୁହୂର୍ତ୍ତକେ କଟିଗଲା । ସଙ୍ଗେ ସଙ୍ଗେ ପୋଷାକ ପିନ୍ଧି ସେ ଏସ୍.ପି.ଙ୍କ ନିକଟକୁ ଚାଲିଲେ !

 

ଏସ୍. ପି.ଙ୍କ ନିକଟରେ ଆଉ କେତେଜଣ ପୁଲିସ୍‍ କର୍ମଚାରୀ ମଧ୍ୟ ବସିଥିଲେ । ଭବାନୀବାବୁ ଘରେ ପଶିବାରୁ ଏସ୍.ପି. କହିଲେ–

 

“ଘଟଣାଟା ଏପରି କିଛି ନୁହେଁ । ଦିଲ୍ଲୀର ସେଣ୍ଟ୍ରାଲ ଇଣ୍ଟେଲିଜେନ୍‌ସ ଅଫିସରୁ ସାଙ୍କେତିକ ଲିପିରେ ଗୋଟିଏ ବେତାର ବାର୍ତ୍ତା ଆସିଛି । ମୁଁ ବାର୍ତ୍ତାଟିର ଲିପି ଉଦ୍ଧାର କରି ରଖିଛି । ଆପଣମାନଙ୍କୁ ପଢ଼ି ଶୁଣାଇ ଦେଉଛି ।”

 

–‘‘ବୈଜ୍ଞାନିକ ଡକ୍ଟର ରମେଶ ଦାଶ ଗତକାଲି ବିମାନ ଯୋଗେ ମସ୍କୋରୁ ଆସି ଦିଲ୍ଲୀରେ ପହଞ୍ଚିଲେ । ରୁଷ ଓ ଭାରତ ସରକାରଙ୍କର ଗୁପ୍ତ ରାଜିନାମାରେ ନଭୋବିଜ୍ଞାନର କେତୋଟି ଗୁପ୍ତ ବିଷୟରେ ବିଶେଷଜ୍ଞ ହେବାଲାଗି ଭାରତ ସରକାର ତାଙ୍କୁ ମସ୍କୋ ପଠାଇଥିଲେ । କର୍ତ୍ତୃପକ୍ଷ ଆଶା କରିଥିଲେ ଯେ ଦିଲ୍ଲୀରେ ପହଞ୍ଚି ସେ ଦେଶରକ୍ଷା ବିଭାଗକୁ ଥରେ ଆସିବେ, କିନ୍ତୁ ସେ ସେଠାକୁ ନ ଯାଇ ସେହିଦିନ ମେଲରେ କଲିକତା ଚାଲିଗଲେ । ପରେ ଜଣା ଯାଇଛି ସେ ପୁରୀ ଏକ୍‌ସପ୍ରେସରେ ହାବଡ଼ାରୁ କଟକ ଯାଉଛନ୍ତି ଓ ଆସନ୍ତା କାଲି ସକାଳେ କଟକରେ ପହଞ୍ଚିବେ । କୌଣସି ବିଶେଷ କାରଣରୁ ବୈଜ୍ଞାନିକଙ୍କର ବ୍ୟକ୍ତିଗତ ନିରାପତ୍ତା ପାଇଁ ଭାରତ ସରକାର ଉଦ୍‌ବିଗ୍ନ । ଭାରତ ସରକାର ଆଶା କରନ୍ତି ଯେ ଡକ୍ଟର ଦାଶ କଟକରେ ପହଞ୍ଚିବାଠାରୁ ପୁଣି ଦିଲ୍ଲୀ ଫେରି ଆସିବା ପର୍ଯ୍ୟନ୍ତ ତାଙ୍କର ନିରାପତ୍ତା ବ୍ୟବସ୍ଥା ଆପଣ କରିବେ । ତାଙ୍କର ନିରାପଦରେ ପହଞ୍ଚିବା ଖବର ବେତାର ଯୋଗେ ଜଣାଇବେ ।’’

 

ବାର୍ତ୍ତାଟି ପଢ଼ିସାରି ଏସ୍.ପି. ସମସ୍ତଙ୍କୁ ବାରେ ଚାହିଁଲେ । ତା’ପରେ କହିଲେ “ବର୍ତ୍ତମାନ ଆପଣମାନେ ସବୁ ବୁଝୁଛନ୍ତି । ପାଗଳା ବୈଜ୍ଞାନିକଙ୍କ ପଛେ ପଛେ ଆମକୁ କିଛିଦିନ ବୁଲିବାକୁ ହେବ । ସେ ଏଠାରେ କେଉଁଠାରେ ରହିବେ ବା କେଉଁଆଡ଼େ ଯିବେ ସେ ଖବର ଆମକୁ ରଖିବାକୁ ହେବ । ବର୍ତ୍ତମାନ ଚାଲନ୍ତୁ ଆମ୍ଭେମାନେ ଷ୍ଟେସନକୁ ଯିବା’’ ।

 

ଭୋର ପାଞ୍ଚଟା ବେଳ । ଷ୍ଟେସନରେ ବେଶି ଜନଗହଳି ନାହିଁ । ପୁରୀ ଏକ୍‌ସପ୍ରେସ୍‌କୁ ଅପେକ୍ଷା କରି ପ୍ଲାଟଫର୍ମ ଉପରେ କେତେଜଣ ପୁଲିସ୍‍ ଅଫିସର ବୁଲୁଛନ୍ତି । ଯଥା ସମୟରେ ଗର୍ଜନ କରି ପୁରୀ ଏକ୍‌ସପ୍ରେସ ଆସି ପହଞ୍ଚିଲା । ବୈଜ୍ଞାନିକଙ୍କ ଆଗମନ କଟକରେ କାହାକୁ ଜଣାନାହିଁ । ସେଥିପାଇଁ କେହି ତାଙ୍କୁ ପାଛୋଟି ନେବାକୁ ଆସିନାହାନ୍ତି । ସଦା ଜାଗ୍ରତ ସାମ୍ବାଦିକମାନେ ମଧ୍ୟ ଆସି ନାହାନ୍ତି । କେତେ ଯାତ୍ରୀ ଗାଡ଼ିରୁ ଓହ୍ଲାଇଲେ–କେତେ ମଧ୍ୟ ଚଢ଼ିଲେ । ଫେରିବାଲାମାନଙ୍କର ଚିତ୍କାର–କୁଲିମାନଙ୍କର ଦୌଡ଼ାଦୌଡ଼ି ଓ ଟ୍ରେନ୍ କର୍ମଚାରୀଙ୍କର କର୍ମବ୍ୟସ୍ତତାରେ ମୁହୂର୍ତ୍ତକେ ପ୍ଲାଟଫର୍ମଟି ମୁଖର ହୋଇ ଉଠିଲା । କଣ୍ଡକ୍‌ଟର ଗାର୍ଡ଼ଠାରୁ ବୁଝି ଏସ୍. ପି. ବୈଜ୍ଞାନିକଙ୍କର କୁପେ ନିକଟକୁ ଆସିଲେ । କିଛିକ୍ଷଣ ଅପେକ୍ଷା କଲାପରେ ମଧ୍ୟ ବୈଜ୍ଞାନିକ ଓହ୍ଲାଇଲେ ନାହିଁ ଦେଖି ଏସ୍.ପି. ତାଙ୍କୁ ଡାକିବା ପାଇଁ ହାଣ୍ଡଲ ଧରି ବୁଲାଇଲେ, କିନ୍ତୁ ଆଶ୍ଚର୍ଯ୍ୟ ବିଷୟ ଯେ ଦୁଆରଟି ଖୋଲିଗଲା । ଭିତରକୁ ଯାଇ ଏସ୍.ପି. ଆଲୁଅ ଜଳାଇ ଦେଲେ । ସାନ କୁପେଟି ଉଜ୍ଜ୍ଵଳ ଆଲୋକରେ ଉଦ୍ଭାସିତ ହୋଇଉଠିଲା । ବୈଜ୍ଞାନିକ ବିଛଣା ଉପରେ ଶୋଇଛନ୍ତି, ତଥାପି ଉଠିଲେ ନାହିଁ ।

 

ଏସ୍.ପି. ତାଙ୍କୁ ଉଠାଇବା ପାଇଁ ହାତରେ ହଲାଇ ଦେଲେ । ତା’ପରେ କ’ଣ ଯେପରି ସନ୍ଦେହ କରି ତାଙ୍କ ଦେହ ଉପରୁ ଚାଦରଟା ଟାଣି ଉଠାଇ ଦେଲେ । ବୈଜ୍ଞାନିକଙ୍କର ମେଲା ଆଖି ଦୁଇଟି ସ୍ଥିର ଓ ନିସ୍ପନ୍ଦ । ଆଉ ବୁଝିବାକୁ ବାକି ରହିଲା ନାହିଁ ଯେ ତାଙ୍କର ପ୍ରାଣ ନାହିଁ । ଉତ୍ତେଜନାରେ ଏସ୍.ପି. ଚିତ୍କାର କରିଉଠିଲେ । ଅନ୍ୟାନ୍ୟ ପୁଲିସ୍‍ ଅଫିସରମାନେ ଦୌଡ଼ି ଆସିଲେ-। କ୍ଷଣକ ପରେ ପ୍ଲାଟଫର୍ମ ଉପରେ ହୁଲୁସ୍ତୁଲ ପଡ଼ିଗଲା । ତଦନ୍ତ ପାଇଁ ଗାଡ଼ିର ସେହି “ବଗିଟି” କଟକରେ କାଟି ରଖି ଦିଆ ହେଲା ଓ ପ୍ରତ୍ୟେକ ଲୋକଙ୍କୁ ତଲାସ କରାଗଲା ।

 

କିଛିକ୍ଷଣ ପରେ ଖବର ପାଇ ଆହୁରି ଉଚ୍ଚପଦସ୍ଥ ପୁଲିସ୍‍ କର୍ମଚାରୀମାନେ ଆସି ପହଞ୍ଚିଲେ । ଏହା ଯେ ହତ୍ୟାକାଣ୍ଡ ଏଥିରେ କାହାରି ସନ୍ଦେହ ନାହିଁ ଏବଂ ଏହା ପଛରେ ଯେ କୌଣସି ରାଜନୈତିକ ଷଡ଼ଯନ୍ତ୍ର ନିହିତ ଅଛି, ଏଥିରେ ମଧ୍ୟ କାହାରି ସନ୍ଦେହ ରହିଲା ନାହିଁ ।

 

ଘମାଘୋଟ ପୁଲିସ୍‍ ତଦନ୍ତ ଆରମ୍ଭ ହୋଇଗଲା ଓ ଆଇ.ଜି.ଙ୍କ ଆଦେଶକ୍ରମେ ଡିଟେକ୍ଟିଭ୍‌ ଭବାନୀ ମହାପାତ୍ର ଏ ତଦନ୍ତର ଭାର ନେଲେ । ଡିଟେକ୍ଟିଭ୍‍ ଭବାନୀ ମହାପାତ୍ର ଏତେବେଳ ପର୍ଯ୍ୟନ୍ତ ମୃତ ଦେହକୁ ଭଲକରି ଦେଖି ନ ଥିଲେ । ଲାସ ତନଖି (Inquest) କରିବା ଆଗରୁ ସେ ଓ ଏସ୍.ପି. ଡବା ଭିତରୁ ଅନ୍ୟ ଲୋକମାନଙ୍କୁ ବାହାର କରି ଦେଇ ଦୁଆର ଲଗାଇଦେଲେ ଓ ଲାସକୁ ଭଲକରି ଦେଖିବା ପାଇଁ ଚଦର ଉଠାଇ ଦେଲେ ।

 

ଦେହର କୌଣସି ସ୍ଥାନରେ କ୍ଷତ ଚିହ୍ନ ନାହିଁ । କେବଳ ହାତ ଓ ଗୋଡ଼ରେ ଦଉଡ଼ା ବାନ୍ଧିବା ଯୋଗୁ ଚିହ୍ନ ରହିଛି; କିନ୍ତୁ ମୃତ ଦେହକୁ ଦେଖିବାମାତ୍ରେ ଭବାନୀବାବୁଙ୍କର ମୁଖ ମଣ୍ଡଳରେ ଅଦ୍ଭୁତ ପରିବର୍ତ୍ତନ ଦେଖାଗଲା । ସେ ଏସ୍.ପି.ଙ୍କୁ କହିଲେ–“ସାର, ଆପଣ ଆଦେଶ ଦିଅନ୍ତୁ, ଯେପରି କୌଣସି ପ୍ରେସ ରିପୋର୍ଟର ମୃତ ଦେହର ଫଟୋ ନ ନିଅନ୍ତି; ତା’ଛଡ଼ା ପୋଷ୍ଟମଟମ ମଧ୍ୟ ଗୁପ୍ତରେ କରାଇ ତା’ର ରିପୋର୍ଟକୁ ଅତିଗୁପ୍ତ ରଖିବାକୁ ହେବ । ସି.ଆଇ.ଡ଼ି. ଫଟୋଗ୍ରାଫରକୁ ଡକାଇ ଏ ମୃତ ଦେହର ଫଟୋ ଉଠାଇବାକୁ ଆଦେଶ ଦିଅନ୍ତୁ । ଫଟୋ ଯେପରି ନିର୍ଭୁଲ ଭାବରେ ଉଠେ । ଆଉ ଆଜି ଅପରାହ୍ନ ସୁଦ୍ଧା ଯେପରି ଛଖଣ୍ଡି ଏନ୍‌ଲାର୍ଜଡ଼ (Enlarged) ଫଟୋଗ୍ରାଫ ମୁଁ ପାଏ ।”

 

ଭବାନୀବାବୁଙ୍କର ଉଦ୍ଦେଶ୍ୟ ଏସ୍.ପି. କିଛି ନ ବୁଝି ପାରିଲେ ମଧ୍ୟ ସେ ସେହିପରି ଆଦେଶ ଜାରି କଲେ । ନିମ୍ନସ୍ଥ କର୍ମଚାରୀ ହେଲେ ମଧ୍ୟ ଭବାନୀବାବୁଙ୍କର ତୀକ୍ଷ୍‍ଣ ବୁଦ୍ଧି ଓ କର୍ମ ପ୍ରଖରତା ପ୍ରତି ଏସ୍.ପି.ଙ୍କର ଗଭୀର ସମ୍ମାନ ଅଛି । ସେ ବୁଝିଲେ ଯେ ଭବାନୀବାବୁଙ୍କର କୌଣସି ଗୋଟାଏ ବ୍ରେନଓଏଭ୍‌ ହୋଇଛି ।

 

ବିଜୁଳିପରି ଏ ଦୁଃସମ୍ବାଦ ଚାରିଆଡ଼େ ଖେଳିଗଲା । କେତେକ ଘଣ୍ଟା ଭିତରେ ଦିଲ୍ଲୀଠାରୁ କଟକ ପର୍ଯ୍ୟନ୍ତ ସାରା ଦେଶରେ ପୁଲିସ୍‍ ଓ ଗୋଇନ୍ଦା ବିଭାଗ ତତ୍ପର ହୋଇଉଠିଲେ । ଦିଲ୍ଲୀର ଇଣ୍ଟେଲିଜେନ୍‌ସ ବ୍ୟୁରୋ ଓ ଦେଶରକ୍ଷା ବିଭାଗ ଅତ୍ୟନ୍ତ ଉଦ୍‌ବିଗ୍ନ ହୋଇଉଠିଲେ । ବୈଜ୍ଞାନିକଙ୍କର ଅପମୃତ୍ୟୁ ପଛରେ ଯେ ଅତି ଭୟାବହ ରାଜନୈତିକ ଷଡ଼ଯନ୍ତ୍ର ନିହିତ ଅଛି ଏଥିରେ ଆଉ ସନ୍ଦେହ ରହିଲା ନାହିଁ ।

 

ଦେଶ ଦେଶ ଭିତରେ ଗ୍ରହାନ୍ତରକୁ ଯିବା ପ୍ରତିଯୋଗିତା ଚାଲିଛି । ଯେଉଁ ଜାତି ପ୍ରଥମେ ଗ୍ରହାନ୍ତରକୁ ଯାଇ ପାରିବ ସେହି ହେବ ପୃଥିବୀରେ ଶ୍ରେଷ୍ଠ ଶକ୍ତି । ଚନ୍ଦ୍ର ବା ମଙ୍ଗଳ ଗ୍ରହକୁ ଅନାୟାସରେ ସେ ଆଣବିକ ଯୁଦ୍ଧର ଭିତ୍ତି କରି ପାରିବ । ଗ୍ରହାନ୍ତର ଭ୍ରମଣ ପ୍ରତିଯୋଗିତାର ଏହାହିଁ ଅନ୍ତର୍ନିହିତ ଉଦ୍ଦେଶ୍ୟ ଥିଲେ ମଧ୍ୟ କୌଣସି ଶକ୍ତି ତାହା ସ୍ଵୀକାର କରୁନାହାନ୍ତି । ନଭୋମଣ୍ଡଳର ଗୁପ୍ତ ରହସ୍ୟ ଭେଦ କରି ବୈଜ୍ଞାନିକମାନେ ମାନବ ଜାତିର କଲ୍ୟାଣ ପାଇଁ ତାହା ବ୍ୟବହାର କରିବେ । ଏହିପରି ଅବସ୍ଥାରେ ଜଣେ ଭାରତୀୟ ବୈଜ୍ଞାନିକ ଯଦି ପ୍ରଥମେ ସେ ରହସ୍ୟ ଭେଦ କରିପାରିବ, ତେବେ କେବଳ ଯେ ଆତ୍ମଗର୍ବୀ ପାଶ୍ଚାତ୍ୟ ଶକ୍ତିଙ୍କର ଏହା ଚରମ ଅବମାନନା ତାହା ନୁହେଁ–ଭାରତପରି ଗୋଟିଏ ଶାନ୍ତିକାମୀ ରାଷ୍ଟ୍ରର ଇଙ୍ଗିତରେ ଯୁଦ୍ଧଖୋର ରାଷ୍ଟ୍ରମାନଙ୍କୁ ସର୍କସର ସିଂହପରି ମୁଣ୍ଡ ନୁଆଁଇ ରଖିବାକୁ ହେବ । ଏହାହିଁ ବୈଜ୍ଞାନିକ ଦାଶଙ୍କର ହତ୍ୟାର କାରଣ ହୋଇପାରେ ।

 

ଦ୍ଵିତୀୟ ପ୍ରଶ୍ନ ହେଉଛି, ଯଦି କୌଣସି ଦେଶ ବୈଜ୍ଞାନିକ ଦାଶଙ୍କୁ ନିଜ କବଳରେ ପାଏ ତେବେ ତାଙ୍କର ସାହାଯ୍ୟରେ ସେ ଦେଶ ନଭୋମଣ୍ଡଳ ବିଜୟରେ ଅଗ୍ରଣୀ ହୋଇପାରିବ । ତେବେ ତାଙ୍କୁ ସେ ଦେଶକୁ ଜୀବନ୍ତ ନିଆ ନ ଯାଇ ହତ୍ୟା କରାହେଲା କାହିଁକି ?

 

ତୃତୀୟ ପ୍ରଶ୍ନ ହେଉଛି–ଏହା କ’ଣ କୌଣସି ପଶ୍ଚାତ୍ୟ–କିମ୍ବା ପଡ଼ୋଶୀ ପ୍ରାଚ୍ୟ ଶକ୍ତିର ଷଡ଼ଯନ୍ତ୍ର ! ଯଦି କୌଣସି ପାଶ୍ଚାତ୍ୟ ଶକ୍ତି ଡକ୍ଟର ଦାଶଙ୍କୁ ହତ୍ୟା କରିବାକୁ କିମ୍ବା ହରଣ କରିବାକୁ ଚାହିଥା’ନ୍ତା ତେବେ ସେ ସୁଦୂର ଋଷ ଦେଶରୁ ଭାରତବର୍ଷକୁ ନିରାପଦରେ ଆସି ପାରି ନଥାନ୍ତେ ।

 

ଏହିପରି କେତେ ପ୍ରଶ୍ନର ସମାଧାନ ଲାଗି ସାରା ଦେଶରେ ଡିଟେକ୍ଟିଭ୍‍ମାନେ ଲାଗିପଡ଼ିଲେ ।

 

ଡିଟେକ୍ଟିଭ୍‍ ଭବାନୀ ମହାପାତ୍ର ଖଣ୍ଡିଏ ଶକ୍ତିଶାଳୀ ଲେନ୍‌ସ ନେଇ ମୃତ ଦେହଟି ଓ “କୁପେ”ର ସବୁସ୍ଥାନ ଅତି ଯତ୍ନରେ ପରୀକ୍ଷା କରିବାକୁ ଲାଗିଲେ । ସେ ଦେଖିପାରିଲେ ଯେ ମୃତ ଦେହର ପିଠି ପାଖରେ ନଖ ଦାଗ ପରି ପାଞ୍ଚଟି ଚିହ୍ନ ରହିଛି; କିନ୍ତୁ ଚିହ୍ନଗୁଡ଼ିକ ଏତେ ଛଡ଼ା ଛଡ଼ା ଓ ବଡ଼ ମଣିଷ ହାତର ନଖ ଦାଗ ପରି ମନେହୁଏ ନାହିଁ । ଅତି ଯତ୍ନରେ ବେଞ୍ଚ ଉପରେ ପଡ଼ିଥିବା ଚଟାଣଟି ପରୀକ୍ଷା କରୁ କରୁ ସେ କେତେଗୁଡ଼ିଏ ଲୋମ ପଡ଼ିଥିବାର ଦେଖିଲେ । ଲୋମଗୁଡ଼ିକ ଗୋଟେଇ ସେ ଖଣ୍ଡିଏ କାଗଜରେ ଗୁଡ଼ାଇ ପକେଟରେ ରଖିଲେ । ପରୀକ୍ଷାଦ୍ଵାରା ଜଣାଗଲା ଯେ ଆତତାୟୀ କବାଟର ବାହାରୁ ଏପରି ଶକ୍ତି ପ୍ରୟୋଗ କରିଛି ଯେ ଭିତରର ଲୁହା କିଳିଣୀଟି (Latch) ଭାଙ୍ଗି ଯାଇ ଦୁଆର ଖୋଲି ଯାଇଛି, କିନ୍ତୁ ବାହାର କବାଟରେ କୌଣସି ଚିହ୍ନ ରହି ନାହିଁ-। ଏହାର ଅର୍ଥ ହେଉଛି ସେ କୌଣସି ଭାରି ପଥର ବା ବଡ଼ କାଠ କବାଟରେ ନ ବାଡ଼େଇ କେବଳ ଦୈହିକ ଶକ୍ତିଦ୍ଵାରା ଠେଲି ଲୁହା କିଲିଣୀଟା ଭାଙ୍ଗି ଦିଆହୋଇଛି; କିନ୍ତୁ ଏହା କ’ଣ ମନୁଷ୍ୟ ଶକ୍ତିରେ ସମ୍ଭବ । କିଏ ସେ ନର ରାକ୍ଷସ ଯେ ଏପରି ଅସାଧ୍ୟ ସାଧନ କରିପାରିଛି !!

 

ଭବାନୀବାବୁଙ୍କୁ ଏହି ଦୁର୍ଭେଦ୍ୟ ରହସ୍ୟ ଭେଦ କରିବାକୁ ହେବ । ରାଷ୍ଟ୍ରର ଶତ୍ରୁକୁ ଧରିଆଣି ଆଇନ ଦପ୍ତରରେ ସମର୍ପିଦେବାକୁ ହେବ । ଗୋଟାଏ କଠିନ ଶପଥ ତାଙ୍କର ଓଠ ଦୁଇଟିକୁ ଶକ୍ତ କରିଦେଲା; କିନ୍ତୁ କିଭଳି ଭୟାବହ ଘଟଣାବଳି ଏହି ତଦନ୍ତ ପଥକୁ ଅବରୁଦ୍ଧ କରିବ–ମୃତ୍ୟୁର କରାଳ ମୁଖ ବ୍ୟାଦନ ପ୍ରତି ପଦକ୍ଷେପରେ କିପରି ତାଙ୍କୁ ସ୍ଵାଗତ କରିବ, ତାହା ସେତେବେଳେ ଦୁଃସାହସୀ ଡିଟେକ୍ଟିଭ୍‍ ଜାଣିପାରି ନ ଥିଲେ ।

 

ଲାସକୁ ତନଖି କରି ଓ ଡାକ୍ତରୀ ବ୍ୟବଚ୍ଛେଦ ପାଇଁ ପଠାଇ ଭବାନୀବାବୁ ନିଜ କୋଠରୀକୁ ଫେରି ଆସି ଓଡ଼ିଶା ଓ ଦକ୍ଷିଣପୂର୍ବ ରେଲଓୟେର ଦୁଇଖଣ୍ଡି ମାନଚିତ୍ର ଗଭୀର ଧ୍ୟାନରେ ଦେଖିବାକୁ ଲାଗିଲେ ।

 

ଚାକର କପେ ଚାହା ଦେଇଗଲା; କିନ୍ତୁ ଧ୍ୟାନମଗ୍ନ ଭବାନୀ ବାବୁ ତାହା ଜାଣିପାରିଲେ ନାହିଁ । ସେହିଠାରେ ଥଣ୍ଡା ହୋଇ ତାହା ପଡ଼ିରହିଲା । ପୁରାତନ ଭୃତ୍ୟ ରଘୁଆ ମୁନିବଙ୍କୁ ଭଲ ଭାବରେ ଚିହ୍ନେ । ଚିରକୁମାର ପ୍ରୌଢ଼ ଡିଟେକ୍ଟିଭ୍‍ଙ୍କର ସେ ବନ୍ଧୁ, ଦାର୍ଶନିକ ଓ ବୁଦ୍ଧିଦାତା । ମୁନିବଙ୍କୁ ଧ୍ୟାନମଗ୍ନ ଦେଖି ସେ ତାଙ୍କୁ ଖାଇବା ପାଇଁ ଡାକିବାକୁ ସାହସ କଲାନାହିଁ । ଅପରାହ୍ନ ଚାରିଟାବେଳେ ଏସ୍.ପି. ନିଜେ ଆସି ସେଠାରେ ପହଞ୍ଚିଲେ । ଏସ୍.ପି.ଙ୍କୁ ଦେଖି ଭବାନୀବାବୁଙ୍କର ଧ୍ୟାନ ଭାଙ୍ଗିଲା । ତାଙ୍କୁ ଆସନ ଗ୍ରହଣ କରିବାକୁ ଅନୁରୋଧ କରି ଭବାନୀବାବୁ କହିଲେ–“ମୃତ ଦେହର ଫଟୋ ହେଲା ସାର୍ ?”

 

ଏସ୍.ପି: ସାମାନ୍ୟ ହସି ଖଣ୍ଡିଏ ବଡ଼ ଲଫାପା ପକେଟରୁ କାଢ଼ି ଟେବୁଲ ଉପରେ ରଖିଲେ । ତା’ପରେ, କହିଲେ–“ଏଇ ନିଅନ୍ତୁ ଆପଣଙ୍କର ଫଟୋଗ୍ରାଫ୍‍ । ଛ’ଖଣ୍ଡ ଏନ୍‌ଲାର୍ଜଡ୍‍–କପିଅଛି, କିନ୍ତୁ ଏହା ଯେ ଆପଣଙ୍କର କି କାମରେ ଲାଗିବ ମୁଁ ଜାଣି ପାରୁ ନାହିଁ । ବୈଜ୍ଞାନିକ ଦାଶଙ୍କର ମୃତ୍ୟୁ ହୋଇଛି । ସେ ତ ହଜିଯାଇ ନାହାନ୍ତି ଯେ ଆପଣ ସାଧାରଣରେ ଫଟୋ ଦେଖାଇ ତାଙ୍କୁ ଖୋଜିବେ ।’’ ଭବାନୀବାବୁ କହିଲେ–“ନାଁ ସାର, ବୈଜ୍ଞାନିକ ରମେଶ ଦାଶ ମଧ୍ୟ ନାହାନ୍ତି, ଏ ମୃତ ଦେହ ଡକ୍ଟର ଦାଶଙ୍କର ନୁହେଁ । ଏହି ମୃତ ଦେହଟିର ଚିହ୍ନଟ କରିପାରିଲେ ବୈଜ୍ଞାନିକ ଦାଶଙ୍କୁ ଖୋଜି ବାହାର କରିବାର ସୂତ୍ର ମିଳିବ । ଏହି ଦେଖନ୍ତୁ ଡକ୍ଟର ରମେଶ ଦାଶଙ୍କର ପ୍ରକୃତ ଫଟୋଗ୍ରାଫ ।” ଏହା କହି ଯେଉଁ ଖବର କାଗଜଟିରେ ଡକ୍ଟର ଦାଶଙ୍କର ପାଲାମ ବିମାନ ଘାଟିରେ ପହଞ୍ଚିବାର ଫଟୋଟି ବାହାରିଥିଲା ସେହି କାଗଜ ଖଣ୍ତି ଏସ୍.ପି.ଙ୍କ ନିକଟକୁ ପକାଇ ଦେଲେ । ଏସ୍.ପି. ଫଟୋଟି ଦେଖି ଓ ସମ୍ବାଦଟି ପଢ଼ି ଭବାନୀବାବୁଙ୍କର ଫନ୍ଦି ବୁଝିପାରିଲେ । ପ୍ରଶଂସାମାନ ଦୃଷ୍ଟିରେ କିଛିକ୍ଷଣ ଏହି ବିଖ୍ୟାତ ଡିଟେକ୍ଟିଭ୍‍ଙ୍କୁ ପ୍ରତି ଚାହିଁ ରହି କହିଲେ–‘‘ତା’ ହେଲେ କ’ଣ ଏହି ମୃତ ଦେହଟି......”

 

–“ହଁ ସାର୍, ଏଇଟି ଅନ୍ୟ କାହାର ମୃତ ଦେହ । ସମ୍ଭବତଃ ଏହାର ସ୍ଵାଭାବିକ ମୃତ୍ୟୁ ହୋଇଛି । ବହୁବର୍ଷ ହେଲା ସ୍ଵଦେଶରେ ନ ଥିବା ହେତୁ ଓ ତାଙ୍କର ନିଜର ଆତ୍ମୀୟ କେହି ନଥିବା ହେତୁ ଡକ୍ଟର ଦାଶଙ୍କୁ ଏ ଦେଶର ବେଶି କେହି ଚିହ୍ନନ୍ତି ନାହିଁ । ତାଙ୍କୁ ଅପହରଣ କରି ତାଙ୍କ ସ୍ଥାନରେ ଗୋଟିଏ ମୃତ ଦେହ ରଖି ଦେଲେ, ବୈଜ୍ଞାନିକ ଯେ ମରି ଯାଇଛନ୍ତି ଏହା ସମସ୍ତେ ବିଶ୍ଵାସ କରିବେ । ଏହାହିଁ ଥିଲା ଆମର ରାଜନୈତିକ ଆତତାୟୀର ଉଦ୍ଦେଶ୍ୟ ।

 

ତିନି

 

ବାଲେଶ୍ଵର ରେଲ ଷ୍ଟେସନଠାରୁ ଆଠ ମାଇଲ ପକ୍‌କା ସଡ଼କରେ ଯାଇ ପୁଣି ଚାରିମାଇଲ ଦକ୍ଷିଣକୁ ଜଙ୍ଗଲ ଭିତରେ ଗଲେ ଗୋଟିଏ ପାହାଡ଼ ପଡ଼େ । ଏଇଟି ନୀଳଗିରିର ଜଙ୍ଗଲ ମଧ୍ୟରେ ଅବସ୍ଥିତ । ଏହି ମୌନୀ ପାହାଡ଼ର କନ୍ଦରରେ ଜଣେ ସାଧୁଙ୍କର ଆଶ୍ରମ ଅଛି । ସାଧୁଟି ଚଣ୍ଡି ସାଧକ ଓ ତାନ୍ତ୍ରିକ । ପୂର୍ବତନ ନୀଳଗିରି ଗଡ଼ଜାତର ରାଜା ଏହି ଆଶ୍ରମରେ କେତେଖଣ୍ଡ ପକ୍‌କା ଘର କରାଇ ଦେଇଥିଲେ । ଅତିଶୟ ଛାୟା ଶୀତଳ ନିଘଞ୍ଚ ଜଙ୍ଗଲ ଭିତରେ ଏହି ଆଶ୍ରମଟି ଅବସ୍ଥିତ । ସାନ ସାନ କେତୋଟି ସାନ୍ତାଳ ବସ୍ତି ଛଡ଼ା ଆଖପାଖରେ କୌଣସି ସଭ୍ୟ ଜନପଦ ନାହିଁ-। ଏହି ମୌନୀ ପାହାଡ଼ରେ ଆଶ୍ରମଟି ଅବସ୍ଥିତ ବୋଲି ସମସ୍ତେ ସାଧୁଙ୍କୁ ମୌନୀବାବା ବୋଲି ଡାକନ୍ତି; କିନ୍ତୁ ପ୍ରକୃତରେ ସାଧୁ ମୌନବ୍ରତୀ ନୁହନ୍ତି ।

 

ମୌନୀବାବା ଅତ୍ୟନ୍ତ ବୃଦ୍ଧ । ବୟସ ଅନ୍ଦାଜ ଅଶୀବର୍ଷ । ସାଗର ବୋଲି ଗୋଟିଏ ଆଦିବାସୀ ଚେଲା ସାଧୁଙ୍କ ଆଶ୍ରମରେ ଥାଏ । କେତେବର୍ଷ ପୂର୍ବେ ଯେ ଏହି ସଂସାର ତ୍ୟାଗୀ ବୈରାଗୀ ଆସି ପ୍ରଥମେ ଏଠାରେ ଆଶ୍ରମ ସ୍ଥାପନ କରିଥିଲେ ତା’ର କୌଣସି ଇତିହାସ ନାହିଁ, କିନ୍ତୁ ସ୍ଥାନୀୟ ଆଦିବାସୀମାନଙ୍କ ମଧ୍ୟରେ ମୌନୀବାବାଙ୍କର ଅଲୌକିକ ଶକ୍ତି ବିଷୟରେ ଅନେକ ଗଳ୍ପ ଶୁଣିବାକୁ ମିଳେ । ଅମାବାସ୍ୟା ରାତିରେ ସାଧୁ ଆଶ୍ରମରୁ ବାହାରି ଗୋଟିଏ ଭୀଷଣକାୟ ବାଘ ଉପରେ ବସି ମହାଶ୍ମଶାନକୁ ଯା’ନ୍ତି । ଶ୍ମଶାନଚାରୀ ପ୍ରେତମାନେ ହାଡ଼ ବଜାଇ ସାଧୁଙ୍କର ଚାରିପଟେ ନୃତ୍ୟ କରନ୍ତି । ତାଳ ବେତାଳ ଆଦେଶ ପାଇଁ ହାତଯୋଡ଼ି ଛିଡ଼ା ହୋଇଥାନ୍ତି । ମଲାମଣିଷ ବଞ୍ଚାଇ ଦେଇ ପାରନ୍ତି । ଏଇ ଯେଉଁ ସାଗର କନ୍ଧ ସାଧୁଙ୍କର ଚେଲା ହୋଇ ଆଶ୍ରମରେ ରହିଛି, କିଛିବର୍ଷ ପୂର୍ବେ ସେ ହଇଜାରେ ମରି ଯାଇଥିଲା । ତା’କୁ ଗାଁ ବାଲା ମଶାଣିରେ ପକାଇ ଦେଇ ଆସିଥିଲେ । ସେଦିନ ଭାଗ୍ୟକୁ ଅମାବାସ୍ୟା ଥିଲା ଓ ସାଧୁ ବାଘ ଉପରେ ଚଢ଼ି ମଶାଣୀକୁ ଆସିଥିଲେ । ସାଗରର ମୁର୍ଦ୍ଦାରକୁ ବିଲୁଆ ଶାଗୁଆ ଖଣ୍ଡିଆ ଖାବରା କରିପକାଇଥିଲେ । କ’ଣ ମନ ହେଲା କେଜାଣି ସାଧୁ କମଣ୍ଡଳୁରୁ ପାଣି ନେଇ ମୁର୍ଦ୍ଦାର ଉପରେ ପକେଇ ଦେଲେ–ଆଉ ସେ ସାଙ୍ଗେ ସାଙ୍ଗେ ବଞ୍ଚିଉଠିଲା । ସେହି ଦିନଠାରୁ ସେ ଆଶ୍ରମରେ ରହିଛି ।

 

ଏହିପରି ଯେଉଁ ଅଲୌକିକ ଶକ୍ତିସମ୍ପନ୍ନ ମୃତ୍ୟୁଞ୍ଜୟୀ ସନ୍ନ୍ୟାସୀ–ତାଙ୍କରି ଆଶ୍ରମରେ ସେଦିନ ଗଭୀର ରାତ୍ରରେ କେତୋଟି ଅବାଞ୍ଛିତ ଅତିଥିଙ୍କର ସମାଗମ ହେଲା । ଚଣ୍ଡିଙ୍କ ନିକଟରେ ବୃଦ୍ଧ ସନ୍ନ୍ୟାସୀ ବସି ଧ୍ୟାନମଗ୍ନ । ସମ୍ମୁଖରେ ଚଣ୍ଡିମୂର୍ତ୍ତି । ମିଟି ମିଟି ହୋଇ ଗୋଟିଏ ପ୍ରଦୀପ ଜଳୁଛି-। ହଠାତ୍ ଗୋଟାଏ ଅସ୍ଵାଭାବିକ ଶବ୍ଦରେ ସନ୍ନ୍ୟାସୀଙ୍କର ଧ୍ୟାନଭଙ୍ଗ ହେଲା । ଦୁଆରକୁ ଚାହିଁ ସାଧୁ ଦେଖିଲେ ସର୍ବାଙ୍ଗରେ କଳା ପୋଷାକ ପିନ୍ଧି ଗୋଟିଏ ଦୀର୍ଘମୂର୍ତ୍ତି ଛିଡ଼ା ହୋଇଛି । ହୃଷ୍ଟପୃଷ୍ଟ ବଳିଷ୍ଠ ଚେହେରା । ଦେଖିଲେ ପଲଟଣ ଅଫିସର ପରି ମନେହୁଏ ।

 

ସାଧୁଙ୍କ ଆଡ଼େ ଚାହିଁ ଆଗନ୍ତୁକ ସାମାନ୍ୟ ହସିଲା, ତା’ପରେ କହିଲା–‘ପ୍ରଣାମ ସାଧୁ ମହାରଜ ! ଏତେ ରାତିରେ ଆଶ୍ରମରେ ଅତିଥି ସମାଗମ ଦେଖି ଆପଣ ନିଶ୍ଚୟ କୁଣ୍ଠତ ହେଉଥିବେ; ସେଥିପାଇଁ ମୁଁ ଦୁଃଖିତ । ଆଜି ଯେଉଁମାନଙ୍କର ଶୁଭାଗମନରେ ଆପଣଙ୍କର ଏହି ଅନୁଷ୍ଠାନଟି ସମ୍ମାନିତ ହୋଇଛି ସେମାନେ ସାଧାରଣ ଲୋକ ନୁହନ୍ତି । ଆମେମାନେ ସମସ୍ତେ ସାଧୁ ସଜ୍ଜନ ବ୍ୟକ୍ତି । ଲୋକଲୋଚନ ଅଗୋଚରରେ ଆପଣଙ୍କର ଏହି ନିର୍ଜନ ଆଶ୍ରମଟି ଆମମାନଙ୍କର ତପସ୍ୟା ପକ୍ଷରେ ଅତିଶୟ ମନୋରମ ସ୍ଥାନ ହେବ ବୋଲି ମୋର ବିଶ୍ଵାସ । ହଁ ଆମେମାନେ ମଧ୍ୟ ତପସ୍ଵୀ । ତେବେ ସେ ତପସ୍ୟାର ମାର୍ଗ ଆପଣଙ୍କଠାରୁ ସ୍ଵତନ୍ତ୍ର । ମୁଁ ଠିକ୍‌ କରିଛି ଯେ ଏହି ଆଶ୍ରମଟିର ରକ୍ଷଣାବେକ୍ଷଣ ଓ ଅଧିକାର ମୋ ଉପରେ ନ୍ୟସ୍ତ କରି ଆପଣ ପ୍ରୟାଣ କରନ୍ତୁ । ଅର୍ଥାତ୍ ଏକାବେଳେକେ ମହାପ୍ରୟାଣ । ଜୀବନ ସାରା ସଂସାରର କୌଣସି ସୁଖ ଉପଭୋଗ କରିପାରିଲେ ନାହିଁ । ଦିବ୍ୟ ଲୋକକୁ ଯାଇ ସ୍ଵର୍ଗ ଅପ୍‌ସରୀମାନଙ୍କର ସଙ୍ଗେ ସୁଖ ଉପଭୋଗ କରନ୍ତୁ । ତା’ଛଡ଼ା ସାଧୁ ବ୍ୟକ୍ତି, ରୋଗ ବା ବ୍ୟାଧି ଭିତର ଦେଇ କଷ୍ଟ ଭୋଗି ଆପଣଙ୍କର ଦେହତ୍ୟାଗ କରିବା ଉଚିତ ନୁହେଁ । ସେଥିପାଇଁ ମଧ୍ୟ ବ୍ୟବସ୍ଥା ମୁଁ କରି ରଖିଛି । ମାତ୍ର ମୁହୂର୍ତ୍ତେ ଟିକିଏ ଅଗ୍ନିର ଝଲକ । ତା’ପରେ ଆପଣ ଦେଖିବେ–ଆପଣଙ୍କର ପବିତ୍ର ଆତ୍ମା ମହାଶୂନ୍ୟ ପଥରେ ଭଗବାନଙ୍କ ରାଜଧାନୀକୁ ରମାନା ହୋଇଛି । ଏହା କହି ଆଗନ୍ତୁକ ଗୋଟିଏ ରିଭଲ୍‌ଭର୍‌ ସାଧୁଙ୍କ ଛାତି ଉପରକୁ ଉଦ୍ୟମ କଲା ।

 

ସାଧୁ ନିର୍ବାକଭାବରେ ସବୁ ଶୁଣୁଥିଲେ । ଏବେ ସବୁ ସମ୍ୟକ ବୁଝି ପାରି ପ୍ରାଣଭୟରେ ଆର୍ତ୍ତନାଦ କରି ଉଠିଲେ; କିନ୍ତୁ ପର ମୁହୂର୍ତ୍ତରେ ଆଗନ୍ତୁକର ରିଭଲ୍‌ଭର୍‌ରୁ ଗୋଟିଏ ଗୁଳି ଯାଇ ସାଧୁଙ୍କର ବକ୍ଷ ଭେଦ କଲା । ବୃଦ୍ଧ ସନ୍ନ୍ୟାସୀ ରକ୍ତାକ୍ତ ଦେହରେ ଇଷ୍ଟ ଦେବୀ ଚଣ୍ଡୀଙ୍କ ଚରଣ ତଳେ ଲୋଟି ପଡ଼ିଲେ ।

 

...ହି...ହି...ହି...ହସି ହସି ଗୋଟିଏ ସୁନ୍ଦରୀ ତରୁଣୀ ଅନ୍ଧାର ଭିତରୁ ବାହାରି ଆସିଲା । ସାଧୁଙ୍କ ଆତତାୟୀର ପିଠିରେ ହାତମାରି କହିଲା–“ସାବାସ ମେଜର, ଚମତ୍କାର ତୁମର ଲକ୍ଷ୍ୟ । ସିସାଗୁଳିଟି ସାଧୁବାବାଙ୍କର ଫୁସ୍ ଫୁସ୍ ଭେଦ କରିଯାଇଛି । ମୋର କିନ୍ତୁ ବଡ଼ ଭୟ ଥିଲା । ଏହି ସବୁ ତାନ୍ତ୍ରିକଙ୍କର ଅଲୌକିକ କଥା ମୁଁ ଅନେକ ଶୁଣିଛି କି ନା ?”

 

ମେଜର ସାମାନ୍ୟ ହସି କହିଲେ–‘‘ତୁମ ଦେହରେ ଏପର୍ଯ୍ୟନ୍ତ ହିନ୍ଦୁ ରକ୍ତ ବୋହୁଛି କି ନା-? ସେଥିପାଇଁ କୁସଂସ୍କାରରୁ ଏପର୍ଯ୍ୟନ୍ତ ମୁକ୍ତ ହୋଇପାରିନାହଁ, ସେସବୁ କଥା ବର୍ତ୍ତମାନ ଥାଉ । ଅନେକ କାମ ବାକି ଅଛି । ସେମାନେ ସବୁ କୁଆଡ଼େ ଗଲେ ? ସାଧୁଜୀ ଚେଲାଟିର ଖବର କ’ଣ-?”

 

ଭୁବନ ମୋହିନୀ ହସି ହସି କହିଲା–“ଚେଲାଟି ଗୁରୁଙ୍କର କିଞ୍ଚିତ ଆଗରୁ ଲୋକାନ୍ତରକୁ ଗମନ କରିଛନ୍ତି । ପ୍ରସାଦ ଗଞ୍ଜିକା ସେବନ କରି ଚେଲା ଗଭୀର ନିଦରେ ଶୋଇଥିଲା । ହବିବ୍‌ର ଛୁରୀଟି ତା’ ଛାତିରେ ଆମୂଳ ପ୍ରବେଶ କରି ଚିରଦିନପାଇଁ ତାକୁ ଶୁଆଇ ଦେଇଛି । ରହମାନ ରେଡ଼ିଓ ଟେଲିଫୋନ୍‌ ଓ ଓୟାରଲେସ୍ ଲଗାଇବାରେ ବ୍ୟସ୍ତ, ଆଉ କର୍ଣ୍ଣେଲ ସାହେବ ନିଜେ ତୁମ ବୈଜ୍ଞାନିକଙ୍କ ତତ୍ତ୍ଵାବଧାନରେ ଅଛନ୍ତି, କିନ୍ତୁ ସବୁଠାରୁ ମୁସ୍କିଲ ହୋଇଛି ‘ହିପୋ’କୁ ନେଇ । ପନ୍ଦର ଖଣ୍ଡି ପାଉଁରୋଟି, ଦୁଇଟିଣ ମାଖନ ଓ ଦୁଇଟିଣ ମାଂସ ଖାଇ ମଧ୍ୟ ତା’ର ଭୋକ ଯାଉ ନାହିଁ । ମଝିରେ ମଝିରେ ଗର୍ଜନ କରୁଛି ।”

 

–“ଆଚ୍ଛା, ସେ ମୁସ୍କିଲର ଆସନ ମୁଁ କରିବି । ବର୍ତ୍ତମାନ ଏହି ଗୁରୁ ଓ ଚେଲାଙ୍କୁ କବରଦେବାକୁ ହେବ । ସରୁ ରକ୍ତ ପରିଷ୍କାର କରିବାକୁ ହେବ । ତା’ଛଡ଼ା ସ୍ଥାନଟିକୁ ଆମମାନଙ୍କର ବାସୋପଯୋଗୀ କରିବାକୁ ହେବ ।”

 

ଏହିପରି କଥାବାର୍ତ୍ତା ହେଉ ହେଉ ଜଣେ ବୃଦ୍ଧ ସେଠାରେ ପହଞ୍ଚିଲେ । ପୋଷାକ ପରିଚ୍ଛଦରେ ଅତ୍ୟନ୍ତ ଅଭିଜାତ ବଂଶଜ ବୋଲି ମନେହୁଏ । ବୃଦ୍ଧ ହେଲେ ମଧ୍ୟ ଦୀର୍ଘ ଦେହ ଓ ବଳିଷ୍ଠ । ବୃଦ୍ଧଙ୍କୁ ଦେଖି ତରୁଣୀ ଓ ମେଜର ସସମ୍ମାନରେ ଘୁଞ୍ଚି ଛିଡ଼ା ହେଲେ । ଏ ପୂର୍ବ କଥିତ କର୍ଣ୍ଣେଲ । କର୍ଣ୍ଣେଲ କିଛି ସମୟ ଗମ୍ଭୀର ଭାବରେ ଘର ଭିତରକୁ ଅନାଇ ରହିଲେ । ତା’ପରେ ତରୁଣୀକୁ ଚାହିଁ କହିଲେ-“ଜେଉନ୍ନିସା, ତୁମର ଆଉ କଷ୍ଟ କରିବା ପରି ସମୟନାହିଁ, ତୁମେ ଏହିକ୍ଷଣି କାର୍ ନେଇ ଚାଲିଯାଅ । ଗୋପାଳପୁରର ‘‘ପାମବିଚ’’ ହୋଟେଲରେ ତୁମର ଗୋଟିଏ ସିଟ୍ ରିଜର୍ଭ କରାହୋଇଛି । ଆମର କଲିକତା ଏଜେଣ୍ଟଠାରୁ ମୁଁ ଆଜି ରେଡ଼ିଓ ଟେଲିଫୋନରେ ଖବର ପାଇଛି ଆସନ୍ତା ଶନିବାର ଦିନ ମାନ୍ଦ୍ରାଜ ମେଲରେ ବୈଜ୍ଞାନିକ ବୋଷ ଗୋପାଳପୁରରେ ପହଞ୍ଚିବେ । “ମୁନ୍‌ଭିଉ” ହୋଟେଲରେ ତାଙ୍କ ରିଜର୍ଭେସନ ହୋଇଛି । ତାଙ୍କର ଆବିଷ୍କାରର ଫରମୁଲା ତାଙ୍କ ସଙ୍ଗରେ ଥିବ । ତୁମକୁ ଯାହା କରିବାକୁ ହେବ ନିଶ୍ଚୟ ତୁମେ ଜାଣ । ଆମର ହେଡ଼କ୍ଵାଟରରୁ ମଧ୍ୟ ସୁସମ୍ବାଦ ପାଇଛି । ସେଠାକାର ଉପଦେଶ ହେଉଛି ଯେ, ନରହତ୍ୟାରେ ଆପତ୍ତି ନ ଥିଲେ ମଧ୍ୟ, ଅକାରଣ ନରହତ୍ୟା କରିବାରେ ଆପଦ ଅଛି । ଅତଏବ ତୁମେ ରିଭଲ୍‌ଭର୍‌ ବ୍ୟବହାର ନ କରି ‘ଏଟୋମିକ୍ ପାରାଲାଇଜର’ (Atomic paraliser) ବ୍ୟବହାର କରିବ । ପ୍ରତିଦିନ ସଞ୍ଜ ଛ’ଟାବେଳେ ମୋ ସହିତ ରେଡ଼ିଓ ଟେଲିଫୋନରେ ସଂଯୋଗ ସ୍ଥାପନ କରିବ । ମନେରଖିବ ଆମର ସେଠାକାର ଏଜେଣ୍ଟ ଚିହ୍ନ ହେଉଛି ନାଲି ଗୋଲାପ ।”

 

ତରୁଣୀ ଜେଉନ୍ନିସା କହିଲା–“ହଁ କର୍ଣ୍ଣେଲ, ମୋର ସବୁ ଉପଦେଶ ମନେରହିବ ।” ଏହା କହି ତରୁଣୀ ସେଠାରୁ ବିଦାୟ ନେଲା ।

 

ତା’ପରେ କର୍ଣ୍ଣେଲ କହିଲେ–“ଦେଖ ମେଜର, ଏଇ ମୁର୍ଦ୍ଦାର ଦୁଇଟିର ବ୍ୟବସ୍ଥା ଅତିଶୀଘ୍ର କରିବାକୁ ହେବ । ତା’ପରେ ବୈଜ୍ଞାନିକଙ୍କର ରକ୍ଷଣାବେକ୍ଷଣ । ସକାଳ ପୂର୍ବରୁ ତାଙ୍କର ଜ୍ଞାନ ଫେରି ଆସିପାରେ । ତାଙ୍କ ଭାର କେବଳ ‘‘ହିପୋ” ଉପରେ ଛାଡ଼ି ଦେଲେ ହେବ ନାହିଁ । ସେଇଟା ଗୋଟିଏ ବନ୍ୟଜନ୍ତୁ ! ଯେତେ ଶିକ୍ଷିତ ହେଲେ ମଧ୍ୟ ଗୋଟାଏ ଗରିଲା ଉପରେ ଏଡ଼େବଡ଼ ଦାୟିତ୍ଵ ଛାଡ଼ିଦେବା ଉଚିତ ନୁହେଁ । ହବିବ୍‌କୁ ସେ ଭାର ଦିଅ, କିନ୍ତୁ ହବିବ୍‍ଟା ବଡ଼ ହିଂସ୍ର । ବୈଜ୍ଞାନିକଙ୍କ ଉପରେ ଯେପରି କୌଣସି ଅତ୍ୟାଚାର ନ ହୁଏ । ତାକୁ ସଂଯତ ରହିବାକୁ ଉପଦେଶ ଦେବ; କିନ୍ତୁ ସବୁଠାରୁ ବଡ଼କଥା ହେଉଛି, ଏହି ସାଧୁଙ୍କ ପରିବର୍ତ୍ତେ ଆମମାନଙ୍କ ଭିତରୁ ଜଣକୁ ସାଧୁ ହେବାକୁ ହେବ । ସେ ଭାର ମୁଁ ନିଜେ ନେବି ବୋଲି ଭାବିଛି । କାରଣ ମୋର ବିଶ୍ଵାସ ସ୍ଥାନଟି ଯେତେ ନିରୋଳା ଓ ନିର୍ଜନ ହେଲେ ମଧ୍ୟ କେହି କେହି ଭକ୍ତ ଏଠାକୁ ଆସନ୍ତି । ସାଧୁ ମୌନୀବାବାଙ୍କ ପରିବର୍ତ୍ତେ ଆଉଜଣେ ସାଧୁ ଦେଖିଲେ ତାଙ୍କୁ ବୁଝାଇ ହେବ ଯେ ମୌନୀବାବା ତୀର୍ଥ ପର୍ଯ୍ୟଟନରେ ଯାଇଛନ୍ତି । ତାଙ୍କର ଚେଲା ବର୍ତ୍ତମାନ ଏ ଗାଦିରେ ରହିଛନ୍ତି, କିନ୍ତୁ ସାଧୁଙ୍କ ପରିବର୍ତ୍ତେ ଯଦି ଗ୍ରାମବାସୀ ଆମମାନଙ୍କ ପରି ସନ୍ଥ ବ୍ୟକ୍ତିଙ୍କୁ ଏଠାରେ ଦେଖନ୍ତି ତେବେ ପରିଣାମ ମୋଟେ ଭଲ ହେବନାହିଁ ।”

 

ରାତି ଆଉ ବେଶି ନ ଥିଲା; କିନ୍ତୁ ତା’ରି ଉପରେ ସବୁ କାମ ସୁରୁଖୁରୁରେ ସରିଗଲା । ବାବାଜୀ ମୌନୀବାବା ଓ ତାଙ୍କର ଚେଲାଙ୍କର ଯଥାରୀତି କବର ଦିଆହେଲା । ସବୁ ରକ୍ତ ପରିଷ୍କାର କରାହେଲା । କର୍ଣ୍ଣେଲ ନିଜେ ଛଦ୍ମବେଶ ଧାରଣ କରି ଅବିକଳ ଜଣେ ବୃଦ୍ଧ ସାଧୁଙ୍କ ପରି ଦେଖାଗଲେ । ଅନ୍ୟାନ୍ୟ ଅନୁଚରମାନେ ମଧ୍ୟ ଛଦ୍ମବେଶ ଧାରଣ କଲେ ।

 

X X X X

 

ପରଦିନ ପ୍ରତ୍ୟୁଷରୁ ଦୁଇଟି ଆଦିବାସୀ ଓ ଗୋଟିଏ ରମଣୀ ମୌନୀବାବାଙ୍କ ଆଶ୍ରମକୁ ଆସି ଦେଖିଲେ ଯେ ଜଣେ ବୃଦ୍ଧ ପଶ୍ଚିମା ସାଧୁଦେବୀଙ୍କ ସିଂହାସନ ନିକଟରେ ଧ୍ୟାନ ମଗ୍ନ ହୋଇ ବସିଛନ୍ତି । ପ୍ରଶାନ୍ତ ସୌମ୍ୟ ମୂର୍ତ୍ତି । ଦୀର୍ଘ ଶ୍ମଶ୍ରୁ । ଦୀର୍ଘ ଜଟା ପ୍ରଶସ୍ତ ଲଲାଟରେ ରକ୍ତ ଚନ୍ଦନର ଚିତା-। ଦେଖିଲେ ଆପେ ଆପେ ମୁଣ୍ଡ ନଇଁ ଆସେ । ଆଦିବାସୀମାନେ ମୁଗ୍‍ଧ ଚିତ୍ତରେ ହାତଯୋଡ଼ି ଦୁଆର ମୁହଁରେ ଛିଡ଼ା ହୋଇ ରହିଲେ । କିଛିକ୍ଷଣ ପରେ ସାଧୁଙ୍କ ଧ୍ୟାନ ଭଙ୍ଗ ହେଲା । ସେ ଆଖି ମେଲାଇ ଚାହିଁଲେ, ଆଉ ସଙ୍ଗେ ସଙ୍ଗେ ତିନିଜଣଯାକ ଆଗନ୍ତୁକ ଲମ୍ବ ହୋଇ ଭୂଇଁରେ ପଡ଼ିଗଲେ-। ସାଧୁ ହାତଟେକି ସେମାନଙ୍କୁ ଆଶୀର୍ବାଦ କଲେ । ଜଣେ ଆଦିବାସୀ କହିଲା–“ମହାରାଜ, ଆମର ମୌନୀବାବା କାହାନ୍ତି ? ଆପଣ କେଉଁଠାରୁ ଏଠାକୁ ଆସିଲେ ।’’

 

ସାଧୁ ଟିକିଏ ହସିଲେ । ସ୍ନିଗ୍‌ଧ–ଭାବମୟ ହସ । ଗଦ୍‌ଗଦ୍ ଭାବରେ କହିଲେ–“ଏଇତ ତାଜ୍ଜବରେ ବେଟା । ଯାହାକୁ ଆମର ବୋଲି ଆମେ କହୁ, ସେ ଦିନେ ସମସ୍ତଙ୍କୁ ପରକରି ଚାଲିଯାଏ । ଆଉ ଯେ ଅଜଣା ଅଚିହ୍ନା ସେ ଆପଣାର ହୋଇ ଦେଖାଦିଏ ।”

 

ମୂର୍ଖ ଆଦିବାସୀମାନେ ସାଧୁଙ୍କର ଏ ଦାର୍ଶନିକ ଉକ୍ତି ବୁଝି ନ ପାରି ଖାଲି ଚାହିଁ ରହିଲେ-। ସାଧୁ ପୁଣି ଟିକିଏ ହସି କହିଲେ ‘‘ମୌନୀବାବା ଗୁରୁଙ୍କର ଆଦେଶ ପାଇ କାମାକ୍ଷା ଚାଲିଗଲେ, ମାସକ ପରେ ଫେରିବେ । ତାଙ୍କ ସ୍ଥାନରେ ମୋତେ ଗୁରୁଙ୍କ ଆଦେଶ ହୋଇଛି–ଏଠାରେ ରହି ଦେବୀଙ୍କର ସେବା କରିବି ?”

 

“କିନ୍ତୁ ମୌନୀବାବାତ ରାତି ପହରେ ପର୍ଯ୍ୟନ୍ତ ଏଠାରେ ଥିଲେ ? କାମାକ୍ଷା ଗଲେ କିପରି ?”

 

ପ୍ରଶାନ୍ତ ହସ ହସି ସାଧୁ କହିଲେ–‘‘ଆରେ ପାଗଳା ସାଧୁ ସନ୍ନ୍ୟାସୀଙ୍କ ପାଇଁ କ’ଣ ଗାଡ଼ି ଘୋଡ଼ା ଦରକାର ? ସେମାନେ ମନ ପବନରେ ଯା’ନ୍ତି । ତାଙ୍କ ବେତାଳ ଯେ ତାଙ୍କ କିଣାକିଙ୍କର-।”

 

ଆଦିବାସୀମାନେ ଭକ୍ତ ଗଦ୍‌ଗଦ ଚିତ୍ତରେ ଅଲୌକିକ ଶକ୍ତି ସମ୍ପନ୍ନ ମୌନୀବାବାଙ୍କ ଉଦ୍ଦେଶ୍ୟରେ ପ୍ରଣାମ କଲେ । ସାଧୁ କହିଲେ–‘‘ମୁଁ ବୁଝିପାରୁଛି ତୁମେମାନେ ପରମ ଭକ୍ତ, ଦେବୀ ତୁମମାନଙ୍କର ମଙ୍ଗଳ କରିବେ । ମୁଁ ପୁଣି ବୁଝିପାରିଛି ଯେ ଏହି ଝିଅଟିର ବାହାଘର ଏହି ପିଲାଟି ସହିତ ସ୍ଥିର ହୋଇଛି ।”

 

ସାଧୁଙ୍କର ଏପରି ଅଦ୍ଭୁତ ଶକ୍ତିର ପରିଚୟ ପାଇ ତିନିଜଣ ଯାକ ଆଦିବାସୀ ପ୍ରଥମେ ଆଶ୍ଚର୍ଯ୍ୟ ହେଲେ । ନିଶ୍ଚୟ ଏ ସାଧୁ ମୌନୀବାବାଙ୍କଠାରୁ ବଡ଼ । ସାଧୁ ସାମାନ୍ୟ ହସି ପୁଣି କହିଲେ–“ଭଗବତୀଙ୍କର କୃପାରୁ ତୁମମାନଙ୍କର କଲ୍ୟାଣ ହେବ, କିନ୍ତୁ ଦେବୀଙ୍କର ଗୋଟିଏ ଆଦେଶ ଅଛି । ଆଜିଠାରୁ ଏକୋଇଶ ଦିନ ପର୍ଯ୍ୟନ୍ତ ଏଠାକୁ କେହି ଆସିବେ ନାହିଁ । ଏଇ ସମୟ ଭିତରେ ଦେବୀ ଜାଗ୍ରତ ରହିବେ, ଯଦି କୌଣସି ଲୋକ ଏଠାକୁ ଆସେ ତେବେ ତା’ର ଅପଘାତ ମୃତ୍ୟୁ ହେବ । ଦେବୀଙ୍କର ଏହି ଆଦେଶ ସମସ୍ତଙ୍କୁ ଶୁଣାଇ ଦେବ, ବର୍ତ୍ତମାନ ତୁମେମାନେ ଯାଅ ।”

 

ଆଦିବାସୀମାନେ ଚାଲିଯିବା ସଙ୍ଗେ ସଙ୍ଗେ ହବିବ୍ ଆସି ସାଧୁଙ୍କୁ ଅଭିବାଦନ କଲା । ତା’ର ବିଚିତ୍ର ବେଶ । ମଣ୍ଡିତ ଶିର, ବେକରେ ରୁଦ୍ରାକ୍ଷ ମାଳି । କୌପୀନ ପରିଧାନ କରି ନରହନ୍ତା ହବିବ୍‌ର ରୂପ ଗୋଟିଏ ତପୋବନଚାରୀ ଆଶ୍ରମ ସେବକ ପରି ହୋଇଯାଇଛି । ସାଧୁଙ୍କୁ କହିଲା–“କର୍ଣ୍ଣେଲ, ବୈଜ୍ଞାନିକ ଦାଶଙ୍କର ସଂଜ୍ଞା ହୋଇଛି । ତାଙ୍କୁ ଟିକିଏ ଗରମ ଦୁଧ ଖାଇବାକୁ ଦେଇଥିଲି । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ବୋଲି ମନେହୁଏ ।’’

 

ଚାରି

 

ପ୍ରଭାତ ହେବା ସଙ୍ଗେ ସଙ୍ଗେ ବୈଜ୍ଞାନିକ ଦାଶଙ୍କର ଜ୍ଞାନ ଫେରିଆସିଲା । ପ୍ରଥମେ ତାଙ୍କର କୌଣସି ପୂର୍ବକଥା ମନେପଡ଼ିଲା ନାହିଁ । ତୀବ୍ର କ୍ଲୋରଫର୍ମର ପକ୍ରିୟାରେ ସ୍ମୃତିଶକ୍ତି ତାଙ୍କର ଅତି କ୍ଷୀଣ ହୋଇଯାଇଛି । ବୈଜ୍ଞାନିକ ତାହା ବୁଝିପାରିଲେ ଓ ପ୍ରବଳ ମାନସିକ ଶକ୍ତିରେ ନିଜର ସ୍ମୃତିକୋଷଗୁଡ଼ିକୁ ଉଜ୍ଜୀବୀତ କଲେ । ଧୀରେ ଧୀରେ ତାଙ୍କର ସବୁ ମନେପଡ଼ିଲା । ଚଳନ୍ତା ଏକ୍‌ସପ୍ରେସ ଗାଡ଼ିରୁ ତାଙ୍କୁ ଅଜ୍ଞାନ କରାଇ ଏଠାକୁ ଅଣା ହୋଇଛି; କିନ୍ତୁ ଆତତାୟୀମାନଙ୍କର ଉଦ୍ଦେଶ୍ୟ କ’ଣ ? ଏଇଟା କେଉଁ ସ୍ଥାନ ? ନିଜର ପକେଟରେ ହାତ ଦେଇ ଦେଖିଲେ ସବୁ ଠିକ୍‍ ଅଛି । କେତେଶହ ଟଙ୍କାର ନୋଟ୍‍ ଓ ଆହୁରି କେତେଗୁଡ଼ିଏ ଜିନିଷ, ସେ ସବୁ କିଛି ଅପହୃତ ହୋଇନାହିଁ । ତେବେ ଆତତାୟୀମାନଙ୍କର ଉଦ୍ଦେଶ୍ୟ କ’ଣ ?

 

ଟ୍ରାଉଜର ପକେଟରେ ହାତ ଦେଇ ଦେଖିଲେ, ଗୋଟିଏ ସାନ ବାକ୍‌ସ ଅଛି । ବୈଜ୍ଞାନିକଙ୍କର ମୁଖ ଉଜ୍ଜ୍ଵଳ ହୋଇଉଠିଲା । ଏହା ଗୋଟିଏ ଆଧୁନିକ ଆଣବିକ ଶକ୍ତି ସମ୍ପନ୍ନ ରେଡ଼ିଓ ତାଙ୍କୁ ସାହାଯ୍ୟ କରିପାରେ; କିନ୍ତୁ କିପରି ସେ ଖବର ପଠାଇବେ । ସେ ବର୍ତ୍ତମାନ କେଉଁଠାରେ ଅଛନ୍ତି ଏହା ଧାରଣା କରିବା ତାଙ୍କ ପକ୍ଷରେ ଅସମ୍ଭବ ।

 

ଏହି ସମୟରେ ଘରର କବାଟ ଖୋଲି ହବିବ୍ ତାଙ୍କ ନିକଟରେ ଉପସ୍ଥିତ ହେଲା । ହବିବ୍‌ର ପୂର୍ବୋକ୍ତ ବିଚିତ୍ର ରୂପ ଦେଖି ବୈଜ୍ଞାନିକ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ । ହବିବ୍ ଗୋଟିଏ ଗିଲାସରେ ସାମାନ୍ୟ ଗରମ ଦୁଧ ଆଣି ଖାଣ୍ଟି ଇଂରାଜୀରେ କହିଲା–“ଏହି ଦୁଧ ଟିକକ ଖାଇ ଦିଅନ୍ତୁ, ଦେହରେ ବଳ ହେବ ।”

 

ହବିବ୍‌ର ଚେହେରା ଦେଖି ବୈଜ୍ଞାନିକ ଆଶ୍ଚର୍ଯ୍ୟ ହୋଇଥିଲେ । ତା’ ମୁହଁରୁ ନିର୍ଦ୍ଦୋଷ ଇଂରାଜୀ ଶୁଣି ସେ ଆହୁରି ଆଶ୍ଚର୍ଯ୍ୟ ହେଲେ । କିଛିକ୍ଷଣ ସେ ନିର୍ବାକ ଭାବରେ ଚାହିଁ ରହିଲେ । ତା’ପରେ କ’ଣ ଭାବି ହବିବ୍ ହାତରୁ ଦୁଧ ଗିଲାସଟି ନେଇ ଏକା ନିଶ୍ଵାସକେ ପିଇଦେଲେ । ହବିବ୍ ଗିଲାସଟି ନେଇ ବାହାରେ ଶିକୁଳି ଦେଇ ବାହାରି ଗଲା । ଏହି ଅବସରରେ ଡକ୍ଟର ଦାଶ ପକେଟରୁ ଟ୍ରାନ୍‌ସମିଟରଟି କାଢ଼ି ନିଜେ ମୁଣ୍ଡ ତଳେ ଶୋଇଥିବା ତକିଆର ଗୋଟିଏ ଅଂଶ ଚିରି ତା’ ଭିତରେ ପୂରାଇ ଦେଲେ । କିଛିକ୍ଷଣ ପରେ ଗୋଟିଏ ବିଚିତ୍ର ଶବ୍ଦ ତାଙ୍କ କର୍ଣ୍ଣଗୋଚର ହେଲା । ଉତ୍‌କୀର୍ଣ୍ଣ ହୋଇ ବୈଜ୍ଞାନିକ କିଛିକ୍ଷଣ ଶୁଣିଲେ । ତା’ପରେ ଜାଣିପାରିଲେ ଯେ ଶବ୍ଦଟି ପାଖ ଘରୁ ଆସୁଛି । ଅଭିଜ୍ଞ ବୈଜ୍ଞାନିକ ଅନାୟାସରେ ବୁଝିପାରିଲେ ଯେ ପାଖ କୋଠରୀ ବେତାର ଯନ୍ତ୍ର ବସିଛି ।

 

ପାରିପାର୍ଶ୍ଵିକ ଘଟଣାବଳୀରୁ ଡକ୍ଟର ଦାଶ ଅବସ୍ଥାଟା କିଛି କିଛି ବୁଝିପାରିଲେ । ସେ ଅନୁଭବ କରିପାରିଲେ ଯେ ସେ ବର୍ତ୍ତମାନ ଶତ୍ରୁ କବଳରେ । ସେମାନେ ତାଙ୍କର ବ୍ୟକ୍ତିଗତ ଶତ୍ରୁ ନୁହନ୍ତି । ସେମାନେ ରାଷ୍ଟ୍ରର ଶତ୍ରୁ; କିନ୍ତୁ ତାଙ୍କୁ କ’ଣ ହତ୍ୟା କରିବା ସେମାନଙ୍କର ଉଦ୍ଦେଶ୍ୟ । ଯଦି ସେପରି ଉଦ୍ଦେଶ୍ୟ ଥାନ୍ତା’ ତାଙ୍କୁ ଏ ପର୍ଯ୍ୟନ୍ତ ବଞ୍ଚାଇ ରଖିଥାନ୍ତେ କାହିଁକି ? ସେ ବର୍ତ୍ତମାନ କେଉଁଠାରେ ? ଭାରତବର୍ଷରେ ନା ଅନ୍ୟ କୌଣସି ଦେଶରେ । ହାତରେ ତାଙ୍କର ଗୋଟିଏ କ୍ୟାଲେଣ୍ଡର ରିଷ୍ଟୱାଚ ଥିଲା । ତାକୁ ଅନାଇ ସେ ଜାଣିପାରିଲେ ଯେ ଆଜି କୋଡ଼ିଏ ତାରିଖ । ଗତକାଲି ସଞ୍ଜବେଳେ ସେ ପୁରୀ ଏକ୍‌ସପ୍ରେସରେ ବସିଥିଲେ । ତା’ଛଡ଼ା ରାତି ବାରଟା ପର୍ଯ୍ୟନ୍ତ ସେ ଚେଇଁଥିଲେ । ରାତି ବାରଟାଠାରୁ ସକାଳ ସାତଟା–ଏହି ସାତଘଣ୍ଟା ଭିତରେ ତାଙ୍କୁ କ’ଣ ଭାରତବର୍ଷର ବାହାରକୁ ନିଆ ହୋଇଛି ? ଅବଶ୍ୟ ଏକାବେଳକେ ଅସମ୍ଭବ ନୁହେଁ ।

 

ତା’ପରେ ହଠାତ୍ ଗୋଟିଏ କଥା ମନେପଡ଼ିବାରୁ ସେ ମନେ ମନେ ହସିଲେ । ନା’, ସେ ନିଶ୍ଚୟ ଏ ପର୍ଯ୍ୟନ୍ତ ଭାରତବର୍ଷ ମଧ୍ୟରେ ଅଛନ୍ତି । ତା’ ନ ହୋଇଥିଲେ ଆତତାୟୀମାନେ ହିନ୍ଦୁ ସନ୍ନ୍ୟାସୀର ଛଦ୍ମବେଶ ଧରି ନ ଥାନ୍ତେ । ମନରେ ତାଙ୍କର ଭରସା ହେଲା । ହୁଏତ ସେ ମୁକ୍ତିଲାଭ କରିପାରନ୍ତି । ଭାରତବର୍ଷ ଶକ୍ତିଶାଳୀ ରାଷ୍ଟ୍ର । ଏଠାକା ଇନଟେଲିଜେନ୍‌ସ ଓ ସିକ୍ରେଟ୍ ସର୍ଭିସ ବିଶ୍ଵବିଖ୍ୟାତ । ନିଶ୍ଚୟ ସେମାନେ ତାଙ୍କର ସନ୍ଧାନ ପାଇବେ ଓ ତାଙ୍କୁ ଏ ନର୍କରୁ ଉଦ୍ଧାର କରିବେ ।

 

ଡକ୍ଟର ଦାଶ ନିଜର ବନ୍ଦୀଶାଳାଟିକୁ ଭଲକରି ଚାହିଁ ଦେଖିଲେ, ପଥର ତିଆରି ମଜଭୁତ ଗୋଟିଏ କୋଠରୀ । ଗୋଟା କାଠର କବାଟ ଥାଇ ଗୋଟିଏ ମାତ୍ର ଦୁଆର । ନିଶ୍ଚୟ ବାହାରେ ସଶସ୍ତ୍ର ପ୍ରହରୀ ଜଗି ରହିଥିବେ । ସେ ବାଟ ଦେଇ ମୁକ୍ତିର ଆଶା ନାହିଁ । ତା’ଛଡ଼ା ଗୋଟିଏ ମାତ୍ର ସାନ ଝରକା, ସେଥିରେ ମଧ୍ୟ ମୋଟା ପଟା କବାଟ ଲାଗିଛି ଓ ମଜଭୁତ ଲୁହା ରେଲିଂ ଲଗା ହୋଇଛି । ସେ ବାଟେ ମଧ୍ୟ ମୁକ୍ତିର ଆଶା ସୁଦୂର ପରାହତ । ବାହ୍ୟତଃ ମୁକ୍ତିର କୌଣସି ଉପାୟ ନ ଦେଖିଲେ ମଧ୍ୟ ଆଶାବାଦୀ ବୈଜ୍ଞାନିକ ଅଜଣା ଭବିଷ୍ୟତ ଉପରେ ନିର୍ଭର କରି ନିଜ ବିଛଣା ଉପରେ ନୀରବରେ ପଡ଼ିରହିଲେ ।

 

କିଛିକ୍ଷଣ ପରେ ଦୁଆର ଖୋଲି ସେ ଘରେ ପ୍ରବେଶକଲେ ଜଣେ ଦୀର୍ଘ ଦେହ ଜଟାଜୁଟଧାରୀ ବୃଦ୍ଧ ସାଧୁ ଓ ଗୋଟିଏ ଭୀଷଣ ଦର୍ଶନ ଗରିଲା । କୌଣସି ଭୂମିକା ନ କରି ସାଧୁ ପରିଷ୍କାର ଇଂରାଜୀରେ କହିଲେ–“ସୁପ୍ରଭାତ ଡକ୍ଟର ଦାଶ । ଆଶାକରେ ଆପଣଙ୍କ ସ୍ଵାସ୍ଥ୍ୟ ଭଲଅଛି-। ମୁଁ ପ୍ରଥମେ ଆପଣଙ୍କୁ ଜଣାଇଦେବାକୁ ଚାହେଁ ଯେ ଏଇଟା ମୋର ଛଦ୍ମବେଶ । କୌଣସି ବିଶେଷ କାରଣରୁ ଏପରି ଛଦ୍ମବେଶ ଧରିବାକୁ ମୁଁ ବାଧ୍ୟ ହୋଇଛି । ଆପଣଙ୍କ ପରି ଗୁଣୀ ଓ ମହତ୍‌ ଲୋକଙ୍କୁ ଠକାଇବା ଉଦ୍ଦେଶ୍ୟରେ ନୁହେଁ ।’’

 

ବୈଜ୍ଞାନିକଙ୍କ ଜଡ଼ିତ ଓଷ୍ଠ ଧାରରେ ଟିକିଏ ବ୍ୟଙ୍ଗର ହସ ଫୁଟି ଉଠିଲା । କିଛିକ୍ଷଣ ଆଗନ୍ତୁକଙ୍କ ଆଡ଼େ ଚାହିଁ ରହି ଧୀରେ ଧୀରେ କହିଲେ–“ମୁଁ ସବୁ ବୁଝିପାରିଛି, ଆପଣ ଯେ ଧରା ପଡ଼ିବା ଭୟରେ ଏପରି ଅଦ୍ଭୁତ ଛଦ୍ମବେଶ ଧରିଛନ୍ତି–ଏହା ମୋତେ ଅଜଣା ନାହିଁ; କିନ୍ତୁ ଆପଣମାନେ ମୋତେ ଧରିଆଣିଛନ୍ତି କାହିଁକି ? ମୋତେ କ’ଣ ହତ୍ୟା କରିବା ଆପଣଙ୍କର ଉଦ୍ଦେଶ୍ୟ ।”

 

–“ଆପଣ ମୃତ୍ୟୁ ଭୟରେ କାତର ହୁଅନ୍ତୁ ନାହିଁ । ଆପଣଙ୍କୁ ହତ୍ୟା କରିବା ଆମର ଉଦ୍ଦେଶ୍ୟ ନୁହେଁ । ଆପଣ ଶତ୍ରୁ ନୁହନ୍ତି । ଆପଣଙ୍କୁ ଆମର ରାଷ୍ଟ୍ରର ପରମ ମିତ୍ର ଭାବରେ ଆମେ ପାଇବାକୁ ଆଶାକରୁ ।”

 

ଡକ୍ଟର ଦାଶ କହିଲେ–“ମୃତ୍ୟୁ ଭୟରେ ମୁଁ କାତର ନୁହେଁ । ଆପଣମାନେ ମୃତ୍ୟୁ ଭୟରେ କାତର ହୋଇଛନ୍ତି । ତା’ର ପ୍ରମାଣ, ଆପଣମାନେ ଆତ୍ମପ୍ରକାଶ କରିବାକୁ ଭୟକରି ଏପରି ଛଦ୍ମବେଶ ଧରି ରହିଛନ୍ତି ।’’

 

ସାମାନ୍ୟ ହସି କର୍ଣ୍ଣେଲ କହିଲେ–“ଏହା ଭୟ ନୁହେଁ, ଏହା ସାବଧାନତା ! ସେ ଯାହାହେଉ, ମୋର ବକ୍ତବ୍ୟ ଆପଣଙ୍କୁ ଜଣାଇବାକୁ ଚାହେଁ ।” ଆପଣ ନିଶ୍ଚୟ ଜାଣିପାରିଥିବେ ଯେ ଆମ୍ଭେମାନେ ଭାରତୀୟ ନୋହୁଁ । ଆମ୍ଭେମାନେ ଅନ୍ୟ ଗୋଟିଏ ରାଷ୍ଟ୍ରର ଏଜେଣ୍ଟ । ଆମ୍ଭେମାନେ ଆପଣଙ୍କୁ ଆମ ଦେଶର ସ୍ଥାୟୀ ବାସିନ୍ଦାରୂପେ ଚାହୁଁ । ଏ ଯୁଗର ଆପଣ ଶ୍ରେଷ୍ଠ ବୈଜ୍ଞାନିକ । ଆପଣଙ୍କ ଆବିଷ୍କାର ଫଳରେ ଆମ୍ଭେମାନେ ବିଶ୍ଵବିଜ୍ଞାନର ଦରବାରରେ ମୁଣ୍ଡ ଟେକିବାକୁ ଚାହୁଁ ।

 

ଯାହା ବୁଝିବାକୁ ଏ ପର୍ଯ୍ୟନ୍ତ ବାକିଥିଲା, ତାହା ମଧ୍ୟ ବୈଜ୍ଞାନିକଙ୍କ ନିକଟରେ ପରିଷ୍କାର ହୋଇଗଲା । ଗୋଟାଏ କ୍ରୋଧରେ ତାଙ୍କର ସର୍ବାଙ୍ଗ ଥରି ଉଠିଲା । ସେ କହିଲେ–“ମୁଁ ବର୍ତ୍ତମାନ ସବୁ ବୁଝିପାରିଲି । ମାତ୍ର ମୁଁ ଯଦି ଆପଣଙ୍କ ପ୍ରସ୍ତାବରେ ରାଜି ନ ହୁଏ ?”

 

“ତେବେ ଭାରତବର୍ଷ ମଧ୍ୟ ଆପଣଙ୍କୁ ପାଇବ ନାହିଁ । ଅଶେଷ ଯନ୍ତ୍ରଣା ଦେଇ ଆପଣଙ୍କୁ ଆମେ ହତ୍ୟା କରିବୁଁ ।”

 

ବୈଜ୍ଞାନିକ କହିଲେ–“ଆପଣଙ୍କର ସରଳ ଉକ୍ତିରେ ମୁଁ ଯଥାର୍ଥ ଆନନ୍ଦିତ ହେଲି । ଏହାଠାରୁ ମହତ୍ତ୍ୱର ବ୍ୟବସ୍ଥା ଯେ ଆପଣମାନଙ୍କଦ୍ଵାରା ସମ୍ଭବ ନୁହେଁ ତା’ ମୁଁ ପୂର୍ବରୁ ଶୁଣିଛି ।”

 

–“ଆପଣ ଭୁଲ ଶୁଣିଛନ୍ତି ଡକ୍ଟର ଦାଶ,’’ କର୍ଣ୍ଣେଲ ଉତ୍ତେଜିତ ହୋଇ କହିଲେ । ‘‘ଭାରତବର୍ଷ ଆମର ମୂଳ ଦେଶ । ଠିକ୍ ଗୋଟିଏ ଗଛର ଗଣ୍ଡିପରି । ଯେପରି ଗୋଟିଏ ବଡ଼ ଗଛର ଡାଳ ସେହି ଗଛର ଗଣ୍ଡିରୁ ରସ ନେଇ ବଞ୍ଚେ, ଆମ୍ଭେମାନେ ବଞ୍ଚି ରହିବା ପାଇଁ ସେହି ଦାବି ମାତ୍ର କରିଆସିଛୁ; କିନ୍ତୁ ସେତକ ସହାନୁଭୂତି ମଧ୍ୟ ଆମ୍ଭେମାନେ ପାଇନାହୁଁ । ଜ୍ଞାନରେ, ଗାରିମାରେ, ଶକ୍ତିରେ ସମ୍ପଦରେ ଭାରତବର୍ଷ ସମଗ୍ର ପୃଥିବୀକୁ ନେତୃତ୍ତ୍ୱ ଦେବାକୁ ବସିଛି । ସେହି ମହାମହୀରୁହର କାଣ୍ଡ ହିସାବରେ ଆମର ମଧ୍ୟ ସ୍ଫୀତ ହୋଇ ଉଠିବାର ଆଶା ଏକାନ୍ତ ଅସଙ୍ଗତ ନୁହେଁ । ଯେଉଁ ସୁବିଧା ଆମର ଦାବି, ତାହା ଯଦି ଆମେ ନ ପାଉ, ତେବେ ବାହୁବଳରେ ତାହା ଛଡ଼ାଇ ନେବୁ । ଆପଣ ବୈଜ୍ଞାନିକ, ବିଜ୍ଞାନ କୌଣସି ଦେଶର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ । ଆପଣଙ୍କୁ ଆମର ଏକାନ୍ତ ପ୍ରୟୋଜନ ।

 

ଡକ୍ଟର ଦାଶ କହିଲେ–“ମୁଁ ରାଜନୀତିକ ନୁହେଁ । ସୁତରାଂ ଏହି ପନ୍ଥାଧରି ଆପଣମାନେ କିପରି ଉନ୍ନତି କରିବେ ମୁଁ ବୁଝିପାରୁ ନାହିଁ । ଯଦି ଭାରତବର୍ଷର କୌଣସି ଜଣେ ବ୍ୟକ୍ତି ବିଜ୍ଞାନରେ କୌଣସି ବିକାଶ ଲାଭ କରିଥାଏ ତା’ର ଆବିଷ୍କାରର ଫଳକୁ ଅନ୍ୟ ଗୋଟିଏ ରାଷ୍ଟ୍ରର ନାମରେ ଚଳାଇବା କିପରି ନୈତିକତା ତା’ ମୁଁ ବୁଝିପାରୁ ନାହିଁ । ମୋର ବିଶ୍ଵାସ, ନୀତି ନ ଥିଲେ ରାଜନୀତି ଚଳିବ ନାହିଁ ।”

 

–“ଖୁବ୍ ଚଳେ ଡକ୍ଟର । ପୃଥିବୀର ଅଲେଖା ଇତିହାସରେ ଏପରି ଦୃଷ୍ଟାନ୍ତ ବିରଳ ନୁହେଁ-। ଏ ଯୁଗର ସର୍ବଶ୍ରେଷ୍ଠ ଆବିଷ୍କାର ଏହି ଯେ ଆଣବିକ ଶକ୍ତି ଏହାକୁ କେଉଁ ରାଷ୍ଟ୍ର ଆବିଷ୍କାର କରିଥିଲା । ଆଉ ବର୍ତ୍ତମାନ କାହା ନାମରେ ଏହା ଚଳୁଛି !!

 

ଏ ଯୁଗରେ ବ୍ୟକ୍ତିଗତ ବିକାଶର ସ୍ଥାନ ନାହିଁ । ବୈଜ୍ଞାନିକର ଆବିଷ୍କାର ଆଜିକାଲି ରାଷ୍ଟ୍ରୀୟ ସମ୍ପତ୍ତି । ଯାହା ଆମର ନାହିଁ–ଅଥଚ ଗୋଟାଏ ସ୍ଵାଧୀନ ଜାତି ହିସାବରେ ଆମେ ଯାହା ପାଇବାକୁ ହକ୍‌ଦାର ତାହା ବଳପୂର୍ବକ ଅପହରଣ କରିବାଟା ଏ କାଳର ନୀତି ଶାସ୍ତ୍ରରେ ଅନ୍ୟାୟ ନୁହେଁ ।”

 

କର୍ଣ୍ଣେଲଙ୍କର ଏହି ବିଚିତ୍ର ଯୁକ୍ତି ଶୁଣି ବୈଜ୍ଞାନିକ କିଛିକ୍ଷଣ ନୀରବରେ ରହିଲେ । ତା’ପରେ ଧୀରେ ଧୀରେ କହିଲେ–“ଆପଣ ଯଦି ଭାବିଥାନ୍ତି ଯେ ପ୍ରାଣଭୟରେ ମୁଁ ରାଷ୍ଟ୍ରଦ୍ରୋହୀ ହେବି ତେବେ ଆପଣ ଭୁଲ କରିଛନ୍ତି । ମୁଁ ଭାରତବର୍ଷର ସନ୍ତାନ । ଏହି ଦେଶର ସେବା କରି ମୁଁ ମରିବି । ଏହାହିଁ ମୋର ଶେଷ କଥା । ବୃଥା ମୋତେ ଆପଣ ପ୍ରାଣଭୟ ଦେଖାଉଛନ୍ତି ।”

 

–“ବେଶ୍ । ବର୍ତ୍ତମାନ ମୁଁ ଯାଉଛି; କିନ୍ତୁ ହୁଏତ ଆପଣ ସ୍ଵଦେଶର ସେବା କରିବାର ସୁବିଧା ପାଇବେ ନାହିଁ । କାରଣ ଆପଣଙ୍କୁ ଆମେ ଆମଦେଶକୁ ପଠାଇ ଦେବୁ । ମରିବାକୁ ଯଦି ଆପଣଙ୍କର ଏତେ ଉଚ୍ଚାଭିଳାଷ, ତେବେ ଆପଣ ସେ ସୁବିଧା ପାଇବେ; କିନ୍ତୁ ସେ ଯେ କେତେ ଭୟାବହ, କେତେ ଯନ୍ତ୍ରଣାଦାୟକ ମୃତ୍ୟୁ, ତାହା ଆପଣ ନିଜେ କଳ୍ପନା କରିପାରନ୍ତି । ମୁଁ ପୁଣି ଆପଣଙ୍କ ସଙ୍ଗେ ଦେଖା କରିବି । ବର୍ତ୍ତମାନ ଆପଣ ବିଶ୍ରାମ କରିପାରନ୍ତି । ହଁ ଆଉ ଗୋଟିଏ କଥା-। ଏଠାରୁ ପଳାଇବାର ଚେଷ୍ଟା କରିବେ ନାହିଁ । କାରଣ ଏଇ ଯେ ଜନ୍ତୁଟି ଦେଖୁଛନ୍ତି, ଏଇଟି ଅତିଶୟ ଶିକ୍ଷିତ ଓ ପୋଷା ଗରିଲା । ଏହାର ନାମ ‘ହିପୋ’ । ଇଏ ବାହାରେ ପହରା ଦେଉଥିବ । ଆପଣ ପଳାଇବାର ଚେଷ୍ଟା କଲେ ଏ ଆପଣଙ୍କୁ ଡାକିଧରି ଆପଣଙ୍କର ହାଡ଼ଗୁଡ଼ିକ ଅନାୟାସରେ ଦିଆସିଲି କାଠିପରି ଭାଙ୍ଗି ଦେବ । ଆଚ୍ଛା, ନମସ୍କାର ଚାଲ ହିପୋ ।”

 

ଗରିଲାଟା ଦାନ୍ତ ଦେଖାଇ ଭୀଷଣ ଗର୍ଜନ କରି ଉଠିଲା । ତା’ପରେ ପୋଷା କୁକୁର ପରି କର୍ଣ୍ଣେଲ ସହିତ ବାହାରକୁ ଚାଲିଗଲା ।

 

ପାଞ୍ଚ

 

ଦମ୍‌ଦମ୍ ବିମାନଘାଟୀରେ ସକାଳ ପ୍ରାୟ ଏଗାରଟାବେଳେ ଗୋଟିଏ ବିମାନ ଅବତରଣ କଲା । ବିମାନରୁ ମାତ୍ର ଦୁଇଟି ଆରୋହୀ ଓହ୍ଲାଇଲେ । ଜଣେ ଆମର ପୂର୍ବ ପରିଚିତ ବିଖ୍ୟାତ ଡିଟେକ୍ଟିଭ୍ ଭବାନୀ ମହାପାତ୍ର । ଅନ୍ୟ ଜଣକ ଦୀର୍ଘଦେହ ସୁ-ଦର୍ଶନ ଯୁବକ । ଏ ହେଉଛନ୍ତି ସେଣ୍ଟ୍ରାଲ ଇନଟେଲିଜେନ୍‌ସର ଜଣେ ବଡ଼ ଅଫିସର ମିଃ ମାଥୁର । ବିମାନଘାଟୀର ବାହାରେ ସେମାନଙ୍କ ପାଇଁ ଖଣ୍ଡିଏ ପୁଲିସ୍‍ ଜିପ୍ ଅପେକ୍ଷା କରୁଥିଲା । କାଳ ବିଳମ୍ବ ନ କରି ସେମାନେ ଲାଲବଜାର ପୁଲିସ୍‍ ହେଡ଼୍‍କ୍ଵାଟରକୁ ଚାଲିଲେ ।

 

ଲାଲବଜାର ପୁଲିସ୍‍ ହେଡ଼୍‍କ୍ୱାଟରର ବହୁ ବ୍ୟୁହ ଭେଦକରି ଉଭୟେ ଡିଟେକ୍ଟିଭ୍‌ ଡିପାର୍ଟମେଣ୍ଟର ମୁଖ୍ୟ କର୍ତ୍ତା ମି. ସିହ୍ନାଙ୍କ ଅଫିସ ନିକଟରେ ପହଞ୍ଚିଲେ । ଭବାନୀ ବାବୁ ମି. ସିହ୍ନାଙ୍କ ନିକଟକୁ କାର୍ଡ଼ ପଠାଇବା ମାତ୍ରେ ମି. ସିହ୍ନା ନିଜେ ବାହାରି ଆସି ସେମାନଙ୍କୁ ପାଛୋଟି ନେଲେ । ଯଥାରୀତି ଘରର କବାଟ ବନ୍ଦ କରି ଓ ଆଗନ୍ତୁକମାନଙ୍କୁ ବସିବାକୁ ଦେଇ ମି. ସିହ୍ନା କହିଲେ–“ଦିଲ୍ଲୀରୁ ସମ୍ବାଦ ପାଇବା ମାତ୍ରେ ଇନ୍‌ଟରସେପ୍‌ସନ (Interception)ର ଆଦେଶ ଦେଇଛି । ଆମର ଚିଫ୍ ଓୟାରଲେସ୍ ଅପରେଟର ରିପୋର୍ଟ ଦେଇଛନ୍ତି ଯେ ସଞ୍ଜ ଛଅଟାଠାରୁ ସାତଟା ଭିତରେ ସେ ଗୋଟିଏ ଅଜ୍ଞାତ ବେତାର ବାର୍ତ୍ତାର ସଙ୍କେତ ଅନୁଭବ କରୁଛନ୍ତି; କିନ୍ତୁ ଏ ପର୍ଯ୍ୟନ୍ତ ସେ ଠିକ୍‌ କରିପାରୁନାହାନ୍ତି । କଷ୍ଟମ ଓ ସୀମାନ୍ତ ବାହିନୀ ସଜାଗ ଅଛନ୍ତି । ଆଉ ଅଧିକ କଅଣ ସମ୍ବାଦ ପାଇଛନ୍ତି ।”

 

ମି. ମାଥୁର କହିଲେ–“ଭାରତ ସରକାର ବିଶ୍ଵାସଯୋଗ୍ୟ ସମ୍ବାଦ ପାଇଛନ୍ତି ଯେ ଅଦ୍ଭୁତ ଉପାୟରେ ଏ ଦେଶରେ ‘‘ଏସ୍-ପିଓନେଜି ଏଜେଣ୍ଟ’’ମାନେ ପଶି ପାରିଛନ୍ତି । ତା’ଛଡ଼ା ଗୋଟାଏ ସାଙ୍ଘାତିକ ସ୍ପାଇରିଙ୍ଗ (Spy Ring) ମଧ୍ୟ ସୃଷ୍ଟି ହୋଇଛି । ଜଣେ ପୂର୍ବତନ ମିଲିଟେରି କର୍ଣ୍ଣେଲ ସେମାନଙ୍କର ନେତା । ଜେବ୍‍ଉନ୍ନିସା ନାମ୍ନୀ ଜଣେ ଚଳଚିତ୍ର ଅଭିନେତ୍ରୀ ଏ ଦଳର ଡାହାଣ ହାତ । ଜେବ୍‍ଉନ୍ନିସା ଅତି ସୁନ୍ଦରୀ ଓ ମାୟାବିନୀ । ସେମାନଙ୍କର କାର୍ଯ୍ୟଧାରା କ’ଣ ତାହା ସମ୍ୟକ ଜଣାନଥିଲେ ମଧ୍ୟ ବୈଜ୍ଞାନିକ ଦାଶଙ୍କର ଅପହରଣରୁ ତା’ର କିଛି କିଛି ସୂଚନା ମିଳେ । ଏହିପରି ଆହୁରି କେତେକ ବୈଜ୍ଞାନିକ ଓ ଆବିଷ୍କାରକ ହୁଏତ ଅପହୃତ ହେବେ । ତା’ଠାରୁ ଆହୁରି ସାଙ୍ଘାତିକ ହୁଏତ କିଛି ଘଟିପାରେ ।’’

 

ମି. ମାଥୁରଙ୍କର କଥା ଶୁଣି କମିଶନର କିଛିକ୍ଷଣ ଗମ୍ଭୀର ହୋଇ ଚିନ୍ତା କରିବାକୁ ଲାଗିଲେ । ଏହି ସମୟରେ ତାଙ୍କ ଟେବୁଲ ଉପର ଟେଲିଫୋନ ବାଜି ଉଠିଲା । କମିଶନର ରିସିଭର କାନରେ ଦେଇ କିଛିକ୍ଷଣ ନିମ୍ନ ସ୍ଵରରେ କଥାବାର୍ତ୍ତା କଲେ । ତା’ପରେ ରିସିଭର ରଖିଦେଇ ଭବାନୀ ବାବୁ ଓ ମି. ମାଥୁରଙ୍କ ଆଡ଼େ ଚାହିଁ କହିଲେ, ‘‘ବୈଜ୍ଞାନିକ ବୋଷ ଆଜି ମାନ୍ଦ୍ରାଜ ମେଲରେ ଓଡ଼ିଶାର ଗୋପାଳପୁର ଯାଇଛନ୍ତି । ସେଠା ସମୁଦ୍ରକୂଳରେ ସେ କିଛିଦିନ ବିଶ୍ରାମ ନେବେ । ଆପଣମାନେ ନିଶ୍ଚୟ ବୈଜ୍ଞାନିକ ବୋଷଙ୍କର ଆବିଷ୍କାର ବିଷୟ ଜାଣନ୍ତି ।”

 

ମି. ମାଥୁର କହିଲେ–‘‘ଯେଉଁ ବୈଜ୍ଞାନିକ ସମୁଦ୍ର ପାଣିରୁ ଏକ ରକମ ଉତ୍କୃଷ୍ଟ ପେଟ୍ରୋଲିୟମ ବାହାରି ପାରେ ବୋଲି କହି ସମଗ୍ର ବିଶ୍ୱରେ ଚହଳ ପକାଇଛନ୍ତି, ତାଙ୍କରି କଥା କ’ଣ ଆପଣ କହୁଛନ୍ତି ?”

 

–‘‘ହଁ ସେଇ ବୈଜ୍ଞାନିକ ବୋଷ । ଦୀର୍ଘ କୋଡ଼ିଏବର୍ଷ କାଳ ଗବେଷଣା କରି ସେ ଏହି ଅଦ୍ଭୁତ ଆବିଷ୍କାର କରିଛନ୍ତି; କିନ୍ତୁ ଏ ଆବିଷ୍କାର ଏ ପର୍ଯ୍ୟନ୍ତ ଗୁପ୍ତ ଅଛି । ଆସନ୍ତା ବୈଜ୍ଞାନିକ ସମ୍ମିଳନୀରେ ସେ ଏହାର ଏକ୍‌ସପେରିମେଣ୍ଟ ଦେଖାଇବେ । ବର୍ତ୍ତମାନ ସେ କିଛିଦିନ ସମୁଦ୍ର କୂଳେ ବିଶ୍ରାମ ଉପଭୋଗ କରିବା ପାଇଁ ମନସ୍ଥ କରିଛନ୍ତି ।”

 

ଭବାନୀବାବୁ ପଚାରିଲେ–‘‘ଖୁବ୍ ସାବଧାନ ହୋଇ ଚଳିବା ପାଇଁ କ’ଣ ତାଙ୍କୁ ସତର୍କ କରି ଦିଆହୋଇଛି ସାର୍‌ ?”

 

–‘‘ନାଁ ମୋର ବିଶ୍ୱାସ ସେଥିରେ ତାଙ୍କର ଦୁଶ୍ଚିନ୍ତା ହେବ । ସେ ନିଶ୍ଚିନ୍ତରେ ଅବସର ଉପଭୋଗ କରି ପାରିବେ ନାହିଁ । ତାଙ୍କୁ ଭୟ ଦେଖାଇବା କ’ଣ ସଙ୍ଗତ ହେବ ବୋଲି ଆପଣମାନେ ଭାବୁଛନ୍ତି ?’’

 

‘‘ନାଁ ସାର୍, ମୋ ମତରେ ତାଙ୍କୁ ଏ ବିଷୟରେ ବିନ୍ଦୁ ବିସର୍ଗ ଜାଣିବାକୁ ଦେବା ଉଚିତ ନୁହେଁ । ଆମ୍ଭମାନଙ୍କୁ ସତକ ଭାବରେ ଓ ତାଙ୍କର ଅଜ୍ଞାତରେ ତାଙ୍କୁ ପହରାଦେବାକୁ ପଡ଼ିବ’’, ମି. ମାଥୁର କହିଲେ ।

 

ଏହି ସମୟରେ ପୁଣି ଥରେ ଟେଲିଫୋନ ବାଜିଉଠିଲା । କମିଶନର ରିସିଭର କାନରେ ଲଗାଇ ବହୁ ସମୟ ନିମ୍ନସ୍ୱରରେ କଥାବାର୍ତ୍ତା ହେଲେ । ତା’ପରେ ରିସିଭର ରଖିଦେଇ ଭବାନୀ ବାବୁଙ୍କ ଆଡ଼େ ଚାହିଁ କହିଲେ–‘‘ଖିଦିରପୁର ଅଞ୍ଚଳରେ କିଛି ସମୟ ପୂର୍ବେ ଜଣେ ଲୋକକୁ ପୁଲିସ୍‍ ଧରିଛି । ମୁସଲମାନମାନଙ୍କ କବରସ୍ଥାନରୁ ଗୋଟିଏ ତଟକା କବର ଖୋଳି ଲୋକଟି ଗୋଟିଏ ମୁର୍ଦ୍ଦାରକୁ କାଢ଼ି ରିକ୍‌ସାରେ ନେଉଥିଲା । ସେହି ଅବସ୍ଥାରେ ପୁଲିସ୍‍ ତାକୁ ଧରିଛି । ତା’ର ଅସଲ ଉଦ୍ଦେଶ୍ୟ କ’ଣ, ଲୋକଟି କିଛି କହୁନାହିଁ । ଅବଶ୍ୟ ଏପରି ଭାବରେ ମୁର୍ଦ୍ଦାର ଚୋରିକରି ନିମ୍ନ ଶ୍ରେଣୀର ଲୋକମାନେ ମେଡ଼ିକାଲ କଲେଜରେ ବିକ୍ରି କରନ୍ତି; କିନ୍ତୁ ବର୍ତ୍ତମାନ ଅବସ୍ଥାରେ ଘଟଣାଟିକୁ ଭଲଭାବରେ ତଦନ୍ତ କରିବା ଉଚିତ ।”

 

–‘‘ମୁର୍ଦ୍ଦାରଟିକୁ ଯେ ନେଇ ଯାଉଥିଲା ସେ କ’ଣ ସ୍ଥାନୀୟ ଲୋକ ?’’ ଭବାନୀବାବୁ ପଚାରିଲେ ।

 

–କମିଶନର କହିଲେ, “ନାଁ ସେ କଟକର ଲୋକ ।’’

 

X X X X

 

ଲୋକଟିକୁ ଦେଖିବା ମାତ୍ରେ ଭବାନୀବାବୁ ଚିହ୍ନିପାରିବେ, ଅନେକଗୁଡ଼ିଏ ଚୋରି କେସରେ ସଂପୃକ୍ତ ଫେରାରୀ ଆସାମୀ ଗଫୁର । କେତେକ ବର୍ଷ ପୂର୍ବେ ଭବାନୀବାବୁ ତାକୁ ଗୋଟିଏ ହାର ଚୋରି କେସରେ ଦୁଇବର୍ଷ ପାଇଁ କାରାଗାରକୁ ପ୍ରେରଣ କରିଥିଲେ । ତା’ପରେ ସେ ବହୁତଗୁଡ଼ିଏ ଚୋରି କରିଛି ଓ ଶେଷଥର ଧରାପଡ଼ି ପୁଲିସ୍‍ ହାଜତରୁ ଖସି ପଳାଇଛି, ସେହିଦିନଠାରୁ ସେ ଫେରାର୍ । ଗଫୁର ଦୁଃସାହସୀ ଓ ବଳବାନ୍ ଦସ୍ୟୁ; କିନ୍ତୁ ସେ ଭବାନୀବାବୁଙ୍କୁ ଅତ୍ୟନ୍ତ ଭୟକରେ । ଭବାନୀବାବୁଙ୍କୁ ଦେଖି ଗଫୁର କହିଲା–‘‘ସଲାମ ବଡ଼ବାବୁ । ଏଠି ବି ଆପଣ ଆସି ହାଜର ହେଲେଣି । ହେଲେ ମୁଁ କିଛି ଦୋଷ କରିନାହିଁ । ମୁଁ ୟାକୁ ଖୁନ୍ କରିନାହିଁ, ସେ ସବୁ ପାଇଟି ମୁଁ କରେ ନାହିଁ । ମିଛ ଲଗେଇ ମତେ ଖୁଣୀ କେସରେ ପକେଇଲେ ଆପଣଙ୍କୁ ଧରମ ସହିବ ନାହିଁ, ହଁ ।’’

 

ସାମାନ୍ୟ ହସି ଭବାନୀବାବୁ କହିଲେ–“ସେ କଥା ମୁଁ ଜାଣେ ଗଫୁର । ତୁମେ ଯେ ଖୁନ୍ କରିନାହଁ ତା’ ମୁଁ ଜାଣେ; କିନ୍ତୁ କଟକର ତିନୋଟି ଚୋରି ମକଦ୍ଦମାରେ ତୁମେ ଯେ ଫେରାର ଅଛ ଏବଂ ସବୁ ମିଶି ଅନ୍ତତଃ ଯେ ପାଞ୍ଚ ବର୍ଷ ପାଇଁ ତୁମେ ଜେଲଖାନା ଯିବ, ଏଥିରେ ବୋଧହୁଏ ତୁମର କିଛି କହିବାର ନାହିଁ ।

 

ଭବାନୀବାବୁଙ୍କ କଥା ଶୁଣି ଗଫୁରର ମୁହଁ କଳାପଡ଼ିଗଲା । ତା’ପରେ ଅତିରିକ୍ତ ବିରକ୍ତିରେ ନାସିକା କୁଞ୍ଚିତ କରି କହିଲା–“ଏଇ ଆପଣଙ୍କର ବଡ଼ ଦୋଷ ହଜୁର । ଭଦ୍ରଲୋକକୁ ବେପାର ବଣିଜ କରାଇଦେବେ ନାଇଁ । ଇଏ ଆପଣଙ୍କର କେଉଁ ଦେଶର ଆଇନ ? ଲୋକ ହାଣ୍ଡନୋଟ୍ କାଟି ଟଙ୍କା ନେଲେ ତିନିବର୍ଷ ପରେ ତା’ ତମାଦି ହୋଇ ଯାଉଛି, ଆଉ ଏଇ କେତେଟା ଚୋରି କେସ୍ ଆଜି ଯାକେ ତମାଦି ହୋଇନାଇଁ ?’’

 

ଗଫୁର କଥା ଶୁଣି ଭବାନୀବାବୁ ସାମାନ୍ୟ ହସିଲେ । ତା’ପରେ କହିଲେ–“ସେ କଥା ତମେ ଯଥା ସମୟରେ ବୁଝିପାରିବ । ତମେ ମତେ ଭଲ କରି ଚିହ୍ନ । ମୁଁ ଅଯଥା କଥା କହେ ନାହିଁ-।”

 

–‘‘ହେଁ, ହେଁ, ସେ କଥା ମୁଁ ଭଲକରି ଜାଣେ ହଜୁର । କେତେଲୋକଙ୍କୁ ଘର ଡିହରେ ଯେ ଆପଣ କପ୍‌ତର ଉଡ଼େଇଛନ୍ତି ସେ ତାଲିକା କ’ଣ ମୋ ପାଖେ ନାହିଁ ? ହେଲେ ବଡ଼ବାବୁ ଏଥିରୁ ପାର ଉତ୍ତାର କ’ଣ କିଛି ନାହିଁ ?’’

 

–‘‘ନିଶ୍ଚୟ ଅଛି ଏବଂ ମୁଁ ତମକୁ ସେହିକଥା କହିବାକୁ ଚାହେଁ ।’’

 

ଭବାନୀବାବୁଙ୍କ କଥା ଶୁଣି ଉତ୍ସାହିତ ହୋଇ ଗଫୁର କହିଲା–‘‘ତେବେ କହିବା ହେଉ ବଡ଼ବାବୁ । ହଜୁରଙ୍କ କଥାରୁ ମୁଁ କେବେହେଲେ ବାହାରି ଯିବି ନାହିଁ । ଏକଥା ମୁଁ କସମ ଖାଇ କହିବି ।’’

 

ଗଫୁର ଆଡ଼େ କିଛିକ୍ଷଣ ଚାହିଁ ଗମ୍ଭୀର ସ୍ଵରରେ ଭବାନୀବାବୁ କହିଲେ–‘‘ତୁମକୁ ସବୁ ସତ କହିବାକୁ ହେବ । କବର ଖୋଜି ଏ ମୁର୍ଦ୍ଦାର ତୁମେ କେଉଁଠାକୁ ଏବଂ କାହିଁକି ନେଉଥିଲ ।

 

କିଛିକ୍ଷଣ ନୀରବ ରହି ଗଫୁର କହିଲା–‘‘ହଜୁର, ମୁଁ ଆଖି ଛୁଇଁ କହୁଚି ଇଆ ଭିତର ଗୁମର ମୁଁ କିଛି ବୁଝି ନାହିଁ । କାଲି ରାତିରେ ଜଣେ ବାବୁ ମୋ ବସାକୁ ଯାଇ ମୋତେ କହିଲା–ଓସ୍ତାତ୍‌ ଗୋଟାଏ କାମ ତମକୁ କରିବାକୁ ହବ, ଆଉ ଏଇ ନିଅ ତମ ଫିସ୍ । ଇଆ କହି ଦୁଇଶହ ଟଙ୍କା ମୋ ହାତରେ ଗୁଞ୍ଜି ଦେଇ କହିଲା ଅମୁକ କବରରୁ ଲାସଟାକୁ ଉଠାଇ ରିକ୍‌ସାରେ ସଡ଼କ କରକୁ ନେଇଯିବ । ତା’ପରେ ସେଠାରୁ ଆମର ଲରୀ ଆସି ତୁମଠାରୁ ମାଲ ନେଇଯିବ । ଏଇ ଛୋଟିଆ କଥାଟା ପାଇଁ ଦୁଇଶହ ଟଙ୍କା ଦଉଛି ଦେଖି ମୁଁ କାମଟା ହାତକୁ ନେଲି; କିନ୍ତୁ ସେ ଲୋକ ସେଣେ ଯାଇ ପୁଲିସ୍‍ ଲଗାଇ ଦେଇଛି ବୋଲି କ’ଣ ମତେ ଜଣା । ମୁଁ’ତ ହଜୁର ସରଳ ଲୋକ; କିନ୍ତୁ ବଡ଼ବାବୁ, ମୋର ମନେହେଉଛି, ଇଆ ଭିତରେ ଆପଣଙ୍କର କୁତୁରପେଞ୍ଚ ଅଛି । ତା’ ନ ହେଲେ ଆପଣ ସିଧା ସଳଖ ଏଠି ହାଜର ହେଲେ କେମିତି ? ନା ହଜୁର, ମୋ ରାଣ ପକେଇ କହିଲେ, ସେ ଚୋରି କେସ୍ କେଇଟା ଏ ପର୍ଯ୍ୟନ୍ତ ତମାଦି ହୋଇନାହିଁ ।

 

ଗଫୁରର ପ୍ରଶ୍ନର ଉତ୍ତର ନ ଦେଇ ଭବାନୀବାବୁ କହିଲେ–“ସେ ଦୁଇଶହ ଟଙ୍କା କ’ଣ କଲ ।’’

 

ଅଦୂରରେ ଥାନାର ଇନ୍‌ଚାର୍ଜ ଅଫିସର ବସି ଅନ୍ୟ କାମରେ ବ୍ୟସ୍ତ ଥିଲେ । ଗଫୁର ଆଖି ଇଙ୍ଗିତରେ ତାଙ୍କୁ ଦେଖାଇ ନିମ୍ନ ସ୍ୱରରେ ଭବାନୀବାବୁଙ୍କୁ କହିଲା–‘‘ସେଇ ଛୁଞ୍ଚିମୁହାଁ ହଜୁର ସବୁ ରଖିଛି । ମୁଁ କହିଲି ଆରେ ବାବୁ ଯା’ତ ହେବାର ହେଲାଣି ଏବେ ଏ ଟଙ୍କାତକ ନେଇ ମତେ ଛାଡ଼ିଦିଅ । ତା’ ନାଇଁ–ମୋତେ ଧରି ସେ ଯେପରି ଗୋଟାଏ ଜିଲ୍ଲା ଜିତିଛି । ଚାରିଆଡ଼େ ଫୋନ କରି କମ୍ପେଇଲାଣି ।’’

 

ଭବାନୀବାବୁ ଇନ୍‌ଚାର୍ଜ ଅଫିସରଙ୍କଠାରୁ ଗଫୁରର ଟଙ୍କା ଦେଖିବାକୁ ଚାହିଁଲେ । ଇନ୍‌ଚାର୍ଜ ଅଫିସର ବାକ୍‌ସ ଭିତରୁ ରୁମାଲରେ ବନ୍ଧା ହୋଇଥିବା ଗୋଟିଏ ପୁଟୁଳି କାଢ଼ି ଭବାନୀବାବୁଙ୍କ ହାତରେ ଦେଲେ । ଭବାନୀବାବୁ ଖୋଲି ଦେଖିଲେ ତା’ଭିତରେ ଦୁଇଶହ ଟଙ୍କାର ନୋଟ୍‍, କଠାଏ ବିଡ଼ି, ଗୋଟିଏ ଦିଆସିଲି ଓ ଗୋଟିଏ ନାଲି ଗୋଲାପ ଫୁଲ ରହିଛି । ଭବାନୀବାବୁ ନୋଟ୍‍ଗୁଡ଼ିକ ପରୀକ୍ଷା କରି ଦେଖିଲେ । ସେଥିରେ କୌଣସି ବିଶେଷତ୍ଵ ନାହିଁ । ଗୋଲାପ ଫୁଲଟି ଧରି କହିଲେ–‘‘ଆଜିକାଲି ବଡ଼ ରସିକ ହେଲଣି ତ ଗଫୁର ମିଆଁ ?’’

 

ଗଫୁର କହିଲା–“ହଁ ହଜୁର, ସେ ଗୋଲାପ ଫୁଲ କଥାଟି ଭୁଲି ଯାଇଛି । ମୁଁ ସେ ଟଙ୍କା ଦେଲାବାଲାକୁ ପଚାରିଲି, ଆଚ୍ଛା ମାଲ ତ ମୁଁ ରେକ୍‌ସାରେ ପକାଇ ନେଇଯିବି । ହେଲେ କୋଉ ଲରୀବାଲା ମୋ’ଠାରୁ ମାଲ ନବ ? ମୁଁ ତାକୁ ଚିହ୍ନିବି କେମିତି ? କଲିକତା ରାସ୍ତାରେ ତ ହଜାରେ ଲରୀ ଚାଲୁଛି । ମୁଁ କ’ଣ ସମସ୍ତଙ୍କୁ ପଚାରୁଥିବି କିଏ ମୁର୍ଦ୍ଦାର ନବ, କିଏ ମୁର୍ଦ୍ଦାର ନବ ! ସେଇଠୁ ହଜୁର ସେ ବାବୁ ଏ ଗୋଲାପ ଫୁଲଟା ଦେଇ କହିଲା, ଏଇଟା ଛାତିରେ ମାରି ରାସ୍ତା କଡ଼ରେ ଛିଡ଼ା ହୋଇଥିବ । ଆମ ଲୋକ ତମ ପାଖକୁ ଯାଇ ସେହିପରି ଆଉ ଗୋଟିଏ ଫୁଲ ଦେଖାଇଲେ ତମେ ମାଲ ଦବ । ମୁଁ ଛାତିରେ ଫୁଲ ମାରି ଛିଡ଼ା ହୋଇଛି, ହେଲେ ଯା’ତ ହେଲା ହଜୁର ସବୁ ଦେଖୁଛନ୍ତି-।”

 

ଭବାନୀବାବୁ କହିଲେ–“ତୁମେ ସେ ଲୋକକୁ ଦେଖିଲେ ଚିହ୍ନିପାରିବ ।”

 

‘‘ଚିହ୍ନିପାରିବି ନାହିଁ ? ଗଫୁରର ଥରେ ନିଘା ପଡ଼ିଲେ ଦଶବର୍ଷ ପରେ ବି ଚିହ୍ନିବ । ହଜୁରଙ୍କୁ ଫେର୍ ଏଠି ଚିହ୍ନିଲି କେମିତି ?”

 

ଭବାନୀବାବୁ କହିଲେ “ତୁମକୁ ବର୍ତ୍ତମାନ ମୁଁ କମିଶନର ସାହେବ ନିକଟକୁ ନେଇଯିବି-। ସବୁ ସ୍ୱୀକାର କରି ତୁମକୁ ସେଠାରେ ଜମାନବନ୍ଦୀ କରିବାକୁ ପଡ଼ିବ ।”

 

–‘‘ଚାଲନ୍ତୁ ବଡ଼ବାବୁ, ମୋର ସେଥିରେ ଆପତ୍ତି ନାହଁ ! ମୁଁ ଆପଣଙ୍କୁ ଖୁବ୍ ଭଲ ଭାବରେ ଚିହ୍ନେ । ଆପଣ ଯେତେବେଳେ ଅଭୟ ଦେଲେଣି ଆଉ ମୋର କିଛି ଭୟ ନାହିଁ ।”

 

ଗଫୁରକୁ ପୁଲିସ୍‍ ଜିପରେ ନିଜେ ପାଖ ସିଟରେ ବସାଇ ଭବାନୀବାବୁ ଲାଲବଜାର ହେଡ଼କ୍ୱାଟରକୁ ଚାଲିଲେ । ସେତେବେଳକୁ ଅପରାହ୍ନ ବେଳ । କଲିକତା ରାଜପଥରେ ଗାଡ଼ି ମଟରର ଭୀଷଣ ଭିଡ଼, କିନ୍ତୁ ଭବାନୀବାବୁ ଅତି କୌଶଳୀ ଓ ଅଭିଜ୍ଞ ଢାଇଭର । ପୂର୍ଣ୍ଣ ବେଗରେ ଜିପ୍‌ ଗାଡ଼ି ଧାଇଁ ଚାଲିଛି । ଭବାନୀବାବୁ ଗଭୀର ଚିନ୍ତାମଗ୍ନ । ଏତେବଡ଼ ଗୋଟିଏ ଷଡ଼ଯନ୍ତ୍ରରେ ଅତି ସାମାନ୍ୟ ହେଲେ ମଧ୍ୟ ଗୋଟିଏ ସୂତ୍ର ଆବିଷ୍କାରହୋଇଛି । ବର୍ତ୍ତମାନ ନଷ୍ଟ କରିବାଭଳି ତାଙ୍କର ମୁହୂର୍ତ୍ତେ ମଧ୍ୟ ସମୟ ନାହିଁ ।

 

ଭିଡ଼ ମଧ୍ୟରେ ଗତି କରୁ କରୁ ହଠାତ୍ ଗୋଟିଏ ମୋଟରକାର ଭବାନୀବାବୁଙ୍କ ଜିପ୍‌ର ଖୁବ ପାଖକୁ ଲାଗିଆସିଲା । ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଭବାନୀବାବୁ ବ୍ରେକ୍ ଦେଉ ଦେଉ ପୂର୍ବୋକ୍ତ ମଟରଗାଡ଼ି ଭିତରୁ ଦୁଇଥର ରିଭଲ୍‍ଭର୍‌ର ଶବ୍ଦ ହେଲା । ପାଖରେ ବସିଥିବା ଗଫୁର ହଠାତ୍ ଆର୍ତ୍ତନାଦ କରି ଉଠିଲା । ଭବାନୀବାବୁ ଜିପ୍‌ଟିକୁ ଅଟକାଇ ଦେଲେ; କିନ୍ତୁ ସେତେବେଳକୁ ପୂର୍ବୋକ୍ତ କାର୍ ଖଣ୍ଡି ଅଦୃଶ୍ୟ ହୋଇଯାଇଛି ।

 

ଦୁଇଟିଯାକ ଗୁଳି ଗଫୁରର ପଞ୍ଜରା ଭେଦ କରିଛି ଓ ତା’ର ରକ୍ତାକ୍ତ ମୃତ ଦେହ ସେଇଠାରେ ପଡ଼ିଯାଇଛି । ଭବାନୀବାବୁ ବ୍ୟସ୍ତହୋଇ ଗଫୁରର ହୃତ୍‌ସ୍ପନ୍ଦନ ପରୀକ୍ଷା କଲେ, କିନ୍ତୁ ସେତେବେଳକୁ ଆଉ ପ୍ରାଣ ନାହିଁ ।

 

ସ୍ତବ୍‍ଧହୋଇ ଭବାନୀବାବୁ ସେହିଠାରେ ଗଫୁରର ମୃତ ଦେହ ଆଡ଼େ ଚାହିଁ ଛିଡ଼ା ହୋଇ ରହିଛନ୍ତି । ଗୋଟିଏ ଦାରୁଣ ଦୁଃଖରେ ତାଙ୍କର ଅନ୍ତର କାନ୍ଦି ଉଠିଲା । ସମାଜର ଯେଉଁ ପରମ ଶତ୍ରୁ ଦସ୍ୟୁ ଗଫୁରକୁ ଦୀର୍ଘକାଳ ପାଇଁ କାରାଗାରକୁ ପ୍ରେରଣ କରିପାରିଲେ ଭବାନୀବାବୁ ଯଥାର୍ଥ ଆନନ୍ଦିତ ହୁଅନ୍ତେ, ଆଜି ତାଙ୍କ ଆଖି ଆଗରେ ଓ ତାଙ୍କର ତତ୍ତ୍ଵାବଧାନ ଭିତରେ ଅଜ୍ଞାତ ହତ୍ୟାକାରୀ ତାକୁ ହତ୍ୟାକରିବା ଦେଖି ଗୋଟାଏ ପରାଜୟର ଗ୍ଳାନିରେ ଭବାନୀବାବୁଙ୍କ ଅନ୍ତର ଭାରାକ୍ରାନ୍ତ ହୋଇଉଠିଲା ।

 

ମହାନଗରୀର ରାଜପଥରେ ଏପରି ଘଟଣା ନୂଆ ନୁହେଁ । ଦେଖୁ ଦେଖୁ ଚାରିଆଡ଼େ ଜନତାର ଭିଡ଼ ଜମିଗଲା । ଟ୍ରାଫିକ ପୁଲିସ୍‍ ଆସି ପହଞ୍ଚିଲା । ସମସ୍ତ ଘଟଣା ଶୁଣି ଓ ଭବାନୀବାବୁଙ୍କ ପରିଚୟ ପାଇ ପୁଲିସ୍‍ ଲାସ୍‌ ଚାଲଣ କଲେ । କିଛିକ୍ଷଣ ପରେ ଭିଡ଼ ପରିଷ୍କାର ହୋଇଗଲା ।

 

ସେହିଦିନ ସଞ୍ଜପୂର୍ବରୁ ଭବାନୀବାବୁ ଆଲିପୁରରେ ତାଙ୍କର ଜଣେ ପୂର୍ବ ପରିଚିତ ବନ୍ଧୁଙ୍କ ନିକଟରେ ପହଞ୍ଚିଲେ । ଡକ୍ଟର ଷ୍ଟ୍ରଙ୍ଗ ଜଣେ ପ୍ରବୀଣ ପଶୁ ବିଶେଷଜ୍ଞ । ଏତେଦିନ ପରେ ଭବାନୀବାବୁଙ୍କୁ ଦେଖି ଡକ୍ଟର ଷ୍ଟ୍ରଙ୍ଗ ଅତ୍ୟନ୍ତ ଆନନ୍ଦିତ ହେଲେ ।

 

ଡକ୍ଟର ଷ୍ଟ୍ରଙ୍ଗ ଅତି ଅମାୟିକ ଭଦ୍ରଲୋକ । ଜୀବନ ସାରା ପଶୁ ବିଜ୍ଞାନ ଚର୍ଚ୍ଚା କରୁଛନ୍ତି । ବସ୍ତୁତଃ ତାଙ୍କର ଘର ଗୋଟିଏ ଛୋଟ ଚିଡ଼ିଆଖାନା । କଙ୍ଗୋ ଉପତ୍ୟକାର ଅତିକାୟ ଝିଟିପିଟିଠାରୁ ଆରମ୍ଭ କରି ଉତ୍ତର ମେରୁର କଇଁଛ ପର୍ଯ୍ୟନ୍ତ ସେଠାରେ ଅଛନ୍ତି । ଭବାନୀବାବୁଙ୍କୁ ବସାଇ ଡକ୍ଟର ଷ୍ଟ୍ରଙ୍ଗ ପଚାରିଲେ, ‘‘ଆଉ କ’ଣ ସମ୍ବାଦ, କହନ୍ତୁ ମି. ସାରଲକ୍‌ ହୋମ୍‌ସ୍‌ । ନିଶ୍ଚୟ କୌଣସି ଗୂଢ଼ ଅଭିସନ୍ଧି ଧରି କଲିକତାରେ ରହିଛନ୍ତି ।’’

 

ଭବାନୀବାବୁ ସାମାନ୍ୟ ହସି କହିଲେ–‘‘ଆପଣଙ୍କର ଟିକିଏ ସାହାଯ୍ୟ ଲାଭ ଆଶାରେ ଏଠାକୁ ଆସିଛି, ଡକ୍ଟର ଷ୍ଟ୍ରଙ୍ଗ ।”

 

ଅମ୍ଳାନ ବଦନରେ ଡକ୍ଟର ଷ୍ଟ୍ରଙ୍ଗ କହିଲେ–‘‘ଆନନ୍ଦର ସହିତ ଆପଣଙ୍କୁ ସାହାଯ୍ୟ କରିବି-। କାରଣ ମୁଁ ଜାଣେ ଯେ ଆପଣଙ୍କୁ ସାହାଯ୍ୟ କରିବା ଅର୍ଥ ହେଉଛି ସମାଜର କଲ୍ୟାଣ କରିବା ।”

 

ଭବାନୀବାବୁ ପକେଟରୁ ଖଣ୍ଡିଏ କାଗଜର ସାନ ପୁଡ଼ିଆ ବାହାର କରି ଡକ୍ଟର ଷ୍ଟ୍ରଙ୍ଗଙ୍କ ହାତରେ ଦେଲେ । ଡକ୍ଟର ଷ୍ଟ୍ରଙ୍ଗ ପୁଡ଼ିଆଟି ଫିଟାଇ ତା’ ଭିତରୁ କେତୋଟି କଳା ରଙ୍ଗର ଲୋମ ଦେଖିଲେ । କିଛିକ୍ଷଣ ଖାଲି ଆଖିରେ ଲୋମଗୁଡ଼ିକ ଦେଖି ଡକ୍ଟର ଷ୍ଟ୍ରଙ୍ଗ ପଚାରିଲେ–‘‘ଏ ଗୁଡ଼ିକୁ କ’ଣ କରିବାକୁ ହେବ ଭବାନୀବାବୁ ?’’
 

–‘‘ଆପଣ ପରୀକ୍ଷା କରି ମୋତେ କହନ୍ତୁ, ଏଗୁଡ଼ିକ କେଉଁ ପ୍ରାଣୀର ଲୋମ ।’’

 

ଡକ୍ଟର ଷ୍ଟ୍ରଙ୍ଗ କହିଲେ–‘‘ଯଦିଓ ମୁଁ ପରୀକ୍ଷା ନକରି ମଧ୍ୟ ଏହା କେଉଁ ପ୍ରାଣୀର ଲୋମ କହିପାରେ ତଥାପି ମୁଁ ଥରେ ଭଲ କରି ପରୀକ୍ଷା କରି ଦେଖି ଆପଣଙ୍କୁ ସଠିକ କହିବି । ଆପଣ ପାଞ୍ଚ ମିନିଟ୍ ଅପେକ୍ଷା କରନ୍ତୁ ।” ଏହା କହି ଡକ୍ଟର ପୁଡ଼ିଆଟି ହାତରେ ନେଇ ନିଜର ଲାବୋରଟେରୀ ଭିତରକୁ ଚାଲିଗଲେ ।

 

ପାଠିକା ପାଠକଙ୍କର ସ୍ମରଣ ଥାଇପାରେ, ବୈଜ୍ଞାନିକ ଦାଶ ଯେଉଁ ରେଲଡବା ଭିତରୁ ଅପହୃତ ହୋଇଥିଲେ, ସେହି ଡବା ଭିତରୁ ଭବାନୀବାବୁ ଏହି କେତୋଟି ଲୋମ ପାଇଥିଲେ ।

 

କିଛିକ୍ଷଣ ପରେ ଡକ୍ଟର ଷ୍ଟ୍ରଙ୍ଗ ହସ ହସ ମୁହଁରେ ଘର ଭିତରକୁ ଆସି କହିଲେ “ମୁଁ ଯାହା ସନ୍ଦେହ କରିଥିଲି ସେଇଆ ଭବାନୀବାବୁ; ଏ ଲୋମଗୁଡ଼ିକର ମାଲିକ ହେଉଛନ୍ତି ଜଙ୍ଗଲର ସମ୍ରାଟ-ଗରିଲା; କିନ୍ତୁ ଏଗୁଡ଼ିକ ଆପଣ କେଉଁଠାରୁ ପାଇଲେ ?’’

 

ଛଅ

 

ରାତି ପ୍ରାୟ ନ’ଟା ବେଳେ ନିଜ ହୋଟେଲକୁ ଫେରି ଆସି ଭବାନୀବାବୁ ଘରର ଆଲୁଅ ଲିଭାଇ ଖଣ୍ଡିଏ ଇଜି ଚେୟାର ଉପରେ ବସିଲେ । ଗୋଟି ଗୋଟି କରି ଆଜି ପର୍ଯ୍ୟନ୍ତ ଘଟିଥିବା ସବୁ ଘଟଣାବଳୀକୁ ଭଲକରି ଚିନ୍ତା କରିବାକୁ ଲାଗିଲେ । କିଛିକ୍ଷଣ ପରେ ଗଭୀର ଧ୍ୟାନରେ ସେ ମଗ୍ନ ହୋଇଗଲେ । ଏହା ଯେ ଗୋଟାଏ ଅତି ଭୀଷଣ ଷଡ଼ଯନ୍ତ୍ର ଏଥିରେ ସନ୍ଦେହ ନାହିଁ । କେଉଁଠାରେ ଯେ ଅଜ୍ଞାତ ଆତତାୟୀ ଲୁଚିରହି ଏପରି ଗୋଟିଏ ଷଡ଼ଯନ୍ତ୍ରକୁ ନିୟନ୍ତ୍ରିତ କରୁଛି, ତା’ କିଏ ଜାଣେ ? ବୈଜ୍ଞାନିକ ଦାଶ କ’ଣ ବଞ୍ଚି ନାହାନ୍ତି !! ବୈଜ୍ଞାନିକ ଦାଶଙ୍କର ହରଣ ରହସ୍ୟ ଏବେ ପରିଷ୍କାର ହୋଇଯାଇଛି । ମହାବଳଶାଳୀ ଶିକ୍ଷିତ ଗରିଲା ଅନାୟାସରେ ରେଲଡବାର କବାଟକୁ ବାହାରୁ ଠେଲି ତା’ର ଲୁହା କିଳିଣୀ ଭାଙ୍ଗି ଦେଇଛି । ତା’ପରେ ବୈଜ୍ଞାନିକଙ୍କର ଜ୍ଞାନହୀନ ଦେହକୁ ଧରି ଚଳନ୍ତା ଟ୍ରେନରୁ ଓହ୍ଲାଇ ଯାଇଛି । ଆଉ ସେଇ ଗରିଲା ଅଜ୍ଞାତ ବ୍ୟକ୍ତିର ମୃତ ଦେହକୁ ଆଣି ବୈଜ୍ଞାନିକଙ୍କ ବିଛଣା ଉପରେ ଶୁଆଇ ରଖିଛି; କିନ୍ତୁ ଏହାର ଶେଷ କେଉଁଠାରେ ! କ’ଣ ଏହାର ପରିଣାମ !! ଏହା ସାଧାରଣ ଦସ୍ୟୁଦଳ ନୁହେଁ । ଦସ୍ୟୁଦଳ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ରାଜଶକ୍ତିଠାରୁ ବେଶି ନୁହେଁ; କିନ୍ତୁ ଏମାନଙ୍କ ପଛରେ ଯେ ଗୋଟାଏ ବିଶାଳ ରାଜଶକ୍ତି ରହିଛି ଏଥିରେ ତ ଆଉ ସନ୍ଦେହ ନାହିଁ ।

 

ମୃତ ଗଫୁରର ରକ୍ତାକ୍ତ ମୂର୍ତ୍ତି ଭବାନୀବାବୁଙ୍କ ମାନସ ପଟରେ ଭାସି ଉଠିଲା । ଗଫୁରର ଅପମୃତ୍ୟୁ ଭବାନୀବାବୁଙ୍କର ଶକ୍ତିହୀନତା ପ୍ରତି ଗୋଟିଏ ଉପହାସ ମାତ୍ର; କିନ୍ତୁ ଗଫୁରକୁ ହତ୍ୟା କରାହେଲା କାହିଁକି ? ସେ କ’ଣ ଏ ଦଳର ଗୁପ୍ତ ରହସ୍ୟ କିଛି ଜାଣିଥିଲା ?

 

ଧ୍ୟାନମଗ୍ନ ହୋଇ ବହୁକ୍ଷଣ ବସିରହିବା ପରେ ହଠାତ୍ ଟେଲିଫୋନର ଶବ୍ଦରେ ତାଙ୍କର ଧ୍ୟାନ ଭାଙ୍ଗିଗଲା । କାନ୍ଥ ଘଡ଼ିକୁ ଚାହିଁ ଭବାନୀବାବୁ ଦେଖିଲେ–ରାତି ଗୋଟାଏ ବାଜିଲାଣି । ଚେୟାରରୁ ଉଠି ସେ ଘର କଣରେ ଥିବା ଟେଲିଫୋନ ନିକଟକୁ ଯାଇ ରିସିଭର କାନରେ ଲଗାଇଲେ । ‘‘ହାଲୋ, ମୁଁ ଭବାନୀ ମହାପାତ୍ର କହୁଛି ।’’

 

–“ଶୁଭ ରାତ୍ରି, ଡିଟେକ୍ଟିଭ୍‌’’ ତାରର ଆରପଟୁ ସ୍ୱର ଭାସି ଆସିଲା । “ମୁଁ ଗଫୁରର ପ୍ରେତାତ୍ମା କଥା କହୁଛି, ତୁମର ମୃତ୍ୟୁ ଖୁବ୍ ପାଖେଇ ଆସିଲାଣି, ଇଏ ସୁସମ୍ବାଦ ଦେବା ପାଇଁ ମୁଁ ତୁମକୁ ଏତେ ରାତିରେ ବିରକ୍ତ କଲି, କ୍ଷମା କରିବ ।’’

 

ଭବାନୀବାବୁ କୌଣସି ଜବାବ ଦେଲେ ନାହିଁ ।

 

ଟେଲିଫୋନରେ ପୁଣି ଶବ୍ଦ ଭାସି ଆସିଲା–‘‘ତୁମେ ଶୁଣି ଆନନ୍ଦିତ ହେବ ଯେ ତୁମର ମୃତ୍ୟୁ ଆଦେଶ ଜାରି ହୋଇଛି । ତୁମର ସେଇ ଘରେ, ତୁମରି ଦେହର ଛାଇରେ ସେ ଭୟାବହ ମୃତ୍ୟୁ ଲୁଚି ରହିଛି । ତୁମେ ମୁହଁ ଫେରାଇଲେ ତା’ର ସ୍ୱରୂପ ଦେଖି ପାରିବ, ହାଃ ହାଃ ହାଃ–’’

 

ଗୋଟାଏ ଅଟ୍ଟହାସ୍ୟ ଟେଲିଫୋନ ତାରରେ ଭାସି ଆସିଲା । ଭବାନୀବାବୁ ରିସିଭରଟା ରଖିଦେଲେ; କିନ୍ତୁ ପରମୁହୂର୍ତ୍ତରେ ଗୋଟାଏ ଦାରୁଣ ଆଘାତରେ ତାଙ୍କର ମୁଣ୍ଡ ବୁଲିଗଲା, ପଛଆଡ଼ୁ କେହି ଲୋକ ତାଙ୍କ ମୁଣ୍ଡରେ ଭୀଷଣ ଆଘାତ କଲା । କଣ୍ଠରୁ ଶବ୍ଦ ବାହାରିଲା ନାହିଁ । ନିମିଷକ ଭିତରେ ତାଙ୍କର ଦୀର୍ଘ ଦେହ ଜ୍ଞାନହୀନ ହୋଇ ସେଇଠାରେ ପଡ଼ିଗଲା ।

 

X X X X

 

କେତେ ଘଣ୍ଟା ବା କେତେଦିନ ପରେ କେଜାଣି ଭବାନୀବାବୁଙ୍କର ଚୈତନ୍ୟ ଧୀରେ ଧୀରେ ଫେରି ଆସିଲା । ଗୋଟାଏ ଦୁଗର୍ନ୍ଧମୟ ଅନ୍ଧକାର ଘରର ଚଟାଣ ଉପରେ ସେ ପଡ଼ିଛନ୍ତି । ମୁଣ୍ଡରେ ଦାରୁଣ ଯନ୍ତ୍ରଣା । ହାତ ଓ ଗୋଡ଼ ଚମଡ଼ା ଦଉଡ଼ିରେ ଅତି ଶକ୍ତ ଭାବରେ ବନ୍ଧା ହୋଇଛି । ଭୟଙ୍କର ସେ ବନ୍ଧନ ଯନ୍ତ୍ରଣା । ଦେହର ମାଂସ କାଟି ଦଉଡ଼ା ବସି ଯାଇଛି । ପୂର୍ବ ଘଟଣାବଳୀ ତାଙ୍କର ଧୀରେ ଧୀରେ ମନେପଡ଼ିଲା । ସେ ପରିଷ୍କାର ବୁଝିପାରିଲେ ଯେ ସେ ଏକାନ୍ତ ଅସହାୟ, ମୃତ୍ୟୁ ତାଙ୍କର ଅନିବାର୍ଯ୍ୟ ।

 

ସଢ଼ା ମାଂସର ଗୋଟାଏ କଦର୍ଯ୍ୟ ଗନ୍ଧ ନାକରେ ପଶୁଛି, ସେ ଗନ୍ଧ ତୀବ୍ର ଯେ କୌଣସି ମଣିଷ ପକ୍ଷରେ ତାହା ସହ୍ୟ କରିବା ସମ୍ଭବପର ନୁହେଁ । ଗାଢ଼ ଅନ୍ଧକାରରେ ସମ୍ମୁଖକୁ ଦୃଷ୍ଟି ଯାଉନାହିଁ । ବାହାରର ବାୟୁ ଘରେ ପ୍ରବେଶ କରୁନାହିଁ । ଏହିପରି ଆଉ କେତେକ ଘଣ୍ଟା ରହିଲେ ଯେ ତାଙ୍କର ପ୍ରାଣବାୟୁ ଉଡ଼ିଯିବ ଏଥିରେ ତାଙ୍କର ସନ୍ଦେହ ରହିଲା ନାହିଁ । ଏହି ସମୟରେ ସେହି ଅନ୍ଧକାରମୟ ଘରର ଗୋଟାଏ କଣରୁ ଗୋଟାଏ ଭୀଷଣ ଗର୍ଜ୍ଜନ ଉଠିଲା । ସେ ଭୟାବହ ଗର୍ଜ୍ଜନ ଶୁଣି ଭବାନୀବାବୁଙ୍କର ସର୍ବାଙ୍ଗ ଶୀତଳ ହୋଇଗଲା । ତାଙ୍କୁ କ’ଣ ଗୋଟାଏ କ୍ଷୁଧିତ ବାଘର ଯନ୍ତା ଭିତରେ ନିକ୍ଷେପ କରାହୋଇଛି ?

 

ସେ ଗାଢ଼ ଅନ୍ଧାରରେ ଆଖି ଅଭ୍ୟସ୍ତ ହୋଇଯିବା ପରେ ଘରର ଜିନିଷ ସବୁକିଛି ଦେଖାଗଲା । ସେ ଦେଖିଲେ ଯେ ସେହି ଅପରିଚ୍ଛନ୍ନ କାରାଗାରର ଗୋଟିଏ କଣକୁ ଗୋଟାଏ ଯନ୍ତା ରଖାହୋଇଛି ଓ ତା’ ଭିତରେ ଗୋଟାଏ ଭୀଷଣ ମହାବଳ ବାଘ ରହିଛି । ସେ ଅନ୍ଧକାରମୟ ଘରଭିତରେ ତା’ର ଆଖି ଦୁଇଟି ନିଆଁପରି ଜଳୁଛି । ଭବାନୀବାବୁଙ୍କର ଛାତି କମ୍ପାଇ ଗୋଟିଏ ହତାଶାର ଦୀର୍ଘଶ୍ୱାସ ବାହାରିଗଲା । ଏପରି ଗୋଟିଏ ନରଭୁକ୍ ବାଘ ପୋଷି ରଖିବାର କାରଣ ତାଙ୍କର ଅଜଣା ନୁହେଁ । ନରହତ୍ୟାକାରୀ ଦୁର୍ଦ୍ଧଷ ଦସ୍ୟୁମାନେ ଏପରି ବାଘ ଓ କୁମ୍ଭୀର ପୋଷି ରଖିବା କଥା ସେ ଜାଣିଛନ୍ତି । ନରହତ୍ୟା କରି ମୃତ ଦେହଟି ଏହି ବୁଭୁକ୍ଷୁ ନରଖାଦକ ଜନ୍ତୁଙ୍କ ନିକଟରେ ପକେଇଦେଲେ ସେମାନେ ହାଡ଼ମାଂସ ସବୁ ଖାଇ ଯା’ନ୍ତି ଓ ନରହତ୍ୟାର ପ୍ରଧାନତମ ପ୍ରମାଣ ମୃତଦେହଟି ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଏ । ଆୟୁ ଯେ ତାଙ୍କର ଶେଷ ହୋଇ ଆସିଛି ଏଥିରେ ତାଙ୍କର କୌଣସି ସନ୍ଦେହ ନାହିଁ ।

 

ଗତ ଯୁଦ୍ଧର ବିଜୟୀ ବୀର ଭାରତ ବିଖ୍ୟାତ ଡିଟେକ୍ଟିଭ୍‍ ଭବାନୀ ମହାପାତ୍ର ହତାଶାରେ ଝାଉଁଳି ପଡ଼ିଲେ । ମନେ ମନେ ଭଗବାନଙ୍କୁ ପ୍ରାର୍ଥନା ଜଣାଇଲେ, ‘ପ୍ରଭୋ, ଜୀବନସାରା ମନ ପ୍ରାଣେ ମୁଁ ସମାଜର କଲ୍ୟାଣ ସାଧନ କରିବାକୁ ଚେଷ୍ଟା କରିଛି, ଅବଶେଷରେ ଏହିପରି ଭୟାବହ ମୃତ୍ୟୁ କ’ଣ ମୋର ବିଧିଲିପି । ତାହାହିଁ ଯଦି ହୁଏ ପ୍ରଭୁ ତୁମର ଇଚ୍ଛା ଶୀଘ୍ର ପୂର୍ଣ୍ଣ ହେଉ । ଏ ପୂତିଗନ୍ଧମୟ କଦହ୍ଲ୍ୟ ନର୍କ ଭିତରେ ବେଶିକ୍ଷଣ ବଞ୍ଚି ରହିବା ଅପେକ୍ଷା ମୃତ୍ୟୁ ଶତଗୁଣେ ବାଞ୍ଛନୀୟ-

 

ଏହି ସମୟରେ ବାହାର ପଟୁ ଦୁଆର ଖୋଲିବାର ଶବ୍ଦ ହେଲା । ଦୁଆର ଖୋଲି ସେ ଘରେ ଯେଉଁ ଲୋକଟି ପ୍ରବେଶ କଲା ତାକୁ ଦେଖିଲେ ପୌରାଣିକ ଯୁଗର ଗୋଟିଏ ଅତିକାୟ ରାକ୍ଷସ କଥା ମନେହୁଏ । ଦୀର୍ଘତା ପ୍ରାୟ ଛ ଫୁଟ, ବିଶାଳ ବାହୁ, ବିଶାଳ ଲୋମସ ବକ୍ଷ, କଳା ମଚ ମଚ ନଗ୍ନ ଦେହ, ପରିଧାନରେ ଗୋଟିଏ ଲୁଙ୍ଗି । କଦର୍ଯ୍ୟ ମୁଖମଣ୍ଡଳରେ ସାପପରି ଦୁଇଟି ଜ୍ୱଳନ୍ତ ଓ ହିଂସ୍ର ଆଖି । ଦୁଆର ଫିଟାଇବାରୁ ବାହାରର ସାମାନ୍ୟ ଆଲୋକ ଘରଭିତରେ ପ୍ରବେଶ କଲା । ସେହି ଆଲୋକରେ ଘରଟିର ରୂପ ଦେଖି ଭବାନୀବାବୁ ଶିହରି ଉଠିଲେ । ବାଘର ଯନ୍ତା ଭିତରେ ଏ ପର୍ଯ୍ୟନ୍ତ ଗୋଟିଏ ଅର୍ଦ୍ଧଭୁକ୍ ମୃତ ଦେହ ପଡ଼ିରହିଛି । ଘରଯାକ ଭଙ୍ଗା ଓ ପୁରୁଣା ଢାବଲ ବାକ୍‌ସ ପଡ଼ିରହିଛି । ଅସଂଖ୍ୟ ଖାଲି ବୋତଲ ଗଡ଼ୁଛି । ନିକଟରେ କାନ୍ଥ ଦେହରେ ଗୋଟାଏ କାନ୍ଥ ଆଲମାରୀ । ତା’ ଦେହରେ କାଚ ଲଗା କବାଟ ଲାଗିଛି ।

 

ଭବାନୀବାବୁଙ୍କ ନିକଟକୁ ଆସି ପୂର୍ବୋକ୍ତ ଲୋକଟି ନଇଁପଡ଼ି ତାଙ୍କୁ ଭଲକରି ଚାହିଁଲା । ତା’ପରେ ସାନ ଗୋଟିଏ ଲୁଗା ଗଣ୍ଡିରା ପରି ତାଙ୍କୁ ଅନାୟାସରେ ଉଠାଇ ନେଇ ସେ ଘରୁ ବାହାରିଗଲା । କେତୋଟି ଅନ୍ଧକାରମୟ ମଇଳା ଘର ଦେଇ ଅବଶେଷରେ ଯେଉଁ କକ୍ଷ ଭିତରକୁ ଲୋକଟି ପଶିଲା ସେଇଟି ଏଇ ଦସ୍ୟୁପୁରୀର ଦରବାର କକ୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ । ଘର ମଝିରେ ଖଣ୍ଡିଏ କାର୍ପେଟ ପରାହୋଇଛି । କେତେଗୁଡ଼ିଏ ବଡ଼ ବଡ଼ ତକିଆ । ପ୍ରାୟ ଆଠ ଦଶଟି ଲୋକ ଘରର ବିଭିନ୍ନ ସ୍ଥାନରେ ବସିଛନ୍ତି । ପ୍ରତ୍ୟେକଙ୍କ ସାମନାରେ ମଦ ବୋତଲ ଓ ଗ୍ଲାସ ରହିଛି-। ଘରଭିତରେ ବାୟୁ ସ୍ତରରେ ପିଆଜ ଓ ଦେଶୀ ମଦର ତୀବ୍ର ଦୁର୍ଗନ୍ଧ । ପ୍ରାୟ ସମସ୍ତେ ମାତାଲ । ସେମାନଙ୍କ ଭିତରେ ଯେଉଁ ବିଶାଳ ଦେହ ଲୋକଟି ଗୋଟିଏ ବଡ଼ ତକିଆ ଆଉଜି ପୃଥକାସନରେ ବସିଛି ତାକୁ ଦେଖିଲା ମାତ୍ରେ ଏହି ଦଳର ସର୍ଦ୍ଦାର ବୋଲି ଅନାୟାସରେ ଚିହ୍ନି ହେବ ।

 

ସେହି ସର୍ଦ୍ଦାରର ଅନତିଦୂରରେ ପୂର୍ବୋକ୍ତ ବ୍ୟକ୍ତିଟି ଭବାନୀବାବୁଙ୍କୁ ଭୂଇଁ ଉପରେ କଚାଡ଼ି ଦେଲା । ବେଦନାରେ ଭବାନୀବାବୁ ଆର୍ତ୍ତନାଦ କରିଉଠିଲେ । ତା’ପରେ ନିଜକୁ ସମ୍ବରଣ କରି ଭବାନୀବାବୁ ଉପସ୍ଥିତ ସମସ୍ତଙ୍କ ଆଡ଼େ ଭଲକରି ଚାହିଁଲେ । ସେମାନଙ୍କ ଭିତରୁ ଅନେକଙ୍କୁ ଭବାନୀବାବୁ ଚିହ୍ନିପାରିଲେ । ସେମାନେ ସମସ୍ତେ ପୁରାତନ ଦସ୍ୟୁ । ଏତେଗୁଡ଼ିଏ ଦସ୍ୟୁ ସମନ୍ଵୟରେ ଏହି ବିଚିତ୍ର ଅନୁଷ୍ଠାନଟି ଦେଖି ଭବାନୀବାବୁ ଆଶ୍ଚର୍ଯ୍ୟ ହେଲେ । ଗୁରୁ ଗମ୍ଭୀର ଭାବରେ ସର୍ଦ୍ଦାର କହିଲା–

 

“–ଡିଟେକ୍ଟିଭ୍‍ ଭବାନୀ ମହାପାତ୍ର, ଘଟଣାକ୍ରମେ ଏଠାକୁ ଆସି ବଡ଼ ଅସୁବିଧାରେ ପଡ଼ିଛ ? ନା ! କିନ୍ତୁ ଏହା ତୁମର ସ୍ଵୋପାର୍ଜିତ କର୍ମଫଳ । ନିଜର ବୁଦ୍ଧି ଓ ଶକ୍ତିର ଗର୍ବରେ ତୁମେ ସୀମା ଲଙ୍ଘନ କରିଛ । ଏହି ସଭାରେ ବର୍ତ୍ତମାନ ତୁମର ବିଚାର ହେବ । ମୃତ୍ୟୁ ତୁମର ସୁନିଶ୍ଚିତ । ତେବେ ସେ ମୃତ୍ୟୁଟି କିପରି ମନୋରମ ହେବା ଉଚିତ ତାହା ଏହି ସଭାର ଭଦ୍ରମଣ୍ଡଳୀ ବିଚାର କରି ସ୍ଥିର କରିବେ ।” ଏହା କହି ସର୍ଦ୍ଦାର ସମସ୍ତଙ୍କ ଆଡ଼େ ଅନାଇଲା ।

 

ଜଣେ କହିଲା–“ସର୍ଦ୍ଦାର ଏଇ ଥରେ ମୋତେ ପାଞ୍ଚବର୍ଷ ପାଇଁ ଜେଲଖାନାକୁ ପଠାଇଛି-। ମୋତେ ଅନୁମତି ଦିଅନ୍ତୁ, ମୁଁ ତା’ର କଲିଜା ଛିଣ୍ଡାଇ ମାରିବି ।’’ ଆଉ ଜଣେ କହିଲା, “ନାଇଁ ସର୍ଦ୍ଦାର ୟାକୁ ହତ୍ୟା କରିବାର ଅନୁମତି ମୋତେ ଦିଅନ୍ତୁ । ମୁଁ ତା’ର କଞ୍ଚା ମାଉଁସ ଖଣ୍ଡ ଖଣ୍ଡ କରି ଛିଣ୍ଡାଇ ମାରିବି । ମୋର ଏ ସର୍ବନାଶ କରିଛି ।”

 

ଆଉ ଜଣେ କହିଲା–‘‘ମୋ ମତରେ ୟାକୁ ମାରି ଗୋଟିଏ ବାକ୍‍ସରେ ପୂରାଇ ୟା ଘର ଠିକଣାରେ ପଠାଇ ଦିଆହେଉ । ତା’ହେଲେ ଦେଶବାସୀ ଆମ ଶକ୍ତିର ମଧ୍ୟ କିଞ୍ଚିତ ଆଭାସ ପାଇବେ ।’’

 

ସମସ୍ତଙ୍କ କଥାଶୁଣି ସର୍ଦ୍ଦାର ଭବାନୀବାବୁଙ୍କ ଆଡ଼େ ଚାହିଁ ସାମାନ୍ୟ ହସିଲା । ତା’ପରେ କହିଲା “ଏବେ ଶୁଣୁଛ ତ ଡିଟେକ୍ଟିଭ୍‍ ! ଏତେଗୁଡ଼ିଏ ମନୋରମ ମୃତ୍ୟୁର ତାଲିକା ତୁମେ ଶୁଣିଲ । ଏଥିରୁ କେଉଁଟି ତୁମର ପସନ୍ଦ ହେଉଛି ।’’

 

ଭବାନୀବାବୁ ତଥାପି ନୀରବ ରହିଲେ । କିଛିକ୍ଷଣ ପରେ ସର୍ଦ୍ଦାର ପୁଣି କହିଲା–‘‘ଅତିଶୟ ଦୟାଳୁ ବୋଲି ମୋର ସୁନାମ ଅଛି । ତୁମର ଅବସ୍ଥା ଦେଖି ମୋର ଦୟା ହେଉଛି । ବାସ୍ତବିକ ତୁମେ ଦୟାର ପାତ୍ର, ତୁମେ ନିଜକୁ ଯେତେ ବୁଦ୍ଧିମାନ ଓ ଶକ୍ତିଶାଳୀ ମନେକଲେ ମଧ୍ୟ ମୁଁ ଜାଣେ ତୁମେ ଗୋଟିଏ ଅତି କ୍ଷୁଦ୍ର ଜୀବ । ମୁଁ ଠିକ୍ କରିଛି, ତୁମର ଜୀବନ ରକ୍ଷାକରିବି; କିନ୍ତୁ ବିନା ସ୍ଵାର୍ଥରେ କେବଳ ବାହାଦୁରି ପାଇବା ପାଇଁ ତୁମେ ଆମର କ୍ଷତି କରିବାର ଚେଷ୍ଟା କରିଛ । ତୁମର ଦୁଇଟି ଆଖି ତତଲା ଲୁହା ଦେଇ ମୁଁ ଫୁଟାଇ ଦେବି । ତା’ ଛଡ଼ା ଅତି ଭୟାବହ କୁଷ୍ଠରୋଗର ଜୀବାଣୁ ତୁମ ଦେହରେ ଇନଜେକସନ୍‌ଦ୍ଵାରା ପୂରାଇ ଦେବି । ତା’ପରେ ଯେତେବେଳେ ଭୟାବହ କୁଷ୍ଠବ୍ୟାଧିଗ୍ରସ୍ଥ ହୋଇ ତୁମର ହାତ ଗୋଡ଼ ଛିଣ୍ଡିବାକୁ ଆରମ୍ଭ କରିବ ସେତେବେଳେ ଅନ୍ଧ ଓ ବ୍ୟାଧିଗ୍ରସ୍ଥ ଭାବରେ ମୁଁ ତୁମକୁ ରାଜପଥରେ ଛାଡ଼ିଦେବି । ଜୀବନର ବାକି ଦିନଗୁଡ଼ିକ ତୁମେ ଏହିପରି ଆନନ୍ଦରେ କଟାଇବ ଓ ନିଜର ବିଗତ ଦିନର ବହାଦୁରିଗୁଡ଼ିକ ଚିନ୍ତାକରି ଦୀର୍ଘଶ୍ୱାସ ପକାଉଥିବ ।”

 

ସର୍ଦ୍ଦାରର କଥାଶୁଣି ସମସ୍ତେ ହର୍ଷଧ୍ଵନୀ କରିଉଠିଲେ ।

 

–“ହଁ ସର୍ଦ୍ଦାର, ଏହା ସବୁଠାରୁ ଭଲ ବ୍ୟବସ୍ଥା ।”

 

ଭବାନୀବାବୁ ବୁଝିଲେ ଯେ ଏ ନରପିଶାଚ ଯାହା କହୁଛି ତାହା କରିବ । ଆତଙ୍କରେ ତାଙ୍କର ହୃଦୟ ଥରି ଉଠିଲା । ମୃତ୍ୟୁଠାରୁ ମୃତ୍ୟୁଭୟ ଭୟଙ୍କର, ଯେତେବେଳେ ମଣିଷ ମୃତ୍ୟୁର ମୁହାଁମୁହିଁ ଆସି ଛିଡ଼ା ହୁଏ ସେତେବେଳେ ଆଉ ତା’ର ଭୟ ନଥାଏ । ଭବାନୀବାବୁ ସାଧାରଣତଃ ମୃତ୍ୟୁଭୟ ହୀନ ସାହାସୀ ବ୍ୟକ୍ତି । ତା’ଛଡ଼ା ସୁନିଶ୍ଚିତ ମୃତ୍ୟୁକୁ ସାମନାରେ ଦେଖି ତାଙ୍କର ଆଉ ଭୟ ରହିଲା ନାହିଁ । ସେ ପୁରୁଷ କଣ୍ଠରେ କହିଲେ–“ତୁମେମାନେ ନିଜକୁ ଅତି ଶକ୍ତିଶାଳୀ ମନେକରିଛ, କିନ୍ତୁ ମନେରଖ ଯେ ରାଷ୍ଟ୍ରଶକ୍ତି ଦୁର୍ବଳ ନୁହେଁ । ତୁମମାନଙ୍କ ପରି ନରଘାତକ ଭୀରୁ ଦସ୍ୟୁଦଳକୁ ବିରାଟ ରାଷ୍ଟ୍ରଶକ୍ତି ନିଶ୍ଚିହ୍ନ କରିଦେବ । ମୋତେ ଜଣକୁ କିମ୍ବା ମୋରି ପରି କେତେଜଣକୁ ହତ୍ୟାକରି ତୁମମାନଙ୍କର ହୀନ ଆଶା ସଫଳ ହୋଇପାରିବ ନାହିଁ ।’’

ଭବାନୀବାବୁଙ୍କ କଥାଶୁଣି ସର୍ଦ୍ଦାର କହିଲା–“ସାବାସ୍ ଭବାନୀ ମହାପାତ୍ର, ତୁମର ସାହସ ଦେଖି ମୁଁ ଖୁସି ହେଲି । ଆଚ୍ଛା, ବର୍ତ୍ତମାନ ୟାକୁ ନେଇଯାଅ !”

ସର୍ଦ୍ଦାରର ଆଦେଶ ପାଇ ପୂର୍ବୋକ୍ତ ବ୍ୟକ୍ତିଟି ପୁଣି ଭବାନୀବାବୁଙ୍କୁ ଟେକି ଉଠାଇ ନେଇଗଲା । ତା’ପରେ ପୂର୍ବୋକଥିତ କୋଠରୀ ମଧ୍ୟରେ ରଖି ବାହାରୁ ଦୁଆର ଲଗାଇଦେଲା ।

ଭବାନୀବାବୁ ସ୍ଥିର କଲେ ଯେ ବଞ୍ଚିବାର ଥରେ ଶେଷ ଚେଷ୍ଟା ସେ କରିବେ; କିନ୍ତୁ ମୁକ୍ତିର କୌଣସି ଉପାୟ ତାଙ୍କୁ ଦେଖାଗଲା ନାହିଁ । ବହୁକ୍ଷଣ ନୀରବରେ ଚିନ୍ତାକରି ହଠାତ୍ ତାଙ୍କର ମୁଖ ଉଜ୍ଜ୍ଵଳ ହୋଇଉଠିଲା । ସେ ପଥରର ଚଟାଣ ଉପରେ ଗଡ଼ି ଗଡ଼ି ଯାଇ କାନ୍ଥ ଆଲମାରୀ ନିକଟରେ ପହଞ୍ଚିଲେ । ତା’ପରେ ବହୁ କଷ୍ଟରେ କାନ୍ଥକୁ ଆଉଜି ଠିଆହେଲେ । କାନ୍ଥ ଆଲମାରୀର କାଚ କବାଟ ଉପରେ ନିଜ ମୁଣ୍ଡକୁ ପିଟିଦେଲେ । କାଚ ଝଣ ଝଣ ହୋଇ ଭାଙ୍ଗିଗଲା । ତାଙ୍କର ମୁଣ୍ଡ ମଧ୍ୟ ରକ୍ତାକ୍ତ ହେଲା । ସେଥିପ୍ରତି ଭ୍ରୂକ୍ଷେପ ନ କରି ଭବାନୀବାବୁ ନିଜ ହାତରେ ବନ୍ଧା ହୋଇଥିବା ଚମଡ଼ା ଦଉଡ଼ିକୁ ଭଙ୍ଗା କାଚରେ ଘଷିବାକୁ ଲାଗିଲେ । ହାତର ମାଂସ କଟିଗଲା । ତଥାପି ଭବାନୀବାବୁ ନିରସ୍ତ୍ର ହେଲେ ନାହିଁ । କିଛିକ୍ଷଣ ପରେ ହାତରେ ବନ୍ଧା ହୋଇଥିବା ଦଉଡ଼ାରୁ ଗୋଟିଏ ଖିଅ କଟିଗଲା । ଭବାନୀବାବୁ ଆଶାନ୍ଵିତ ହେଲେ । ଆଉ କିଛିକ୍ଷଣ ଚେଷ୍ଟାପରେ ଦଉଡ଼ି ପୂରା କଟିଗଲା । ବନ୍ଧନ ମୁକ୍ତ ହୋଇ ଭବାନୀବାବୁ ପ୍ରଚୁର ରକ୍ତକ୍ଷୟ ଯୋଗୁ କିଛିକ୍ଷଣ ନିଶ୍ଚଳ ହୋଇ ବସି ରହିଲେ । ତଟକା ମଣିଷ ରକ୍ତର ଗନ୍ଧ ପାଇ ଯନ୍ତାରେ ଥିବା ବାଘଟା ହଠାତ୍‌ ବିକଟ ଗର୍ଜନ କରିଉଠିଲା । ଅନ୍ଧକାର ନର୍କପୁରୀ ଭିତରେ ସେ ଗର୍ଜନ ଗୋଟାଏ ପ୍ରଚଣ୍ଡ ଅଶନୀପାତ ପରି ମନେହେଲା ।

ହାତର ବନ୍ଧନ ଖୋଲିଯିବାରୁ ଭବାନୀବାବୁ ଅନାୟାସରେ ନିଜ ଗୋଡ଼ର ବନ୍ଧନ ଖୋଲିଦେଲେ । ତା’ପରେ ଅନିଶ୍ଚିତ ଭବିଷ୍ୟତ ଉପରେ ଭରଷା କରି ସେହିଠାରେ ନୀରବରେ ପଡ଼ି ରହିଲେ ।

ଗଭୀର ରାତିରେ ପୁଣିଥରେ ବାହାର କବାଟ ଖୋଲିବାର ଶବ୍ଦ ହେଲା । ସେହି ମହାବଳଶାଳୀ ବୃଷସ୍କନ୍ଧ ଲୋକଟି ଗୋଟିଏ ହାତରେ ଗୋଟିଏ ଲଣ୍ଠନ ଓ ଅନ୍ୟ ହାତରେ ଖଣ୍ଡିଏ ଥଳି ଧରି ଘରଭିତରେ ପଶି ପୁଣି ଭିତରୁ ଶିକୁଳି ଲଗାଇ ଦେଲା । ଭବାନୀବାବୁ ପ୍ରସ୍ତୁତ ହୋଇ ରହିଲେ । ଏଥର ହୁଏତ ମୁକ୍ତି–ନୁହେଁତ ମୃତ୍ୟୁ, ଏ ନର୍କ ଯନ୍ତ୍ରଣାର ଅବସାନ ହେବ । ଭବାନୀବାବୁଙ୍କ ଓଠରେ ଟିକିଏ ହସ ଫୁଟିଉଠିଲା । ସୁନିଶ୍ଚିତ ମୃତ୍ୟୁ ସହିତ ମୁହାଁମୁହିଁ ଛିଡ଼ା ହୋଇ ଯୁଦ୍ଧ କ୍ଷେତ୍ରରେ ସୈନିକ ଯେଉଁ ହସ ହସେ–ସେଇ ହସ ।

ଲୋକଟି ଭବାନୀବାବୁଙ୍କ ନିକଟ ପର୍ଯ୍ୟନ୍ତ ଆସି କ’ଣ ଯେପରି ସନ୍ଦେହ କରି ଭବାନୀବାବୁଙ୍କ ନିକଟରେ ନଇଁପଡ଼ି ଚାହିଁଲେ । ଠିକ୍ ସେହି ମୁହୂର୍ତ୍ତରେ ଚିତାବାଘ ପରି ଡେଇଁ ଉଠି ଭବାନୀବାବୁ ତା’ର ବେକକୁ ଦୁଇ ହାତରେ ଚିପିଧରିଲେ । ଏପରି ଅତର୍କିତ ଭାବରେ ଆକ୍ରାନ୍ତ ହୋଇ ଲୋକଟି ସ୍ତମ୍ଭୀତ ହୋଇଗଲା । ତା’ପରେ ପ୍ରଚଣ୍ଡ ବେଗରେ ଭବାନୀବାବୁଙ୍କୁ ନିଜ ଦେହରୁ ଝାଡ଼ି ଫୋପାଡ଼ି ଦେଲା । ଲୋକଟା ଯେ କିପରି ଭୀଷଣ ବଳବାନ ଭବାନୀବାବୁ ତାହା ଜାଣିପାରିଲେ । ନିଜ ଦେହରୁ ତଳେ ଫିଙ୍ଗି ଦେଇ ଲୋକଟି ନିଜର ଦୁଇଟି ଭୀମ ବାହୁରେ ତାଙ୍କୁ ଜାପଟି ଧରିଲା । ଭବାନୀବାବୁଙ୍କର ମନେହେଲା ଯେପରି ତାଙ୍କର ଦେହ ଉପରେ ଗୋଟିଏ ବିରାଟ “ରୋଡ଼ ରୋଲାର” କିଏ ଚଲାଇ ଦେଉଛି, ହାଡ଼ଗୁଡ଼ାକ ତାଙ୍କର ଭାଙ୍ଗିଯିବା ପରି ହେଲା । ସେ ଦାରୁଣ ପେଷଣର ନିଶ୍ୱାସ ପ୍ରଶ୍ଵାସ ବନ୍ଦ ହୋଇଯିବା ପରି ମନେହେଲା ।

ଭବାନୀବାବୁ ନିଜର ଡାହାଣ ଆଣ୍ଠୁରେ ଲୋକଟିର ତଳ ପେଟରେ ଭୀଷଣ ଭାବରେ ଆଘାତ କଲେ । ସେ ଆଘାତରେ ଲୋକଟା ଯନ୍ତ୍ରଣାରେ ମୁଖ ବିକୃତ କରିଉଠିଲା । ତା’ର ବାହୁ ବନ୍ଧନ କ୍ଷଣକ ପାଇଁ ଶିଥିଳ ହୋଇଗଲା, ସେହି ସୁଯୋଗରେ ଭବାନୀବାବୁ ନିଜକୁ ମୁକ୍ତ କରିନେଇ ଘରର ଯେଉଁ କଣରେ ବାଘର ଯନ୍ତାଟି ଥିଲା, ସେଇଆଡ଼େ ପଳାଇଲେ । ଲୋକଟା କ୍ଷଣକ ମଧ୍ୟରେ ଭୂମି ଶଯ୍ୟା ଛାଡ଼ି ଉଠି ଛିଡ଼ା ହେଲା । ଲଣ୍ଠନର ମିଟି ମିଟି ଆଲୁଅରେ ତାକୁ ଗୋଟାଏ ରାକ୍ଷସ ପରି ମନେହେଉଥିଲା । ତା’ର ଜ୍ୱଳନ୍ତ ଆଖି ଦୁଇଟାରେ ଯେପରି ମୃତ୍ୟୁ ନାଚି ଉଠିଲା । ଚଟାଣ ଉପରୁ ଖଣ୍ଡେ ମୋଟା ଲୁହା ରଡ଼ ଉଠାଇ ନେଇ ସେ ଭବାନୀବାବୁଙ୍କ ଆଡ଼େ ଧୀରେ ଧୀରେ ଅଗ୍ରସର ହେଲା । ଭବାନୀବାବୁ ବୁଝିଲେ ଯେ ଏଥର ଆଉ ତାଙ୍କର ରକ୍ଷା ପାଇବାର କୌଣସି ଉପାୟ ନାହିଁ । ମୃତ୍ୟୁ ତାଙ୍କର ସୁନିଶ୍ଚିତ । ଆତତାୟୀ ତାଙ୍କ ନିକଟରେ ଆସି ଦୁଇ ହାତରେ ଲୁହା ରଡ଼ ଉଠାଇ ତାଙ୍କର ମୁଣ୍ଡ ଚୂର୍ଣ୍ଣ କରିଦେବାକୁ ଉଦ୍ୟତ ହେଲା; କିନ୍ତୁ ପରମୁହୂର୍ତ୍ତରେ ଅଦ୍ଭୁତ ଘଟଣା ଘଟିଗଲା । ସ୍ଥିରବୁଦ୍ଧି ଭବାନୀ ମହାପାତ୍ରର ଆତ୍ମରକ୍ଷାର ଶେଷ ଚେଷ୍ଟା କରିବାକୁ ଭୁଲିଲେ ନାହିଁ । ଠିକ୍ ସେହି ମୁହୂର୍ତ୍ତରେ ବାଘ ଯନ୍ତାର ଦୁଆରଟା ସେ ଖୋଲିଦେଲେ । ବିଦ୍ୟୁତ୍ ବେଗରେ ବାଘ ବାହାରି ଯାଇ ତାକୁ ଆକ୍ରମଣ କଲା । ହଠାତ୍ ସେଠାରେ ବାଘ ଓ ମଣିଷ ଭିତରେ ପ୍ରବଳ ଯୁଦ୍ଧ ଲାଗିଲା । ସେହି ଅବସରେ ମୁହୂର୍ତ୍ତେ ମାତ୍ର ବିଳମ୍ବ ନ କରି ଭବାନୀବାବୁ ଘରର ଦୁଆର ଖୋଲି ବାହାରକୁ ପଳାଇ ଆସିଲେ ।

ନର୍କପୁରୀରେ କୋକେନ ଓ ବାରୁଣୀଙ୍କ କୃପାରୁ ସମସ୍ତେ ସୁଶୁପ୍ତ । ସେ ଅନ୍ଧକାର ଭଗ୍ନ ପୁରୀରୁ ଭବାନୀବାବୁ ବାହାରକୁ ଆସି ଦୌଡ଼ିବାକୁ ଆରମ୍ଭ କଲେ । ସେ ବୁଝିପାରିଲେ ଯେ ଏହା ହେଉଛି ଖିଦିରପୁରର ଗୋଟିଏ ଅପରିଚ୍ଛନ୍ନ ପଲ୍ଲୀ । କିଛି ଦୂର ଯାଇ ସେ ବଡ଼ ରାସ୍ତାରେ ପହଞ୍ଚିଲେ-। ଖଣ୍ଡିଏ ଖାଲି ଟ୍ୟାକ୍‌ସି ପାଇ ତା’ ଉପରେ ଚଢ଼ି ବସି ଭବାନୀବାବୁ ଡ୍ରାଇଭରକୁ କହିଲେ–‘‘ଲାଲ ବଜାର ପୁଲିସି ହେଡ଼କ୍ୱାଟରକୁ ଚଳାଅ ।’’

 

ଭବାନୀବାବୁଙ୍କର ରକ୍ତାକ୍ତ ଦେହ ଓ ଛିନ୍ନ ବାସ ଦେଖି ଡ୍ରାଇଭର ପ୍ରଥମେ ସନ୍ଦେହ କଲା-। ତା’ପରେ ସେ ଅନ୍ୟ କେଉଁଠାକୁ ନ ଯାଇ ପୁଲିସ୍‍ ଥାନାକୁ ଯାଉଛି ଦେଖି, ଶିଖ ଡ୍ରାଇଭର ଗାଡ଼ି ଚଳାଇଲା ।

Unknown

 

ସାତ

 

ବଙ୍ଗୋପସାଗର ଅନନ୍ତ ନୀଳିମାର ପଟ୍ଟଭୂମିକାରେ ଗୋଟିଏ ତରୁଣ ଓ ଗୋଟିଏ ତରୁଣୀ ବେଳାଭୂମିର ଗୋଟିଏ ନିଛାଟିଆ ସ୍ଥାନରେ ବସିଛନ୍ତି । ଗୋପାଳପୁରର ସମୁଦ୍ର ସୈକତରେ ଜନସମାଗମ ବେଶି ନାହିଁ । ତରୁଣଟିର ନାମ ତାପସ ଚୌଧୁରୀ । ସୁବିଖ୍ୟାତ ବୈଜ୍ଞାନିକ ଡକ୍ଟର ବୋଷଙ୍କର ସେ ପଟ୍ଟଶିଷ୍ୟ ଓ ପ୍ରଧାନ ସହକାରୀ । ଦୀର୍ଘ ଓ ବଳିଷ୍ଠ ଦେହ । ଜ୍ଞାନର ଦୀପ୍ତିରେ ମୁଖମଣ୍ଡଳ ଉଜ୍ଜ୍ଵଳ । ବୈଜ୍ଞାନିକ ବୋଷ କିଛିଦିନ ହେଲା ଗୋପାଳପୁର ଆସି ‘ମୁନ୍‍ଭିଉ’ ହୋଟେଲରେ ଉଠିଛନ୍ତି । ତାପସ ଚୌଧୁରୀ ତାଙ୍କ ସହିତ ଆସିଛନ୍ତି । କର୍ମକ୍ଳାନ୍ତ ଜୀବନରେ ଏହି ମନୋରମ ଅବସରଟି ସେ ଅତ୍ୟନ୍ତ ଆନନ୍ଦର ସହିତ ଉପେଭୋଗ କରୁଛି । ଅବସରର ଦିନଗୁଡ଼ିକ ଆହୁରି ମଧୁମୟ ହୋଇଛି ସୁନ୍ଦରୀ ଇନ୍ଦିରାର ସଙ୍ଗ ଲାଭ କରି । ଇନ୍ଦିରା ତରୁଣୀ ଓ ଅତିଶୟ ରୂପସୀ, ଢାକା କଲେଜରୁ ସେ ବି.ଏ. ପାଶ୍‍ କରିଛି । ପିତା ତା’ର ଧନୀ ଜମିଦାର । ଯଥାରୀତି ପାସପୋର୍ଟ ନେଇ ସେ ଏଠାକୁ ଆସିଛି ସମୁଦ୍ର କୂଳରେ କିଛିଦିନ ବାସକରି ସ୍ଵାସ୍ଥ୍ୟର ଉନ୍ନତି କରିବାପାଇଁ । ‘ପାମ୍‍ବିଚ୍, ହୋଟେଲର ଗୋଟିଏ ସିଟ୍ ସେ ରିଜର୍ଭ କରିଛି ଓ ସଙ୍ଗରେ ଖଣ୍ଡେ ସୁନ୍ଦର ମଟରକାର ମଧ୍ୟ ଆସିଛି ।

 

ଏହିଠାରେ ତାପସ ଓ ଇନ୍ଦିରାର ପରିଚୟ । ଜୀବନ ଗତି ପଥରେ କେତେ ଲୋକ ସହିତ ପରିଚୟ ହୁଏ । ଯାତ୍ରା ପଥରେ କିଛିଦୂର ଏକାଠି ଯାଇ ପୁଣି ଛଡ଼ାଛଡ଼ି ହୋଇଯାଏ । ସେ ସ୍ମୃତିର କୌଣସି ଗଭୀରତା ନ ଥାଏ । ନ ଥାଏ ସେ ପରିଚୟର କୌଣସି ଚିରସ୍ଥାୟୀ ସ୍ଵାକ୍ଷର, କିନ୍ତୁ ସମୟ ସମୟରେ ଏହାର ବ୍ୟତିକ୍ରମ ମଧ୍ୟ ହୁଏ । ଜୀବନର ଯାତ୍ରାପଥର ଅଗଣିତ ଜନତା ମଧ୍ୟରୁ ପରସ୍ପର ଅଜଣା ଦୁଇଟି ମଣିଷ ହଠାତ୍ “ଯେପରି ପରସ୍ପରକୁ ଆବିଷ୍କାର କରନ୍ତି । ସେତେବେଳେ ମନେହୁଏ ଯେପରି କେଉଁ ଅନାଦି କାଳରୁ ସେମାନଙ୍କର ପରିଚୟ । ମୃତ୍ୟୁର ତମସା ଭେଦ କରି କାଳେ କାଳେ–ଯୁଗ ଯୁଗାନ୍ତରେ ଯେପରି ସେମାନେ ଅନନ୍ତ ଯୁଗଳ ।

 

ଠିକ୍ ସେହିପରି, ଏ ଗୋପାଳପୁରର ସମୁଦ୍ର ବେଳାରେ ତାପସ ଆବିଷ୍କାର କରିଛି ଇନ୍ଦିରାକୁ । ଏତେବଡ଼ ଜଣେ ବସ୍ତୁବାଦୀ ବୈଜ୍ଞାନିକଙ୍କର ପଟ୍ଟ ଶିଷ୍ୟ ହେଲେ ମଧ୍ୟ ତାପସ କବି । ଜୀବନର ଏହି ପ୍ରଥମ ସୂର୍ଯ୍ୟ ସ୍ନାନର ମୁହୂର୍ତ୍ତକୁ ସେ ବନ୍ଦୀ କରି ରଖିଛି ଲିପିରେ ।

 

ସମ୍ମୁଖରେ ସୂର୍ଯ୍ୟାସ୍ତର ଗରିମାମୟ ବର୍ଣ୍ଣ ଉତ୍ସବ ଚାଲିଛି । କ୍ଷଣେ କ୍ଷଣେ ଆକାଶର ରଙ୍ଗ ବଦଳୁଛି । ଆଉ ତା’ର ପ୍ରତିବିମ୍ବ ପଡ଼ୁଛି ବଙ୍ଗୋପସାଗରର ଊର୍ମିବିକ୍ଷୁବ୍‌ଧ ବକ୍ଷରେ । ଇନ୍ଦିରା କହିଲା–‘‘ତାପସ ତୁମର ସେହି କବିତାଟି ଥରେ ପଢ଼ତ ।’’

 

ତାପସ ଆବୃତ୍ତି କଲା–

 

ସେହି ଅସୀମ ସାଗର ବେଳା

ସେହି ଲହରୀ ମାଳା

ମୁକୁରେ ଯାର ବାନ୍ଧଇ ବେଣୀ

ବସ ସରଗ ବାଳା ।

ସୀକତା ଶେଯେ ଶୂନ୍ୟ ମନେ

ବସି ଉଦାସୀ କବି

କଳ୍ପନାର ତୁଳିକା ଘେନି

ଗଢ଼େ ମାନସୀ ଛବି ।

 

ଏଇ ପର୍ଯ୍ୟନ୍ତ ଆବୃତ୍ତି କରି ତାପସ ଇନ୍ଦିରାକୁ ଚାହିଁଲା । ତା’ର ବଡ଼ ବଡ଼ ଆୟତ ଆଖି ଦୁଇଟି ଭାବ ମୁଗ୍‍ଧ । କହିଲା–“ବନ୍ଦ କଲ କାହିଁକି ତାପସ । ଆହୁରି ଆବୃତ୍ତି କର ।’’

 

କିଛିକ୍ଷଣ ଇନ୍ଦିରାକୁ ମୁଗ୍‍ଧ ଦୃଷ୍ଟିରେ ଚାହିଁରହି ତାପସ କହିଲା–“ଏହା କବିତା ଆବୃତ୍ତି କରିବାର ମୁହୂର୍ତ୍ତ ନୁହେଁ ଇନ୍ଦିରା । ବସ୍ତୁ ନିକଟରେ ତା’ର ପ୍ରତିବିମ୍ବ ମ୍ଳାନ ହୋଇଯାଏ । ତୁମରି ପାଇଁ ଯେଉଁ କବିତା, ଏହା କେବଳ ତୁମର ନିସ୍ପ୍ରଭ ପ୍ରତିବିମ୍ବ । ଆଚ୍ଛା ଇନ୍ଦିରା, ଏଇ ସମୁଦ୍ର ସୈକତରେ ଆମର ଯେଉଁ ମିଳନ ତା’ କ’ଣ ଏହିଠାରେ ଶେଷ ହେବ ? ସାରା ଜୀବନ କ’ଣ ଏହି ମଧୁର ସ୍ମୃତିଟି ବଞ୍ଚିରହିବ ନାହିଁ ?”

 

ଇନ୍ଦିରା କହିଲା–“ବିଶ୍ଵକବି କହିଛନ୍ତି, ରାତିର ସବୁ ତାରା ରହିଥାନ୍ତି ଦିବାଲୋକର ଗଭୀରତାରେ । ଆଜିର ଏହି ମିଳନର ସ୍ମୃତି ଚିରଦିନ ବଞ୍ଚିରହିବ, କିନ୍ତୁ ମୋର ଗୋଟିଏ ଅନୁରୋଧ ତାପସ, ଜୀବନରେ କେବେ ଯଦି ମୁଁ ତୁମର ମନେପଡ଼େ ତେବେ ସେଦିନ ବାସ୍ତୁବାଦୀ ବୈଜ୍ଞାନିକ ପରି ନିଷ୍ଠୁର ହୋଇ ମୋର ବିଚାର କରିବ ନାହିଁ । କବି ହୃଦୟର ଉଦାରତାରେ ମୋର ଦୋଷ ଗୁଣର ବିଚାର କରିବ ।’’

 

ତାପସ କହିଲା–“ତୁମେ ବୈଜ୍ଞାନିକ ପ୍ରତି ଅବିଚାର କରିଛ ଇନ୍ଦିରା । ସେ କଦାପି ନିଷ୍ଠୁର ନୁହେଁ । ସେ ଯେ ସ୍ରଷ୍ଟା ।”

 

ହସି ହସି ଇନ୍ଦିରା କହିଲା–‘‘ମୁଁ ମାନୁଛି ଯେ ଆଜିର ଏଇ ଯେଉଁ ଜୀବନ ଧାରଣର ସୁବିଧା ସୁଯୋଗ ସେ ସବୁ ବିଜ୍ଞାନର ଦାନ; କିନ୍ତୁ ବୈଜ୍ଞାନିକର ଅନ୍ତରରେ ସ୍ନେହ, ଦୟା, ମାୟା ପ୍ରଭୃତି ସୂକ୍ଷ୍ମ ପ୍ରବୃତ୍ତିର ସ୍ଥାନ ନାହିଁ । ରେଳ ଇଞ୍ଜିନର ଯେ ଆବିଷ୍କାରକ, ସେ ହୁଏତ ଶୟନରେ ସ୍ଵପନରେ କେବଳ ଲୁହା ଓ କଳ କବ୍‍ଜାର ସ୍ଵପ୍ନ ଦେଖୁଥିଲା । ମାନବ ଜାତିର କଲ୍ୟାଣ ସେ ଆବିଷ୍କାରର ପରିଣତି ହେଲେ ମଧ୍ୟ, ଆବିଷ୍କାରର ସାଧନାର ତାହା କେନ୍ଦ୍ର ନ ଥିଲା । ସେହିଠାରେ କବି ଓ ବୈଜ୍ଞାନିକର ତଫାତ୍‍ । ଆଚ୍ଛା, ଡକ୍ଟର ବୋଷ କ’ଣ ଆବିଷ୍କାର କରୁଛନ୍ତି ?”

 

କିଛିକ୍ଷଣ ନୀରବ ରହି ତାପସ କହିଲା–“ତାହା ଏ ପର୍ଯ୍ୟନ୍ତ ଅତି ଗୋପନ ରଖା ହୋଇଛି । ଅବଶ୍ୟ ତୁମକୁ କହିବାରେ ମୋର ଆପତ୍ତି ନାହିଁ । ତୁମେ ଜାଣ ଏ ଯୁଗରେ ପେଟ୍ରୋଲର ଉପକାରିତା କେତେ ବେଶି; କିନ୍ତୁ ପୃଥିବୀ ବକ୍ଷରୁ ପେଟ୍ରୋଲ ଅତି ଦ୍ରୁତ ଶେଷ ହୋଇଆସୁଛି । ପୃଥିବୀର ବୈଜ୍ଞାନିକମାନେ ବହୁ ଦିନରୁ ପେଟ୍ରୋଲ ପରିବର୍ତ୍ତେ ଆଉ କ’ଣ ବ୍ୟବହାର କରାଯାଇ ପାରେ ସେହି ବିଷୟରେ ଗବେଷଣା କରୁଛନ୍ତି । ଏ ପର୍ଯ୍ୟନ୍ତ ପୃଥିବୀରେ କେହି ଏହାର ସମାଧାନ କରିପାରିନାହାନ୍ତି; କିନ୍ତୁ ବୈଜ୍ଞାନିକ ବୋଷ ଆବିଷ୍କାର କରିଛନ୍ତି ଯେ ସମୁଦ୍ର ପାଣିରୁ ଅତି ଉତ୍କୃଷ୍ଟ ପେଟ୍ରୋଲିଅମ ମିଳିପାରେ । ଡକ୍ଟର ବୋଷଙ୍କର ଏହି ଆବିଷ୍କାର ଫଳରେ ସାରା ପୃଥିବୀରେ ଚହଳ ପଡ଼ିଯିବ । ବିଶ୍ଵବିଜ୍ଞାନର ଦରବାରର ଭାରତବର୍ଷ ଅତି ଶୀର୍ଷ ଆସନ ଗ୍ରହଣ କରିବ ।’’

 

ଇନ୍ଦିରା ଆଶ୍ଚର୍ଯ୍ୟର ଭାବ ଦେଖାଇ କହିଲା–“ସତେ ନା ! ତା’ହେଲେ ମୋର କାର୍‍ ପାଇଁ ଆଉ ପେଟ୍ରୋଲ ନ କିଣି ଏଇ ସମୁଦ୍ର ପାଣି ଦି ବାଲ୍‌ଟି ପୂରାଇ ଦେଲେ ଚଳିବ । ସେତେବେଳେ ପୁଣି ସମୁଦ୍ର କୂଳରେ ଲୁହା ବାଡ଼ ବସାଇ ସରକାର ପାଣି ବିକ୍ରି କରିବେ ନାହିଁତ ?”

 

ସାମାନ୍ୟ ହସି ତାପସ କହିଲା–‘‘ତୁମେ ହୁଏତ ଆଜି ହସୁଛ ଇନ୍ଦିରା; କିନ୍ତୁ କିଛିଦିନ ପରେ ତୁମେ ଦେଖିପାରିବ ଅବଶ୍ୟ ଏହି ସମୁଦ୍ର ପାଣିକୁ ପୂରାଇଲେ ପେଟ୍ରୋଲ ପରି ହେବନାହିଁ । ନାନା ବୈଜ୍ଞାନିକ ଉପାୟରେ ସେଥିରୁ ପେଟ୍ରୋଲିୟମ ବାହାରିବ । ଡକ୍ଟର ବୋଷଙ୍କ ଲାବୋରେଟେରିରେ ତାହା ପ୍ରମାଣିତ ହୋଇଛି । ତାଙ୍କର ସେହି ଆବିଷ୍କାରର ଫର୍ମୁଲା ସେ ଦିଲ୍ଲୀର ବୈଜ୍ଞାନିକ ସମ୍ମିଳନୀରେ ଦେଖାଇବେ ।”

 

ଇନ୍ଦିର କହିଲା–“ସେ ଫର୍ମୁଲା କ’ଣ ସେ ଦିଲ୍ଲୀର ବିଜ୍ଞାନାଗାରକୁ ପଠାଇ ଦେଇଛନ୍ତି-?”

 

–“ନା, ନା, ତାହା ସେ ସର୍ବଦା ତାଙ୍କ ନିକଟରେ ରଖିଥାନ୍ତି । ତାଙ୍କର ଅତି ବିଶ୍ଵସ୍ତ ସହକାରୀଙ୍କୁ ମଧ୍ୟ ଦେଖାନ୍ତି ନାହିଁ’’, ତାପସ କହିଲା ।

 

–“ତୁମେ ମଧ୍ୟ ତାହା ଦେଖି ନାହଁ ? ତୁମେ ତ ତାଙ୍କର ଲାବୋରେଟରିରେ କାମ କରୁଛ-। ତା’ଛଡ଼ା ଏଠାରେ ହୋଟେଲରେ ଏକା ରୁମରେ ରହୁଛ । ତୁମେ ତ ତାଙ୍କର ଅଜ୍ଞାତରେ ଅନାୟାସରେ ତାହା ଦେଖିପାରନ୍ତ । ତାହା କ’ଣ ଖଣ୍ଡିଏ ସାନ କାଗଜରେ ଲେଖା ?”

 

ତାପସ କହିଲା–“ନା, ନା । ତାହା କଳା ରଙ୍ଗର ମରକ୍କୋ ବନ୍ଧା ଖଣ୍ଡିଏ ବଡ଼ ବହି । ଦିନରାତି ବୁଢ଼ା ତାକୁ ନିଜର ବ୍ୟାଗରେ ରଖିଥାଏ । ରାତିରେ ହଠାତ୍ ଉଠି ଆଲୁଅ ଜଳାଇ କେବେ କେବେ ତାକୁ ପଢ଼ିବାକୁ ବସେ । ତା’ଛଡ଼ା ମୁଁ କାହିଁକି ବା ତାକୁ ଦେଖିବା ପାଇଁ କୌତୁହଳୀ ହେବି ! ଡକ୍ଟର ବୋଷ ମୋର ଗୁରୁ । ତାଙ୍କ ସହିତ ତ ମୁଁ ବିଶ୍ଵାସଘାତକତା କରିପାରେ ନା !”

 

ତାପସ ଓ ଇନ୍ଦିରା ଯେଉଁ ନିରୋଳା ସ୍ଥାନଟି ଖୋଜି ବସିଥିଲେ ତା’ରି ଅନତିଦୂରରେ ଗୋଟିଏ ଦୀର୍ଘାକୃତି ଲୋକ କିଛିକ୍ଷଣରୁ ଛିଡ଼ା ହୋଇ ସେମାନଙ୍କ ଆଡ଼େ ଚାହିଁରହିଥିଲା । ତାପସ କହିଲା–“ଦେଖୁଛ ନା, ଏ ଲୋକଟା କେଡ଼େ ଅଭଦ୍ର । ଏକା ଧ୍ୟାନରେ ଆମକୁ ଚାହିଁରହିଛି ।’’

 

ଇନ୍ଦିରା ଲୋକଟାକୁ ଚାହିଁ ଦେଖିଲା, ଗୋଟିଏ ଦୀର୍ଘାକୃତି ବଳବାନ ପୁରୁଷ । ତା’ର ଚାହିଁବାର ଭଙ୍ଗି ଦେଖି ଇନ୍ଦିରା ମନେ ମନେ ଶଙ୍କିତ ହେଲା । ତା’ପରେ ନିଜର ହାତଘଡ଼ିକୁ ଚାହିଁ କହିଲା–‘‘ଚାଲ ହୋଟେଲକୁ ଫେରିବା ତାପସ । ସଞ୍ଜ ହୋଇ ଆସିଲାଣି ।”

 

ନିଜ ହୋଟେଲକୁ ଫେରି ଆସି ଇନ୍ଦିରା କୋଠରୀ ଭିତରୁ କବାଟ ବନ୍ଦ କରି ଦେଲା । ବିଜୁଳି ଆଲୁଅରେ ପରିଚ୍ଛନ୍ନ ସାନକୋଠରୀଟି ଉଦ୍ଭାସିତ ହୋଇଉଠିଲା । ଟେବୁଲ ଉପରେ ତାପସ ଚୌଧୁରୀର ଖଣ୍ଡିଏ ଫଟୋ ଷ୍ଟାଣ୍ଡରେ ରଖା ହୋଇଛି । ଏକଧ୍ୟାନରେ ଫଟୋଟିକୁ ଚାହିଁ ସେ ନୀରବରେ ଛିଡ଼ା ହୋଇ ରହିଲା । କିଛିକ୍ଷଣ ପରେ ବକ୍ଷ କମ୍ପାଇ ଗୋଟିଏ ଦୀର୍ଘ ନିଶ୍ଵାସ ବାହାରିଗଲା । ଜୀବନସାରା କ’ଣ ସେ କେବଳ ଅଭିନୟ କରିଯିବ ?

 

ଲୁହା ଟ୍ରଙ୍କ ଖୋଲି ଇନ୍ଦିରା ଗୋଟିଏ ଅଦ୍ଭୁତ ଯନ୍ତ୍ର ବାହାର କରି ଟେବୁଲ ଉପରେ ରଖିଲା । କିଛିକ୍ଷଣ କଳକବ୍‌ଜା ମୋଡ଼ିବା ପରେ ସେ ଯନ୍ତ୍ରରୁ ଏକ ପ୍ରକାର ଶବ୍ଦ ବାହାରିଲା । ଏଇଟି ଗୋଟିଏ ଅତି ଶକ୍ତିଶାଳୀ ରେଡ଼ିଓ ଟେଲିଫୋନ୍ । କାନରେ ଇଅର ଫୋନ୍ (Ear Phone) ଲଗାଇ କିଛିକ୍ଷଣ ଅପେକ୍ଷା କଲା । ତା’ପରେ ହଠାତ୍ ଯନ୍ତ୍ରରୁ ଶବ୍ଦ ଭାସି ଆସିଲା–‘‘ଜେବ୍‍ଉନ୍ନିସା, ମୁଁ କର୍ଣ୍ଣେଲ କହୁଛି । ଆଉ ଖବର କ’ଣ ?”

 

ଜେବ୍‍ଉନ୍ନିସା ଓରଫ ଇନ୍ଦିରା ଉତ୍ତର ଦେଲା–“ଖବର ସବୁ ଭଲ ଓ ଆଶାଜନକ କର୍ଣ୍ଣେଲ । ବୈଜ୍ଞାନିକ ବୋଷଙ୍କର ସହକାରୀ ସହିତ ମୋର ବନ୍ଧୁତା ହେଇଛି । ତାଙ୍କର ଫର୍ମୁଲା ବହି କେଉଁଠାରେ ଥାଏ ତାହା ମଧ୍ୟ ମୁଁ ଜାଣି ପାରିଛି । ଏବେ କେବଳ କାମ ହାସଲ କରିବା ଅପେକ୍ଷାରେ କିନ୍ତୁ; ମୋର ଯେ ଆଉ ଜଣେ ଲୋକର ପ୍ରୟୋଜନ !’’

 

କର୍ଣ୍ଣେଲ କହିଲେ–“ସେ ବିଷୟରେ ତୁମେ ଚିନ୍ତିତ ହେବନାହିଁ । ସେଠାକାର ଏଜେଣ୍ଟକୁ ଯଥାରୀତି ଉପଦେଶ ପଠାଇଛି । ସେ ତୁମ ସହିତ ଦେଖାକରିବ । ଯେତେଶୀଘ୍ର ସମ୍ଭବ କାମ ଶେଷ କର ।”

 

ଶବ୍ଦ ତରଙ୍ଗ ବନ୍ଦ ହୋଇଗଲା । ଏହି ସମୟରେ ବାହାର କବାଟରେ ମୃଦୁ କର ଶବ୍ଦ ଶୁଣାଗଲା । ଜେବ୍‍ଉନ୍ନିସା ଚମକି ଉଠିଲା । ଯନ୍ତ୍ରଟି ବାକ୍‌ସ ଭିତରେ ରଖି ଦୁଆର ଫିଟାଇ ଦେଲା । ହୋଟେଲର ଖାନସାମା ଗୋଟିଏ ଟ୍ରେ’ରେ ଧୂମାୟମାନ କଫି ଧରି ଗମ୍ଭୀର ଭାବରେ ଛିଡ଼ା ହୋଇଛି; କିନ୍ତୁ ଲୋକଟିକୁ ଦେଖି ଇନ୍ଦିରା ଚମକି ଉଠିଲା । କିଛିକ୍ଷଣ ପୂର୍ବେ ସମୁଦ୍ର କୂଳରେ ଯେଉଁ ଲୋକଟି ତାକୁ ଚାହିଁରହିଥିଲା ଏ ସେହି ଲୋକ । ଖାନସାମାର ପୋଷାକ ପିନ୍ଧିଥିଲେ ମଧ୍ୟ ଏ ହୋଟେଲରେ ସେ ତାକୁ ପୂର୍ବେ ଦେଖିନାହିଁ । ତେବେ ଏ କିଏ ? ଏ କ’ଣ ପୁଲିସ୍‍ର ଗୁପ୍ତଚର ।

 

ଗମ୍ଭୀର ଭାବରେ ଟେବୁଲ ଉପରେ କଫି ରଖି ଖାନସାମା ନୀରବରେ ଛିଡ଼ା ହେଲା । ମନର ଶଙ୍କାକୁ ଯଥା ସମ୍ଭବ ଚାପି ରଖି ଇନ୍ଦିରା ପଚାରିଲା–“ଏ ହୋଟେଲରେ ତୁମେ କେବେଠାରୁ ଚାକିରି କରୁଛ, ବୟ ?”

 

ମୁରୁକି ହସି ଖାନସାମା କହିଲା–“ଆଜି ସକାଳୁ ମେମ୍ ସାହେବ ।’’ ଖାନସାମାର ମୁରୁକି ହସ ଦେଖି ଇନ୍ଦିରା ବିରକ୍ତ ହେଲା । କହିଲା–‘‘ଖାନସାମା, କୌଣସି ସମ୍ଭ୍ରାନ୍ତ ମହିଳାଙ୍କ ସହିତ କଥା କହିଲାବେଳେ ଏପରି ମୁରୁକି ହସିବା ବେ ଆଦବି । ମୁଁ ତୁମର ମେନେଜରକୁ ଏହିକ୍ଷଣି ଏ ବିଷୟ ଜଣାଇବି । ତୁମର ଚାକିରି ଯିବ ।’’

 

ଇନ୍ଦିରାର କ୍ରୋଧରେ ଖାନସାମା ବିନ୍ଦୁମାତ୍ର ବିଚଳିତ ନ ହୋଇ ପୁଣି ଥରେ ସାମାନ୍ୟ ହସିଲା । ତା’ପରେ ନିଜ ପକେଟରେ ହାତ ପୂରାଇ ଗୋଟିଏ ନାଲି ରଙ୍ଗର ଗୋଲାପ ଫୁଲ ବାହାର କରି ନିଜ ଜାମା ଦେହରେ ଗୁଞ୍ଜି ଦେଲା । ଏହା ଦେଖି ଇନ୍ଦିରାର କ୍ରୋଧ ହଠାତ୍ ଉଭେଇ ଗଲା । ମଧୁର ହସ ହସି ସେ କହିଲା, “ଓ ! ମୁଁ ଜାଣି ନ ଥିଲି । କ୍ଷମା କରିବେ । ଏହିକ୍ଷଣି କର୍ଣ୍ଣେଲ୍‍ଙ୍କ ସଙ୍ଗେ ମୋର କଥାବାର୍ତ୍ତା ହେଉଥିଲା । ସେ କହିଲେ ଯେ ଆପଣ ଖୁବ୍ ଶୀଘ୍ର ମୋ ସହିତ ଦେଖା କରିବେ । ଆପଣଙ୍କର ନାମ କ’ଣ ?’’

 

ଚାରିଆଡ଼କୁ ଚାହିଁ ଖାନସାମା କହିଲା, ‘‘ମୋର ନାମ ଶେର୍‍ ମହମ୍ମଦ, କିନ୍ତୁ ଏ ହୋଟେଲରେ ମୋର ପରିଚୟ ହେଉଛି ନିଳମଣୀ ଖାନସାମା ।”

 

ଆଠ

 

ମୌନୀପାହାଡ଼ର ନିଭୃତ ଚଣ୍ଡୀ ମନ୍ଦିର । ଯେଉଁଠାରେ ଦିନେ ସିଦ୍ଧ ସାଧକର ମନ୍ତ୍ର ପାଠରେ ବନଭୂମି ମୁଖରିତ ହେଉଥିଲା ସେହି ପବିତ୍ର ଚଣ୍ଡୀ ମନ୍ଦିରରେ ସଇତାନର ବୈଠକ ବସିଛି-। ପାଷାଣମୟୀ ଦେବୀ ପ୍ରତିମା ସେହିପରି ନିର୍ଲିପ୍ତ ଭାବରେ ମଣ୍ଡପରେ ଉଭା ।

 

କର୍ଣ୍ଣେଲ ଅତିଶୟ ଉଦ୍‌ବିଗ୍ନ ଦେଖାଯାଉଛନ୍ତି । ସେହିପରି ସନ୍ନ୍ୟାସୀର ଛଦ୍ମବେଶ, ପ୍ରଶସ୍ତ କପୋଳ ତାଙ୍କର ରେଖା କୁଞ୍ଚିତ । ବୈଠକରେ ଏ ନୃଶଂସ ଦସ୍ୟୁଦଳର ସମସ୍ତେ ଅଛନ୍ତି । ସମସ୍ତଙ୍କର ସେହିପରି ଆଶ୍ରମଚାରୀ ସନ୍ନ୍ୟାସୀର ବେଶ । କିଛିକ୍ଷଣ ପରେ ଗମ୍ଭୀର କଣ୍ଠରେ କର୍ଣ୍ଣେଲ କହିଲେ–“କଲିକତାରୁ ମୁଁ ଅତ୍ୟନ୍ତ ଦୁଃସମ୍ବାଦ ପାଇଛି । ଡିଟେକ୍ଟିଭ୍‍ ଭବାନୀ ମହାପାତ୍ର ଏହି ଘଟଣାର ତଦନ୍ତରେ ଅତିଶୟ ଉତ୍ସାହୀ ହୋଇଉଠିଥିଲା । ସେଥିଯୋଗୁଁ ମୁଁ ତା’ର ମୃତ୍ୟୁ ଆଦେଶ ଦେଇଥିଲି । ରହିମ୍ ସର୍ଦ୍ଦାର ତାକୁ ଧରି ନେଇ ବନ୍ଦୀ କରି ରଖିଥିଲା; କିନ୍ତୁ ଅଦ୍ଭୁତ ଉପାୟରେ ଡିଟେକ୍ଟିଭ୍‍ଟା ଖସି ପଳାଇଛି । କେବଳ ସେତିକି ନୁହେଁ । ରହିମ୍ ସର୍ଦ୍ଦାରର ଆଡ଼୍‌ଡ଼ାରେ ଗୋଟିଏ ହିଂସ୍ର ମହାବଳ ବାଘ ଯନ୍ତାରେ ରଖା ହୋଇଥିଲା । କୌଣସି ଖୁଣୀ ଲାସ୍‌କୁ ହଜମ କରିବା ପାଇଁ ଏ ଜନ୍ତୁଟି ବଡ଼ ଉପକାରୀ । ସେହି ବାଘ ମୁହଁରେ ଆମର କାଳୁ ପହିଲ୍‍ମାନର ପ୍ରାଣ ଯାଇଛି, ଡିଟେକ୍ଟିଭ୍‍ କୌଶଳରେ ହଠାତ୍ ଯନ୍ତା ମୁହଁଟା ଖୋଲିଦେଲା । ବାଘଟା କାଳୁକୁ ଆକ୍ରମଣ କଲା । ଆଉ ସେଇ ସୁଯୋଗରେ ଡିଟେକ୍ଟିଭ୍‍ ପଳାଇ ଯାଇଛି । କେବଳ ସେତିକି ନୁହଁ, ସେଇ ରାତିରେ ଭବାନୀ ମହାପାତ୍ର ପୁଲିସ୍‍ ଫଉଜ ଆଣି ରହିମ୍‌ ସର୍ଦ୍ଦାରର ଘର ଘେରାଉ କଲା । ଦୁଇ ପକ୍ଷରୁ ଗୁଳି ଚାଲିଲା, ସେ ଯୁଦ୍ଧରେ ରହିମ୍ ସର୍ଦ୍ଦାର ଓ ତା’ର ଆଉ ଦୁଇଜଣ ବିଶ୍ଵସ୍ତ ଅନୁଚର ପ୍ରାଣ ହରାଇଛନ୍ତି ।’’

 

କର୍ଣ୍ଣେଲଙ୍କ କଥା ଶୁଣି ସମସ୍ତେ ମୌନ ହୋଇ ବସି ରହିଲେ । ସମସ୍ତଙ୍କ କପାଳରେ ଚିନ୍ତାର ରେଖା । କିଛିକ୍ଷଣ ପରେ କର୍ଣ୍ଣେଲ ପୁଣି କହିଲେ–“ମୁଁ ସେ ଡିଟେକ୍ଟିଭ୍‍ ମୃତ୍ୟୁ ଘୋଷଣା କରିଛି ଓ ସେଥିପାଇଁ ଦଶହଜାର ଟଙ୍କା ପୁରସ୍କାର ମଧ୍ୟ ଘୋଷଣା କରିଛି । ମୋର ବିଶ୍ଵାସ, ଦିନେ ଦୁଇଦିନ ଭିତରେ ତା’ର ଭବଲୀଳା ଶେଷ ହେବ । କିନ୍ତୁ…..”

 

ମେଜର ଓସ୍‍ମାନ କହିଲା–“ରହିମ୍‌ ସର୍ଦ୍ଦାରର ଅନ୍ୟକେତେକ ଅନୁଚରଙ୍କୁ ଗିରଫ କରି ପୁଲିସ୍‍ କ’ଣ ଆମ୍ଭମାନଙ୍କ ସମ୍ବନ୍ଧରେ କିଛି ଜାଣିପାରିବାର ସମ୍ଭାବନା ଅଛି ?’’

 

କର୍ଣ୍ଣେଲ କହିଲେ–‘‘ନାଁ, ସେପରି ସମ୍ଭାବନା ମୋଟେ ନାହିଁ । କାରଣ ରହିମ୍ ନିଜେ ମଧ୍ୟ ଆମ୍ଭମାନଙ୍କ ବିଷୟରେ କିଛି ଜାଣି ନ ଥିଲା । କେବଳ ଆମର ଏଜେଣ୍ଟଠାରୁ ଟଙ୍କା ନେଇ ସେ ଆମପାଇଁ କେତୋଟି କାମ କରିଥିଲା, କିନ୍ତୁ ତଥାପି ଏଠାରେ ଆଉ ବେଶି ଦିନ ରହିବା ନିରାପଦ ନୁହେଁ । ଦୁଇ ତିନି ଦିନ ଭିତରେ ଜେବ୍ଉନ୍ନିସା ଏଠାରେ ପହଞ୍ଚିବ । ମୋର ବିଶ୍ଵାସ ସେ ବୈଜ୍ଞାନିକ ବୋଷଙ୍କୁ ମଧ୍ୟ ବନ୍ଦୀ କରିଆଣିବ । ଆମର ଦୁଇଟି “ହେଲିକାପ୍‌ଟର’’ ମଧ୍ୟ ପ୍ରସ୍ତୁତ ଅଛି । ସେ ପହଞ୍ଚିବା ମାତ୍ରେ ଆମ୍ଭେମାନେ ଏଠାରୁ ପଳାଇଯିବା । ତୁମେମାନେ ସମସ୍ତେ ପ୍ରସ୍ତୁତ ରୁହ । ଆକାଶ ମାର୍ଗରେ ମାତ୍ର ଦୁଇଘଣ୍ଟା ପରେ ଆମ୍ଭେମାନେ ଭାରତବର୍ଷ ଛାଡ଼ି ନିରାପଦ ସ୍ଥାନକୁ ଚାଲିଯାଇ ପାରିବା ।”

 

–“କିନ୍ତୁ ଆମର ଏଠାକାର ଏ ବନ୍ଦୀଟା କଥା କ’ଣ ହେବ ?’’ ହବିବ୍ ପଚାରିଲା ।

 

କର୍ଣ୍ଣେଲ କହିଲେ–‘‘ହଁ ସେ ବିଷୟରେ ସଠିକ ଉପଦେଶପାଇଁ ମୁଁ ହେଡ଼୍‍କ୍ୱାଟରକୁ ପଚାରିଥିଲି । ସେମାନଙ୍କର ଉଦ୍ଦେଶ୍ୟ ଯେ ପ୍ରଲୋଭନରେ ତାଙ୍କୁ ସମ୍ମତ କରି ଆମ୍ଭେ ଘେନି ଯିବା; କିନ୍ତୁ ଯେପରି ଦେଖାଯାଉଛି, ଭୟ ବା ପ୍ରଲୋଭନରେ ସମ୍ମତ ହେବାର ପାତ୍ର ସେ ନୁହଁନ୍ତି, କିନ୍ତୁ ଆମ୍ଭମାନଙ୍କୁ ଯଥାସାଧ୍ୟ ଚେଷ୍ଟା କରିବାକୁ ହେବ । ଆଉ ଯଦି ସେ ଚେଷ୍ଟା ସଫଳ ନ ହୁଏ ତେବେ ତାଙ୍କୁ ମରିବାକୁ ହେବ ।”

 

ଉଲ୍ଲସିତ ଚିତ୍ତରେ ହବିବ୍ କହିଲା–‘‘ତାହାହିଁ ଅତି ଉତ୍କୃଷ୍ଟ ବ୍ୟବସ୍ଥା କର୍ଣ୍ଣେଲ, ଲୋକଟାର କଥାବାର୍ତ୍ତା ଅତି ଅଭଦ୍ର । ତା’ର କଥା ଶୁଣି ରାଗରେ ମୋର ଦେହ ଜଳିଯାଏ । ତା’ ଛାତି ଉପରେ ବସି ତା’ ଜିଭ ଓପାଡ଼ି ଆଣିବାକୁ ଇଚ୍ଛା ହୁଏ । ଖାଲି ଆପଣଙ୍କର ନିଷେଧ ବୋଲି ମୁଁ କିଛି କରେ ନାହିଁ ।”

 

କର୍ଣ୍ଣେଲ ହସି କହିଲେ–‘‘ନା, ତୁମକୁ ସେପରି କିଛି କରିବାକୁ ହେବନାହିଁ । ଯାହା କରିବାର ପ୍ରୟୋଜନ ତା’ ମୁଁ ନିଜେ କରିବି ।”

 

ନିର୍ଜନ ବନ୍ଦୀଶାଳାରେ ବୈଜ୍ଞାନିକ ରମେଶ ଦାଶ ନିର୍ଜୀବ ପରି ପଡ଼ିରହିଛନ୍ତି । ଏହି ନୀରବ କୋଠରୀରେ ଆଲୁଅ ନାହିଁ, ପବନ ନାହିଁ । ଏହି କେତକ ଦିନର ମାନସିକ ଶାନ୍ତିରେ ସେ ଅତ୍ୟନ୍ତ ଦୁର୍ବଳ ହୋଇଗଲେଣି । ଜୀବନରେ ଥିଲା ତାଙ୍କର ହିମାଳୟ ପରି ଉଚ୍ଚାଭିଳାସ, ତାଙ୍କର ସବୁ ବିଦ୍ୟା–ସବୁ ବିକାଶର କ’ଣ ଏହି ପରିଣତି ! ଜୀବନସାରା ବିଜ୍ଞାନ ଚର୍ଚ୍ଚା କରି ଭଗବାନ ରୂପକ ଗୋଟିଏ କାଳ୍ପନିକ ମହାଶକ୍ତିକୁ ସେ ଏକ ପ୍ରକାର ଅବିଶ୍ଵାସ କରି ଆସିଛନ୍ତି । ଆଜି ଜୀବନର ଚରମ ଦୁର୍ଦ୍ଦିନରେ ବସ୍ତୁବାଦୀ ବୈଜ୍ଞାନିକ ସେହି କାଳ୍ପନିକ ମହାଶକ୍ତିଙ୍କ ନିକଟରେ ମୁଣ୍ଡ ନୁଆଁଇଲେ–“ପ୍ରଭୋ, ମୋତେ ମରିବାକୁ ସାହସ ଦିଅ । ଜନ୍ମଭୂମିର ଶତ୍ରୁ ନିକଟରେ ଯେପରି ମୁଁ ଆତ୍ମସମର୍ପଣ ନ କରେ ।

 

ଏହି ସମୟରେ ଘରର କବାଟ ଖୋଲି ସେ ଘରେ କର୍ଣ୍ଣେଲ ପ୍ରବେଶ କଲେ । ତାଙ୍କର ସେହିପରି ସନ୍ନ୍ୟାସୀର ବେଶ, ଖଣ୍ଡିଏ ଚୌକିରେ ବସି ଧୀରେ ଧୀରେ କହିଲେ “ଆପଣ କ’ଣ ଅସୁସ୍ଥ ଡକ୍ଟର ଦାଶ ?”

 

ପ୍ରଚଣ୍ଡ ଘୃଣାରେ ଭ୍ରୂକୁଞ୍ଚିତ କରି ବୈଜ୍ଞାନିକ କହିଲେ–“ସେଥିରେ ଆପଣଙ୍କର ଦୁଶ୍ଚିନ୍ତା ହେଉଛି ବୋଲି ମୋର ମନେ ହେଉନାହିଁ; କିନ୍ତୁ ମୋତେ ଏପରି ଭାବରେ ଅଟକାଇ ରଖିବାର ଆଉ ପ୍ରୟୋଜନ କଅଣ ? ଆପଣମାନଙ୍କ ନିକଟରୁ ମୁକ୍ତି ମୁଁ ଆଶା କରୁନାହିଁ । ମୋତେ ଶୀଘ୍ର ହତ୍ୟାକରନ୍ତୁ, ଏହାହିଁ ମୋର ଅନୁରୋଧ ।”

 

କର୍ଣ୍ଣେଲ କହିଲେ–“ଆପଣ ଅତ୍ୟନ୍ତ ନିର୍ବୋଧ ପରି ବ୍ୟବହାର କରୁଛନ୍ତି ଡକ୍ଟର ଦାଶ । ନିଜର ମୁକ୍ତି ଆପଣଙ୍କର ନିଜ ଇଚ୍ଛାଧୀନ । ଆପଣ କେବଳ ଇଚ୍ଛାକଲେ ଆମର ପରମ ସୁହୃଦ୍ ହୋଇପାରିବେ । ଧନ ସମ୍ମାନ ଓ ଯଶରେ ଆପଣଙ୍କର ଦୀର୍ଘ ଜୀବନ ମଣ୍ଡିତ ହେବ; କିନ୍ତୁ ସେସବୁ ଛାଡ଼ି ଆପଣ ମରିବାକୁ ଇଚ୍ଛା କରୁଛନ୍ତି ଏହା କ’ଣ କେବଳ ଭାବପ୍ରବଣତା ନୁହେଁ ? ସେ ଇଚ୍ଛା ପୂର୍ଣ୍ଣ କରିବାକୁ ଆମର ଯେ ତିଳେ ମାତ୍ର ଆପତ୍ତି ନାହିଁ–ଏ କଥା ବୋଧହୁଏ ଆପଣ ଭଲକରି ହୃଦୟଙ୍ଗମ କରିସାରିଲେଣି; କିନ୍ତୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଆପଣ ମରନ୍ତୁ ନାହିଁ, ବାତୁଳତା ଛାଡ଼ନ୍ତୁ ଓ ନିଜର ମତ ପରିବର୍ତ୍ତନ କରନ୍ତୁ ।” ମ୍ଳାନ ହସ ହସି ବୈଜ୍ଞାନିକ କହିଲେ–‘ମୃତ୍ୟୁ ଭୟରେ ମୁଁ ବିନ୍ଦୁମାତ୍ର କାତର ନୁହେଁ କର୍ଣ୍ଣେଲ । ଆପଣ ବୃଥା ସମୟ ନଷ୍ଟ କରୁଛନ୍ତି । ମୋର ଉପଦେଶ ଶୁଣନ୍ତୁ । ମୋତେ ଅତିଶୀଘ୍ର ହତ୍ୟାକରି ଆପଣମାନେ ଏଠାରୁ ସ୍ଵଦେଶକୁ ପଳାନ୍ତୁ, କାରଣ ଆପଣମାନେ ନିଜକୁ ଯେତେ ବୁଦ୍ଧିମାନ ଓ ଧୂର୍ତ୍ତ ମନେକରୁଥିଲେ ମଧ୍ୟ, ‘ଭାରତବର୍ଷ ଜାଗ୍ରତ ରାଷ୍ଟ୍ର’ ଏଠାକାର ପୁଲିସ୍‍ ଓ ଗୋଇନ୍ଦା ବିଭାଗ ଅତିଶୟ ତତ୍ପର, ବିଳମ୍ବ କଲେ ତୁମମାନଙ୍କ ହାତରେ ନିଶ୍ଚୟ ବେଢ଼ି ପଡ଼ିବ । ତୁମ୍ଭମାନଙ୍କର ପରି ପିଶାଚ ପାଇଁ ଏ ଦେଶର ଏ ଆଇନରେ କେବଳ ଗୋଟିଏ ମାତ୍ର ବିଧାନ ଅଛି; ତାହା ହେଉଛି ଫାଶୀ । ଅତଏବ ଅଯଥା ମୋତେ ଉପଦେଶାମୃତ ନ ଶୁଣାଇ ମୋ କଥା ଶୁଣ, ଅତି ଶୀଘ୍ର ଏଠାରୁ ପଳାଇ ଆତ୍ମରକ୍ଷା କର ।

 

ବିଦ୍ରୂପର ହସ ହସି କର୍ଣ୍ଣେଲ କହିଲେ–“ଆପଣଙ୍କର ଉପଦେଶ ମୁଁ ମନେରଖିବି, ମୃତ୍ୟୁ ଯଦି ଆପଣଙ୍କର ଏତେ କାମ୍ୟ ହୁଏ ତେବେ ଆପଣଙ୍କର ମନୋବାଞ୍ଛା ମୁଁ ପୂର୍ଣ୍ଣ କରିବି; କିନ୍ତୁ ସେ ମୃତ୍ୟୁରସ୍ଵରୂପ କ’ଣ ହେବ ଆପଣ କଳ୍ପନା କରିପାରୁଛନ୍ତି କି ? ଶାଙ୍କୁଚ ମାଛର ଲାଙ୍ଗୁଡ଼ରେ ତିଆରି ଗୋଟିଏ ଅତି ସାଙ୍ଘାତିକ ଚାବୁକ ମୋର ଅଛି । ହବିବ୍ ନାମକ ଯେଉଁ ତରୁଣ ସନ୍ନ୍ୟାସୀଟି ଏଠାରେ ଆପଣଙ୍କର ତତ୍ତ୍ୱାବଧାନରେ ଅଛି, ତାକୁ ହୁଏତ ଆପଣ ଭଲକରି ଜାଣନ୍ତି ନାହିଁ । ସେ ଅତିଶୟ ବଳବାନ ଓ ହୃଦୟଟି ତା’ର ଅତି କୋମଳ, ଆପଣଙ୍କ ସୁଧାମୟ କଥା ଶୁଣି ସେ ଏତେ ମୁଗ୍‌ଧ ହୋଇଛି ଯେ ମାତ୍ର କିଛିକ୍ଷଣ ପୂର୍ବେ ସେ ଆପଣଙ୍କର ଛାତି ଉପରେ ବସି ଆପଣଙ୍କର ରସନାଟି ଉତ୍ପାଟନ କରିବାର ଅନୁମତି ଭିକ୍ଷା କରୁଥିଲା । ମୋ ଆଦେଶରେ ପ୍ରତିଦିନ ସକାଳେ ଓ ସଞ୍ଜବେଳେ ସେହି ଶାଙ୍କୁଚ ଚାବୁକରେ ସେ ଆପଣଙ୍କୁ ଦଶ ଚାବୁକ ପ୍ରଦାନ କରିବ । ପୂର୍ବ ଅଭିଜ୍ଞତାରୁ ମୁଁ ଜାଣେ ଯେ ମାତ୍ର ତିନି ଚାରିଟି ଆଘାତ ପରେ ସାଧାରଣ ବଳିଷ୍ଠ ବ୍ୟକ୍ତି ଅଜ୍ଞାନ ହୋଇଯା’ନ୍ତି । ବାକି ପ୍ରହାରଗୁଡ଼ିକର ସ୍ଵାଦୁ ଚାଖି ଚାଖି ଉପଭୋଗ କରି ପାରନ୍ତି ନାହିଁ । ଦେହର ମାଂସ କଟିଯାଇ ଅଜସ୍ର ରକ୍ତ ବାହାରେ । ଶାଙ୍କୁଚର ବିଷାକ୍ତ ସ୍ପର୍ଶରେ ସେ କ୍ଷତ ଭୀଷଣ ଜ୍ଵାଳାକରେ-।” ଏହା କହି କର୍ଣ୍ଣେଲ କିଛିକ୍ଷଣ ନୀରବରେ ଚାହିଁରହିଲେ ।

 

ବୈଜ୍ଞାନିକ ଦାଶ କହିଲେ–“ତୁମମାନଙ୍କ ପରି ପିଶାଚ ପକ୍ଷରେ ସେ ସବୁ ସମ୍ଭବ ତାହା ମୁଁ ଭଲକରି ଜାଣେ ।”

 

କିଛିକ୍ଷଣ ମୌନ ରହି କର୍ଣ୍ଣେଲ କହିଲେ–“ତା’ପରେ ଏ ଓଳିର କ୍ଷତ ସ୍ଥାନରେ ଯେତେବେଳେ ଆରଓଳି ଚାବୁକର ଆଘାତ ପଡ଼ିବ ସେଇଟି ହେବ ଅତିଶୟ ମନୋରମ ଓ ସୁସ୍ୱାଦୁ-। ଶରୀର ଉପରେ ଏହିପରି ନିୟମିତ ଚିକିତ୍ସାରେ ତୁମର ଜୀବନୀଶକ୍ତି ଧୀରେ ଧୀରେ କ୍ଷୀଣ ହୋଇ ଆସିବ । ଶେଷକୁ ତୁମେ ଦିନେ ଆଖି ବୁଜିବ ଓ ତୁମର ପରମ କାମ୍ୟ ମୃତ୍ୟୁଲାଭ କରିବ । ତୁମ ପ୍ରତି ଏହି ବ୍ୟବସ୍ଥାରେ ମୁଁ ଯେ ତିଳେମାତ୍ର ହେଳାକରିବି ନାହିଁ, ମୋର ଏହି ପ୍ରତିଶ୍ରୁତି ତୁମେ ବିଶ୍ଵାସ କରିପାର ।

 

କର୍ଣ୍ଣେଲର କଥା ଶୁଣି ଡକ୍ଟର ଦାଶଙ୍କର ସର୍ବାଙ୍ଗ ଶିହରୀ ଉଠିଲା । ଏ ହୃଦୟହୀନ ରାଜନୈତିକ ଦସ୍ୟୁମାନେ ଯେ କୌଣସି ପୈଶାଚିକ କ୍ରିୟାରେ ପଶ୍ଚାଦପଦ ନୁହନ୍ତି, ଏ କଥା ମଧ୍ୟ ସେ ବୁଝିପାରିଲେ । ତଥାପି ପ୍ରଚଣ୍ଡ ମନ ବଳରେ ସେ ନିଜକୁ ସଂଯତ କରି କହିଲେ–“ମୋତେ ଭୟ ଦେଖାଇବାକୁ ଚେଷ୍ଟା କରିବା ବୃଥା, କର୍ଣ୍ଣେଲ । କାରଣ ମୁଁ ମନ ସ୍ଥିର କରିଛି, ମୃତ୍ୟୁ ଯେତେ ଭୟାବହ ହେଲେ ମଧ୍ୟ ତାହାହିଁ ମୋର କାମ୍ୟ । ଆଉ ଅଯଥା କାଳ ବିଳମ୍ବ ନ କରି ତୁମେ ତୁମର ପୈଶାଚିକ କ୍ରିୟା ଆରମ୍ଭ କର । ମୁଁ ମରିବି; କିନ୍ତୁ ତୁମେ ଏଠାରୁ ଦେଖିଯିବ ଯେ ଦେଶପ୍ରେମ ମରେ ନାହିଁ । ସତ୍ୟ, ପ୍ରେମ ଓ ଅହିଂସା ଯେଉଁ ଜାତିର ମୂଳମନ୍ତ୍ର ସେ ଦେଶର ସନ୍ତାନ ମିଥ୍ୟା, କ୍ରୋଧ ଓ ପାଶବିକ ଶକ୍ତି ନିକଟରେ ମୁଣ୍ଡନୁଆଁଏ ନାହିଁ ।’’

 

କର୍ଣ୍ଣେଲ ଦୁଆର ଖୋଲି କାହାକୁ କ’ଣ ଇଙ୍ଗିତ କଲେ । କିଛିକ୍ଷଣ ପରେ ହବିବ୍ ସେ ଘରେ ପ୍ରବେଶ କଲା, ତା’ ହାତରେ ଶାଙ୍କୁଚ ଲାଙ୍ଗୁଡ଼ର ଖଣ୍ଡେ ବଡ଼ ଚାବୁକ । କର୍ଣ୍ଣେଲ ଡକ୍ଟର ଦାଶଙ୍କ ଆଡ଼େ ଚାହିଁ କହିଲେ–“ମୁଁ ଆପଣଙ୍କୁ ଶେଷଥର ପାଇଁ ଅନୁରୋଧ କରୁଛି, ଆପଣ ମନସ୍ଥିର କରନ୍ତୁ । ଭୟାବହ ଅପଘାତ ମୃତ୍ୟୁକୁ ବରଣ କରନ୍ତୁ ନାହିଁ । ଗୋଟାଏ ଅର୍ଥହୀନ ଦେଶାତ୍ମକ ଭାବପ୍ରବଣତାରେ ଭାସି ଯାଇ ଜୀବନର ସବୁ ସାର୍ଥକତା–ସବୁ ଉଚ୍ଚାଭିଳାଷରେ ଜଳାଞ୍ଜଳି ଦିଅନ୍ତୁ ନାହିଁ ।”

 

ଜଣେ ନିର୍ବିରୋଧୀ ନିସହାୟ ବନ୍ଦୀ ଉପରେ କେତେଗୁଡ଼ିଏ କଥାକଥିତ ଶିକ୍ଷିତ ଲୋକଙ୍କର ଏପରି ପାଶବିକ ବ୍ୟବହାରରେ ଡକ୍ଟର ଦାଶଙ୍କର ମନ ଭୟ ପରିବର୍ତ୍ତେ ଘୃଣାରେ ଜର୍ଜରିତ ହୋଇଉଠିଲା । ଗମ୍ଭୀର ଓ ପୁରୁଷ କଣ୍ଠରେ ସେ କହିଲେ–“ତୁମ୍ଭେମାନେ ମୋତେ ନିଃସହାୟ ଦେଖି ଏପରି ଅତ୍ୟାଚାର କରୁଛ; କିନ୍ତୁ ମନେରଖ ମୋର ଦେଶବାସୀ ଏହାର ପ୍ରତିଶୋଧ ନେବେ । ମୋର ମୃତ୍ୟୁ ପରେ ମୋର ପ୍ରେତାତ୍ମା ତା’ର ପ୍ରତିଶୋଧ ନେବ । ତୁମର ହୀନ ପ୍ରସ୍ତାବ କାନରେ ଶୁଣିବା ଅପେକ୍ଷା ମୃତ୍ୟୁ ମୋ ପକ୍ଷରେ ଶତଗୁଣେ ଭଲ । ଆଉ ବାଗ୍ ବିସ୍ତାର ନ କରି ତୁମର ଏହି ଡାହଳ କୁକୁରକୁ କହ ସେ ଚାବୁକ ଚଲାଉ ।”

 

କର୍ଣ୍ଣେଲ ହବିବ୍‌କୁ ଇଙ୍ଗିତ କଲେ । ହବିବ୍ ପ୍ରଚଣ୍ଡ ଶକ୍ତିରେ ଡକ୍ଟର ଦାଶଙ୍କ ଶୀର୍ଣ୍ଣ ଦେହ ଉପରେ ଚାବୁକ୍ ପ୍ରହାର କଲା । ସେ କଣ୍ଟକମୟ ଭୀଷଣ ଚାବୁକ୍‌ ଶୂନ୍ୟରେ ସାଇଁ ସାଇଁ ଗର୍ଜ୍ଜନ କରିଉଠିଲା ଓ ତା’ପରେ ବୈଜ୍ଞାନିକଙ୍କ ଦେହ ଉପରେ ଦୀର୍ଘ ଗୋଟିଏ ରକ୍ତର ରେଖା ଫୁଟିଉଠିଲା-। ଦାରୁଣ ଯନ୍ତ୍ରଣାରେ ତାଙ୍କର ମୁଖ ବିକୃତ ହୋଇଉଠିଲା । ଆଖି ଆଗରୁ ଆଲୁଅ ଲିଭି ଆସିଲା । କାନ ନିକଟରେ ସମୁଦ୍ର ଗର୍ଜ୍ଜନ ପରି ଶୁଭିଲା ।

 

ଆଉ ଥରେ ସେହିପରି ଦାରୁଣ ପ୍ରହାର ହେଲା । ସେ ଦାରୁଣ ଯନ୍ତ୍ରଣା ଆଉ ସେ ସହିପାରିଲେ ନାହିଁ । ଚିନ୍ତା ଶକ୍ତି ତାଙ୍କର ଲୋପ ପାଇଲା । ସେ ଅଜ୍ଞାନ ହୋଇ ପଡ଼ି ରହିଲେ । ହବିବ୍ ପୁଣି ଥରେ ଚାବୁକ୍‍ ଉଞ୍ଚେଇ ଥିଲା; କିନ୍ତୁ କର୍ଣ୍ଣେଲଙ୍କ ଇଙ୍ଗିତରେ ବନ୍ଦ କଲା । ଜ୍ଞାନ ହୀନ ବୈଜ୍ଞାନିକଙ୍କର ହାତ ଧରି କର୍ଣ୍ଣେଲ ନାଡ଼ୀ ପରୀକ୍ଷା କଲେ । ଅତି କ୍ଷୀଣ ସ୍ପନ୍ଦନ ହେଉଛି । ସାମାନ୍ୟ ହସି କର୍ଣ୍ଣେଲ ନିମ୍ନ ସ୍ଵରରେ କହିଲେ–“ଅତ୍ୟନ୍ତ କ୍ଷୀଣଜୀବି ଦୁର୍ବଳ ଲୋକ; କିନ୍ତୁ ଏପରି ମୃତ୍ୟୁ ଭୟହୀନ ସାହସ ଏ ଦୁର୍ବଳ ଦେହୀ ଭାରତୀୟମାନେ ପା’ନ୍ତି କିପରି !”

 

ନଅ

 

ସଞ୍ଜବେଳେ ନିଜର ନିଭୃତ କୋଠରୀକୁ ଭିତରୁ ବନ୍ଦ କରି ଜେବ୍ଉନ୍ନିସା କର୍ଣ୍ଣେଲଙ୍କ ସହିତ ରେଡ଼ିଓ ଟେଲିଫୋନ ସଂଯୋଗ କଲା । କିଛିକ୍ଷଣ ପରେ ଇଅର ଫୋନରେ ସ୍ଵର ଭାସିଆସିଲା । କର୍ଣ୍ଣେଲଙ୍କର ଗମ୍ଭୀର କଣ୍ଠସ୍ଵର, “ସବୁ ପ୍ରସ୍ତୁତ ଜେବ୍ଉନ୍ନିସା ?’’

 

–ହଁ କର୍ଣ୍ଣେଲ, ସବୁ ପ୍ରସ୍ତୁତ । ଆଜି ରାତି ଦଶଟାବେଳେ ମୁଁ ଯାତ୍ରା କରିବି । ଗୋଟିଏ କଥା ମୁଁ ଜାଣିବାକୁ ଚାହେଁ, ଆମର ଏଠାକାର ଏଜେଣ୍ଟର ନାମ କ’ଣ ?”

 

କର୍ଣ୍ଣେଲ କହିଲେ–“କାହିଁକି ଜାଣିବାକୁ ଚାହୁଁଛ ? ତୁମର କ’ଣ ତାକୁ ସନ୍ଦେହ କରିବାର କିଛି କାରଣ ଘଟିଛି ।’’

 

–‘‘ନା, ନା । ସେପରି କୌଣସି କାରଣ ଘଟିନାହିଁ । ମୁଁ କେବଳ ସାବଧାନତା ଦୃଷ୍ଟିରୁ ଏ କଥା ପଚାରୁଥିଲି ।”

 

‘‘ତା’ର ନାମ ଶେର୍ ମହମ୍ମଦ । ସେ ତୁମକୁ କି ନାମ କହିଛି ?”

 

ଜେବ୍‍ଉନ୍ନିସା ହସି କହିଲା, “ହଁ, ଠିକ୍ ଅଛି । ଆଜି ରାତି ପ୍ରାୟ ଦୁଇଟାବେଳେ ମୁଁ ମୌନୀ ପାହାଡ଼ରେ ପହଞ୍ଚିବି ।”

 

ସ୍ଵର ତରଙ୍ଗ ବନ୍ଦ ହୋଇଗଲା । ଦୁଆର ଖୋଲି ଜେବ୍‌ଉନ୍ନିସା ଦେଖିଲା ଦୀର୍ଘ ଦେହ ଶେର୍ ମହମ୍ମଦ ଛିଡ଼ା ହୋଇଛି । ଓଠରେ ତା’ର ସାମାନ୍ୟ ହସ । ଜେବ୍ଉନ୍ନିସା ମଧ୍ୟ ହସିଲା । ତା’ପରେ ପଚାରିଲା–‘‘ରେଡ଼ିଓ ଫୋନରେ ଆମର କଥାବାର୍ତ୍ତା କ’ଣ ଶୁଣିପାରିଛ ?”

 

–“ନା ମେମ୍‍ସାହେବ”, ଖାନସାମାବେଶୀ ଶେର୍ ମହମ୍ମଦ କହିଲା । ମଧୁର ହସ ହସି ଜେବ୍ଉନ୍ନିସା କହିଲା–‘‘ଭିତରକୁ ଆସ । ଅନେକ କଥା ଅଛି ।”

 

ଭିତରକୁ ଯାଇ ଜେବ୍‌ଉନ୍ନିସା ଚୌକିରେ ବସିଲା । ଶେର୍ ମହମ୍ମଦ ଘରର ଦୁଆର ବନ୍ଦ କରି ତା’ ସାମନାରେ ଖଣ୍ଡିଏ ଚୌକିରେ ବସିଲା । ଜେବ୍‌ଉନ୍ନିସା କହିଲା–“ଆମକୁ ଆଜି ରାତିରେ ଏଠାରୁ ଚାଲିଯିବାକୁ ହେବ । କହିବା ବାହୁଲ୍ୟ ଯେ ବୈଜ୍ଞାନିକ ବୋଷଙ୍କୁ ମଧ୍ୟ ଧରି ନେଇ ଯିବାକୁ ହେବ । କାମଟି ଯେ ଅତି ଦାୟିତ୍ଵପୂର୍ଣ୍ଣ ଏଥିରେ ସନ୍ଦେହ ନାହିଁ । ବୈଜ୍ଞାନିକଙ୍କର ସହକାରୀଟିକୁ କୌଶଳରେ ସ୍ଥାନାନ୍ତରିତ କରିବାକୁ ହେବ ।”

 

ଶେର୍‍ ମହମ୍ମଦ ଆଶ୍ଚର୍ଯ୍ୟ ହୋଇ ପଚାରିଲା–“ଆଜି ରାତିରେ !”

 

‘‘ହଁ, ଆଉ ବିଳମ୍ବ କରିବା ଉଚିତ ନୁହେଁ । କଲିକତାରେ ଆମ ଏଜେଣ୍ଟମାନଙ୍କ କବଳରୁ ଗୋଟାଏ ଡିଟେକ୍ଟିଭ୍‍ ଖସି ପଳାଇଛି । ପୁଲିସ୍‍ ଗୁଳିରେ ଆମର କେତୋଟି ସହକର୍ମୀ ପ୍ରାଣ ହରାଇଛନ୍ତି । ଆଉ ବିଳମ୍ବ କରିବା ଉଚିତ ହେବନାହିଁ ।”

 

ତା’ପରେ ଉଭୟେ ବହୁକ୍ଷଣ ପର୍ଯ୍ୟନ୍ତ ନାନା ପରାମର୍ଶ କଲେ । ସବୁ ଠିକ୍ ହେବା ପରେ ଜେବ୍‍ଉନ୍ନିସାର ଖଣ୍ଡିଏ ଚିଠି ଲେଖି ଲଫାପା ଭିତରେ ବନ୍ଦ କଲା । ଜେବ୍‌ଉନ୍ନିସାର ଜିନିଷପତ୍ର ଗୋଟିଏ ସୁଟକେସରେ ପୂରାଇ ଶେର୍ ମହମ୍ମଦ ସମସ୍ତଙ୍କର ଅଜ୍ଞାତରେ ଗ୍ୟାରେଜକୁ ନେଇ ଜେବ୍ଉନ୍ନିସାର କାର୍‍ ଭିତରେ ରଖି ଆସିଲା । ତା’ପରେ ଜେବ୍‌ଉନ୍ନିସାଠାରୁ ଚିଠିଖଣ୍ଡ ନେଇ ସେଠାରୁ ବିଦାୟ ନେଲା ।

 

x x x x

 

‘‘ମୁନ୍‌ଭିଉ” ହୋଟେଲର ଗୋଟିଏ ସୁସଜ୍ଜିତ କକ୍ଷରେ ବୈଜ୍ଞାନିକ ବୋଷ ଓ ତାଙ୍କର ସହକାରୀ ତାପସ ଚୌଧୂରୀ ରହିଛନ୍ତି । ସେଦିନ ସଞ୍ଜବେଳେ ବୈଜ୍ଞାନିକ ବୋଷ ଟେବୁଲ ଉପରେ ଆଲୁଅ ଜଳାଇ ଗଭୀର ଧ୍ୟାନରେ ଖଣ୍ଡିଏ ବହି ପଢ଼ୁଥିଲେ । ଯୁବକ ତାପସ ବାହାର ବାରଣ୍ଡାରେ ଖଣ୍ଡିଏ ଡେକ୍ ଚେଆର ପକାଇ ବସିଥିଲା । ସମ୍ମୁଖରେ ଅନନ୍ତ ସାଗରର ଉଦ୍ଦାମ ନୃତ୍ୟ, ପ୍ରକୃତିର ଏହି ବିଶାଳ ସୌନ୍ଦର୍ଯ୍ୟର ପଟ୍ଟଭୂମିରେ ବସି ଏହି ନିଭୃତ ଗ୍ରୀଷ୍ମ ସନ୍ଧ୍ୟାରେ ମନ ତା’ର ଉଦାସ ହୋଇଯାଇଥିଲା । କ’ଣ ଯେପରି ଜୀବନରେ ମହାମୂଲ୍ୟ ସମ୍ପଦ ତା’ର ଥିଲା, ତାହା ସେ ହରାଇଛି-। ଆଉ ଯେପରି ଫେରି ପାଇବାର ଆଶା ନାହିଁ, ଏହି କାଳ୍ପନିକ ଅନୁଭୂତି ତା’ର ଅନ୍ତରକୁ ତିକ୍ତ କରି ଦେଉଥିଲା, ପ୍ରକୃତିର ଏହି ମଧୁର ଲଗ୍ନରେ ତରୁଣ ମନ ତା’ର ଉଡ଼ି ଯାଉଥିଲା । କେଉଁ କଳ୍ପଲୋକକୁ, ଯେଉଁଠାରେ ସେ ଏବଂ ଇନ୍ଦିରା ଛଡ଼ା ଆଉ କେହି ନାହିଁ, ନାହିଁ ସେଠାରେ ଜୀବନର ଉଚ୍ଚାଭିଳାଷ–ନାହିଁ ବୈଜ୍ଞାନିକଙ୍କର କଠୋର ସାଧନା–ନାହିଁ ସମାଜର ସୁଦୃଢ଼ ବିଧାନ । ଏହି ସମୟରେ ହୋଟେଲର ଗୋଟିଏ ଖାନ୍‌ସାମା ଆସି ସାମନାରେ ଛିଡ଼ା ହେଲା–‘‘ଚିଠି, ହଜୁର ।”

 

ଖଣ୍ଡିଏ ସୁନ୍ଦର ନେଳି ଲଫାପା । ତା’ ଉପରେ ଅଜଣା ହାତରେ ସୁନ୍ଦର ଅକ୍ଷରରେ ତା’ ନାଁ ଲେଖା ହୋଇଛି । ଆଲୁଅ ଜଳାଇ ଚିଠିଟିକୁ ପଢ଼ିବାକୁ ବସିଲା ।

 

ପ୍ରିୟ ତାପସ,

 

ଆଜି ଏପରି ସୁନ୍ଦର ସଞ୍ଜରେ ଘରଭିତରେ ରହିପାରିଲି ନାହିଁ । ଯେଉଁ ବାଲି ଢିପ ନିକଟରେ ଆମର ପ୍ରତିଦିନ ଦେଖାହୁଏ, ସେହି ମିଳନ ତୀର୍ଥକୁ ବାହାରିଲି । ତୁମପାଇଁ ଅପେକ୍ଷା କରିଥିବି । ପ୍ରୟୋଜନ ହେଲେ ଜୀବନ ସାରା । ଇତି ।

 

ଇନ୍ଦିରା

 

ଅତିକ୍ଷୁଦ୍ର ଖଣ୍ଡିଏ ଲିପି, ତାପସ ଜୀବନରେ ପ୍ରଥମ ପ୍ରେମପତ୍ର । ପ୍ରଥମ ସୂର୍ଯ୍ୟସ୍ନାନ ପୁଲକରେ ତା’ର ସର୍ବାଙ୍ଗ ଶିହରୀ ଉଠିଲା । କ୍ଷୁଦ୍ର ଲିପିଟିକୁ ସେ ବାରମ୍ବାର ପାଠ କରିବାକୁ ଲାଗିଲା-। ଘଡ଼ିକୁ ଚାହିଁ ଦେଖିଲା ପ୍ରାୟ ସାଢ଼େ ସାତଟା । ଡକ୍ଟର ବୋଷ ସେହିପରି ଧ୍ୟାନମଗ୍ନ ହୋଇ ବସିଛନ୍ତି । ତାଙ୍କର ‘‘ଡିନାର’’ର ସମୟ ହୋଇ ଆସିଲାଣି । ସବୁଦିନେ ତାପସ ତାଙ୍କ ସହିତ ଏକା ଟେବୁଲରେ ବସି ଖାଏ । ଆଜି ତା’ର ବ୍ୟତିକ୍ରମ ହେଲେ ସେ ବିରକ୍ତ ହେବେ ଭାରୀ ବଦରାଗୀ ଲୋକ, ଦୁର୍ବାସା ପରି କ୍ରୋଧୀ । ତାପସ ତାଙ୍କୁ ଖୁବ୍ ଭଲକରି ଜାଣେ । ଏକମାତ୍ର ପନ୍ଥା ତାଙ୍କଠାରୁ ଅନୁମତି ନେଇ ବାହାରକୁ ଯିବା, କିନ୍ତୁ ତାଙ୍କୁତ ସେ ସତକଥା କହିପାରିବ ନାହିଁ । ଆଜନ୍ମ ବ୍ରହ୍ମଚାରୀ, ନିଷ୍କଳଙ୍କ ଚରିତ୍ର, ଋଷି ସେ । ବିଜ୍ଞାନ ସାଧନାର କର୍ମ ଭେଦ କରି ତାଙ୍କ ହୃଦୟରେ ନାରୀର ପ୍ରେମ ପ୍ରବେଶ ଲାଭ କରିପାରିନାହିଁ ।

 

କିଛିକ୍ଷଣ ଇତସ୍ତତଃ କରି ତାପସ ଯାଇଁ ବୈଜ୍ଞାନିକଙ୍କ ଟେବୁଲ ନିକଟରେ ଛିଡ଼ା ହେଲା-। ତଥାପି ବୈଜ୍ଞାନିକ ମୁଣ୍ଡଟେକି ଚାହିଁଲେ ନାହିଁ । ସାମାନ୍ୟ କାଶି ତାପସ କହିଲା–‘‘ସାର୍” ?

 

ବୈଜ୍ଞାନିକ ମୁଣ୍ଡ ଟେକିଲେ, ଚଷମାର ମୋଟା କାଚ ଭିତରୁ ଚାହିଁ କହିଲେ–

 

“ତାପସ, ମତେ କିଛି କହୁଛ ?”

 

“ହଁ ସାର୍ । ମୁଁ ଟିକିଏ ବାହାରକୁ ଯିବାକୁ ଚାହେଁ । ଟିକିଏ ବିଳମ୍ବରେ ଫେରିବି । ମୋ’ପାଇଁ ଆପଣ ଅପେକ୍ଷା ନ କରି ଖାଇ ବସିବେ ।”

 

–“କିନ୍ତୁ ମୋର ଖାଇବାକୁ ତ ବହୁତ ବିଳମ୍ବ ଅଛି । ମୁଁ ତ ରାତି ଆଠଟା ବେଳେ ଖାଏ’’, ବୈଜ୍ଞାନିକ କହିଲେ ।

 

ସାମାନ୍ୟ ହସି ତାପସ କହିଲା–“ନା ସାର୍, ଆଠଟା ବାଜିବାକୁ ଆଉ ବିଳମ୍ବ ନାହିଁ ।”

 

କିନ୍ତୁ ବୈଜ୍ଞାନିକ ଏ କଥା ହୁଏତ ଶୁଣିପାରିଲେ ନାହିଁ । ପୁଣି ସେ କହିଲେ ମନୋନିବେଶ କଲେ । ତାପସ ମନେ ମନେ ବିରକ୍ତ ହେଲା । କିଛିକ୍ଷଣ ପରେ ପୋଷାକ ପିନ୍ଧି ସେ ଧୀରେ ଧୀରେ ଘରୁ ବାହାରି ଗଲା ।

 

ସୁ ସୁ ହୋଇ ଉଦାମ ସାଗର ବାଆ ବୋହୁଛି । ସମୁଦ୍ରକୂଳ ଜନ ବିରଳ । ଧୁ ଧୁ କରୁଛି ବିସ୍ତୀର୍ଣ୍ଣ ନିର୍ଜନ ବେଳାଭୂମି । ଉନ୍ମତ୍ତ ତରଙ୍ଗର ମୁଣ୍ଡ ଉପରେ ଝକ୍ ଝକ୍ କରି ଜଳି ଉଠୁଛି ଫସ୍‌ଫରସ୍‌ର ରୂପା ମୁକୁଟ । ତାପସ ଏକା ଚାଲିଛି । ଅନ୍ତରରେ ତା’ର ବିଚିତ୍ର ଏକ ଶିହରଣ ।

 

ଦୂରରେ ଦେଖାଯାଉଛି ସେହି ବାଲିକୁଦ, ଜମାଟ ଗୋଟିଏ ଅନ୍ଧକାର ପରି । ତା’ର ନିକଟରେ ! ହଁ, ସେଇଠି ଛିଡ଼ା ହୋଇଛି ଇନ୍ଦିରା । ଦାୟିତ୍ଵ ପାଇଁ ନିଭୃତ ପ୍ରତିକ୍ଷାରେ !

 

କବି ତାପସ ମନେ ମନେ ଆବୃତ୍ତି କଲା–

 

“ମୃତ୍ୟୁର ତାମସାଭେଦୀ

କାଳେ କାଳେ ଯୁଗ ଯୁଗାନ୍ତରେ

ଅନନ୍ତ ଯୁଗଳ ଆମେ

ଧରଣୀର ନିଭୃତ ପ୍ରାନ୍ତରେ ।’’

 

ଅନ୍ଧକାର ଭେଦ କରି ତାପସର ମାନଶ୍ଚକ୍ଷୁ ଦେଖିପାରିଲା ଇନ୍ଦିରାର ସ୍ଵରୂପ । ତା’ର ପ୍ରତିମା ବ୍ୟାକୁଳ ଆଖି ଦିଅଟି । ପ୍ରାଣରେ ସେ ପାଇଲା ତା’ର ମୂଲ୍ୟବାନ ଏସେନ୍‌ସର ସୁରଭି ।

 

ହଁ, ଇନ୍ଦିରା ଛିଡ଼ା ହୋଇଛି । ତାପସ ଯାଇ ନିକଟରେ ଛିଡ଼ା ହେଲା । କିଛିକ୍ଷଣ ଉଭୟେ ନୀରବ । କିଛିକ୍ଷଣ ପରେ ଇନ୍ଦିରା ତା’ର ହାତଧରି ବସାଇ ନିଜେ ତା’ ଦେହକୁ ଲାଗି ବସିଲା ।

 

–“ଏତେ ବିଳମ୍ବ କଲ କାହିଁକି ତାପସ ?” ଅଭିମାନଭରା କଣ୍ଠରେ ଇନ୍ଦିରା ପଚାରିଲା ।

 

–“ତୁମେ ତ ଜାଣ ଇନ୍ଦିରା, ଡକ୍ଟର ବୋଷଙ୍କ ବିନା ଅନୁମତିରେ ମୁଁ ସଞ୍ଜ ପରେ କୁଆଡ଼େ ଯାଇପାରେନାହିଁ । ତାଙ୍କଠାରୁ ଅନୁମତି ପାଇବାର ଚେଷ୍ଟା କରୁଥିଲି । ସେଥି ଯୋଗୁଁ ଟିକିଏ ବିଳମ୍ବ ହେଲା ।”

 

ଇନ୍ଦିରା ହସି ଉଠିଲା–“ଓ, ମୁଁ ଭୁଲି ଯାଇଥିଲି । ତୁମେ ଯେ ଗୋଟିଏ ଗୁଡ୍ ବୟ ।”

 

କେତେ କଥା, ହସ, ରହସ୍ୟରେ ସମୟ ବିତି ଯିବାକୁ ଲାଗିଲା, ଇନ୍ଦିରା କହିଲା–“ତୁମର ସେଇ କବିତାଟିରେ ଶେଷ ପଦଟା ଆଉ ଥରେ ଆବୃତ୍ତି କର ତାପସ । ମୋତେ ସେଟା ଭାରି ଭଲ ଲାଗେ ।”

 

ତାପସ କିଛିକ୍ଷଣ ନୀରବରେ ଇନ୍ଦିରାକୁ ଚାହିଁରହି ଧୀରେ ଧୀରେ ଆବୃତ୍ତି କଲା ।

 

ତୋର ମୁକ୍ତ ବେଣୀ ବାଳାରେ

ବାନ୍ଧି ନେ ମଲ୍ଲିକା ମାଳାରେ

ଆଭରଣ କର ନଗ୍ନ ମାଧୁରୀ

ବୋଳିହୁଅ ଦେହେ ଜ୍ୟୋଛନା ।

କରଗୋ ଆଜି ମିଳନେ ତୀର୍ଥେ

ବାସର ଶଯ୍ୟା ରଚନା ।

 

ଉଚ୍ଛ୍ଵସିତହୋଇ ଇନ୍ଦିରା କହିଲା–“ସୁନ୍ଦର, ସୁନ୍ଦର ହୋଇଛି ତାପସ, ତୁମେ କବି । ବିଜ୍ଞାନ ତୁମର ପନ୍ଥା ନୁହେଁ ।’’

 

ଦୀର୍ଘ ଗୋଟିଏ ଉଷ୍ମ ଚୁମ୍ବନ ପରି ଉଭୟଙ୍କ ଆଜଣାରେ ସମୟ କଟି ଯିବାକୁ ଲାଗିଲା । ନିର୍ଜନ ବେଳାଭୂମିର କେଉଁ କଣରୁ ଗୁଡ଼ାଏ ବିଲୁଆ ଡାକି ଉଠି ରାତ୍ରିର ପ୍ରଥମ ପ୍ରହର ଘୋଷଣା କଲେ । ଇନ୍ଦିରା ହାତ ଘଡ଼ିର ରେଡ଼ିଅମ କଣ୍ଟାକୁ ଚାହିଁ ଦେଖିଲା ପ୍ରାୟ ଦଶଟା ବାଜିବାକୁ ବସିଲାଣି-! ହଠାତ୍ ସେ ଚଞ୍ଚଳ ହୋଇଉଠିଲା । ନିଜର ହାତବ୍ୟାଗ ଖୋଲି ତାପସର ଅଜ୍ଞାତରେ ଗୋଟିଏ ସାନ ରିଭଲ୍‍ଭର୍‍ ବାହାର କଲା । ଇନ୍ଦିରାକୁ ଚଞ୍ଚଳ ହେବାର ଦେଖି ତାପସ ପଚାରିଲା–“ତୁମେ କଅଣ ଏହିକ୍ଷଣି ହୋଟେଲକୁ ଫେରି ଯିବାକୁ ଚାହଁ ଇନ୍ଦିରା ? ଆଉ ପୁଣି କେବେ ଆମର ଏହିପରି ସାକ୍ଷାତ୍‍ ହେବ ? ଏଥର ମୁଁ ଆଗରୁ ଡକ୍ଟର ବୋଷଙ୍କର ଅନୁମତି ନେଇ ରଖିବି ।”

 

ତାପସର କଥାଶୁଣି କୋହରେ ଇନ୍ଦିରାର କଣ୍ଠରୋଧ ହେଲା । ତାପସର ଛାତି ନିକଟକୁ ଘୁଞ୍ଚି ଆସି ଇନ୍ଦିରା ଥରିଲା ଗଳାରେ କହିଲା–‘‘ଆଉ ଆମର ଦେଖା ହେବ ନାହିଁ ତାପସ । ତୁମେ ମୋତେ ଦେଲ ଜୀବନର ପରମ ଅମୃତ । ଆଉ ତା’ ପରିବର୍ତ୍ତରେ ମୁଁ ତୁମକୁ ଦେଇଯାଉଛି ତୀବ୍ର ହଳାହଳ । ମୁଁ ଅଭିନେତ୍ରୀ, ଜୀବନସାର କେବଳ ଅଭିନୟ କରିଚାଲିଛି; କିନ୍ତୁ ଯେଉଁ ଅଭିନୟରେ ତୁମକୁ ଆଜି ମୁଁ ପ୍ରତାରିତ କଲି ତା’ର ସ୍ମୃତି ଚିରକାଳ ମୋ କଲିଜାରେ ବିଷାକ୍ତ ତୀରପରି ବିନ୍ଧି ହୋଇ ରହିବ । ମୁଁ ତମକୁ ଆଜି ସତ କହିଯାଉଛି ତାପସ, ଆଜି ମୁଁ ସମ୍ପୂର୍ଣ୍ଣ ପରାଜିତା । ଯଦି ସମ୍ଭବ ହୁଏ, ମୋତେ କ୍ଷମା କରିବାକୁ ଚେଷ୍ଟା କରିବ ।”

 

ଇନ୍ଦିରାର ଏହି ବିଚିତ୍ର କଥା ତାପସ ଭଲକରି ବୁଝିବା ପୂର୍ବରୁ ହଠାତ୍ ଇନ୍ଦିରା ତା’ର ହାତରେ ଧରିଥିବା ରିଭଲ୍‍ଭର୍‍ଟି ତା’ର ଛାତି ଉପରକୁ ଲକ୍ଷକରି ଛିଡ଼ା ହେଲା । ଆଖିରେ ତା’ର ଲୁହ ଧାର ଓଠର କର୍ତ୍ତବ୍ୟ ସାଧନର କଠିନ ଶପଥ । ପ୍ରେମମୟୀ ନାରୀର ଏପରି ରୂପାନ୍ତର ଦେଖି ତାପସ ସ୍ତମ୍ଭିତ ହୋଇଗଲା । କିଛିକ୍ଷଣ ପରେ କାତର କଣ୍ଠରେ କହିଲା–“ମତେ କ’ଣ ଗୁଳି କରି ହତ୍ୟାକରିବ ଇନ୍ଦିରା ?”

 

ଅଶ୍ରୁରୁଦ୍ଧ କଣ୍ଠରେ ଇନ୍ଦିରା କହିଲା–‘‘ଏଇଟା ରିଭଲ୍‍ଭର୍‍ ନୁହେଁ ତାପସ । ଏହା ହେଉଛି, ଅଟୋମେଟିକ୍ ପାରାଲାଇଜର ।” ଏହା ଭିତରେ ଥିବା ଗୁଳିରେ ଏକ ପ୍ରକାର ଗ୍ୟାସ୍‍ ଅଛି-। ଏହା ମଣିଷ ଦେହରେ ଲାଗିଲା ମାତ୍ରେ ତା’ର ସର୍ବାଙ୍ଗ ମୃତ୍ୟୁ ପରି ଜଡ଼ ହୋଇଯିବ, କିନ୍ତୁ ଛ’ଘଣ୍ଟା ପରେ ପୁଣି ତା’ର ଚେତା ଆସିବ !

 

–“କିନ୍ତୁ କାହିଁକି ? ମୋର ଅପରାଧ.....”

 

ତାପସର କଥା ଶେଷ ହେଲା ନାହିଁ । ଇନ୍ଦିରା ଧରିଥିବା ଅସ୍ତ୍ର ମୁହଁରୁ ସାମାନ୍ୟ ଟିକିଏ ନିଆଁର ଝଲକ ଉଠିଲା, ହିସ୍ କରି ଟିକିଏ ଶବ୍ଦ ହେଲା । ଆଉ ସାଙ୍ଗେ ସାଙ୍ଗେ ତାପସର ଦୀର୍ଘ ଦେହ ସେହିଠାରେ ଟଳି ପଡ଼ିଲା ।

 

ତାପସର ନିସ୍ପନ୍ଦ ଦେହ ଉପରେ ଝୁଣ୍ଟିପଡ଼ି ଇନ୍ଦିରା ସେହିଠାରେ ବାଲି ଉପରେ ବସି ପଡ଼ିଲା । ଭଲକରି ସଜାଡ଼ି ତା’ର ଦେହକୁ ବାଲି ଉପରେ ଶୁଆଇ ଦେଲା । କିଛିକ୍ଷଣ ପୂର୍ବେ ତାପସ ରଚନା କରିଥିବା କବିତାର ପଙ୍‌କ୍ତିଟି ତା’ର ମନେପଡ଼ିଲା–‘‘କରଗୋ ଆଜି ବାଲୁକା ଶେଯେ ବାସର ଶଯ୍ୟା ରଚନା ।”

 

ପ୍ରେମିକ ପାଇଁ ସୁନ୍ଦର ବାସର ଶଯ୍ୟା ସେ ରଚନା କରିଛି । ଦୁଇ ଧାର ଲୁହ ତା’ ଆଖିରୁ ଗଡ଼ି ଆସି ତାପସର ଗାଲ ଉପରେ ପଡ଼ିଲା । ନଇଁପଡ଼ି ତାପସର ନିସ୍ପନ୍ଦ ଗଣ୍ଡରେ ଗୋଟିଏ ଗଭୀର ଚୁମ୍ବନ ଦେଲା । ତା’ପରେ ଆଖି ପୋଛି ଛିଡ଼ା ହେଲା । ଦେଖିଲା ସାମନାରେ ଶେର୍‍ ମହମ୍ମଦ ଛିଡ଼ା ହୋଇଛି । ‘‘ଉଠ ଜେବ୍‌ଉନ୍ନିସା ଆଉ ସମୟନାହିଁ । ରାତି ଦଶଟା ବାଜିଲା ।”

 

ଦଶ

 

‘‘ମୁନ୍‌ଭିଉ” ହୋଟେଲର କକ୍ଷରେ ବୈଜ୍ଞାନିକ ବୋଷ ସେହିପରି ଧ୍ୟାନ ମଗ୍ନ । ଖାନ୍‌ସାମା ଟେବୁଲ୍ ଉପରେ ଖାଦ୍ୟଦ୍ରବ୍ୟ ରଖିଯାଇଛି, କିନ୍ତୁ ବୈଜ୍ଞାନିକ ତାହା ଜାଣିପାରିଛନ୍ତି କି ନାହିଁ ସନ୍ଦେହ । କାନ୍ଥ ଘଡ଼ିରେ ଦଶଟା ବାଜି ଗଲାଣି, ଦୁଆର ଖୋଲିବା ଶବ୍ଦରେ ବୈଜ୍ଞାନିକଙ୍କର ଧ୍ୟାନ ଭଙ୍ଗ ହେଲା । ବହି ଉପରୁ ମୁହଁ ନ ଉଠାଇ କହିଲେ–‘‘କିଏ ତାପସ ।’’

 

କୌଣସି ଜବାବ ନାହିଁ; କିନ୍ତୁ ଘରଭିତରେ କାର୍‍ ଉପସ୍ଥିତି ସେ ଅନୁଭବ କରିପାରିଲେ-। ମୁହଁ ଟେକି ଚାହିଁ ଆଶ୍ଚର୍ଯ୍ୟ ହୋଇଗଲେ । ଏ କିଏ ? ଏ ଯେ ଜଣେ ସ୍ତ୍ରୀ ଲୋକ ! ହଠାତ୍ ଜେବ୍‍ଉନ୍ନିସା ହାତରେ ‘‘ପାରାଲାଇଜର” ଝଲକି ଉଠିଲା । ଆଉ ସେଇ ମୁହୂର୍ତ୍ତରେ ବୈଜ୍ଞାନିକ ଚଉକି ଉପରେ ଢଳି ପଡ଼ିଲେ । ଶେର୍ ମହମ୍ମଦ ବାହାରେ ଅପେକ୍ଷା କରିଥିଲା । ସେ ଘର ଭିତରକୁ ଆସି ଭିତରୁ କବାଟ ବନ୍ଦ କରିଦେଲା । ଅଳ୍ପ ଚେଷ୍ଟାରେ ସେ ବୈଜ୍ଞାନିକଙ୍କର ଫର୍ମୁଲା ବହି ପାଇଲେ । ବଳବାନ ଶେର୍ ମହମ୍ମଦ ଅନାୟାସରେ ବୈଜ୍ଞାନିକଙ୍କ ନିସ୍ପନ୍ଦ ଦେହ କାନ୍ଧରେ ଉଠାଇ ନେଲା । ହୋଟେଲର ଏ ପଟଟି ସମ୍ପୂର୍ଣ୍ଣ ନିଛାଟିଆ । ଅନ୍ଧାରରେ ଲୁଚି ଲୁଚି ସମସ୍ତଙ୍କ ଅଗୋଚରରେ ଶେର୍‍ ମହମ୍ମଦ ଓ ଜେବ୍‍ଉନ୍ନିସା ହୋଟେଲର ପଛପଟେ ଆସି ପହଞ୍ଚିଲେ । କିଛି ଦୂର ବାଲି ଓ ସିଜୁବଣ ପରେ ସଡ଼କ, ସେଇ ସଡ଼କ ଉପରେ ଜେବ୍‍ଉନ୍ନିସାର କାର୍ ରଖା ହୋଇଥିଲା । କାର୍‍ର ପଛ ସିଟରେ ସଂଜ୍ଞାହୀନ ବୈଜ୍ଞାନିକଙ୍କୁ ଶୁଆଇ ଶେର୍ ମହମ୍ମଦ ସେଠାରେ ବସିଲା । ଜେବ୍‍ଉନ୍ନିସା ଷ୍ଟିଅରିଂ ଧରି ଗାଡ଼ିରେ ଷ୍ଟାର୍ଟ ଦେଲା । ଶକ୍ତିଶାଳୀ ମଟରଟି କ୍ଷଣକେ ଜୀବନ୍ତ ହୋଇଉଠିଲା । ତା’ପରେ ଦ୍ରୁତ ଗତିରେ ଉଡ଼ି ଚାଲିଲା ।

 

ଜେବ୍‍ଉନ୍ନିସାର ଅଦ୍ଭୁତ ଚାଳନା କୌଶଳରେ ଶକ୍ତିଶାଳୀ ଗାଡ଼ିଟି ନକ୍ଷତ୍ର ବେଗରେ ଉଡ଼ି ଚାଲିଲା । ଗତି ପରିମାପକ ଯନ୍ତ୍ରରେ କଣ୍ଟାଟି ପଚାଶରୁ ଷାଠିଏ, ଷାଠିଏରୁ ସତୁରୀ ଓ ସତୁରୀରୁ ଅଶୀକୁ ଉଠିଲା । ଜଣେ ସ୍ତ୍ରୀ ଲୋକର ଏପରି ଅଦ୍ଭୁତ ଦକ୍ଷତା ଦେଖି ପଛ ସିଟରେ ବସିଥିବା ଶେର୍ ମହମ୍ମଦ ଆଶ୍ଚର୍ଯ୍ୟ ହେଲା । କହିଲା–“ଦେଖ ଜେବ୍‌ଉନ୍ନିସା, ଏ ରାସ୍ତାଗୁଡ଼ିକ ତୁମର ପରିଚିତ ନୁହେଁ-। କୌଣସି ଦୁର୍ଘଟଣା ଘଟିପାରେ ।”

 

ନିର୍ବିଘ୍ନରେ ସବୁ ଦାୟିତ୍ଵ ତୁଲାଇ ପାରିଥିବାରୁ ଜେବ୍‍ଉନ୍ନିସା ଅତି ଆନନ୍ଦିତ । କର୍ଣ୍ଣେଲ ନିଶ୍ଚୟ ଅତିଶୟ ଖୁସି ହେବେ, ଆଉ ମେଜର ଓସମାନ୍ । ଗୋଟିଏ ସୁନ୍ଦର କାନ୍ତି ଦୀର୍ଘ ଓ ବଳିଷ୍ଠ ଦେହ ତରୁଣୀ ଜେବ୍‌ଉନ୍ନିସାର ମାନସପଟରେ ଭାସି ଉଠିଲା । ପରକ୍ଷଣରେ ତାପସର ଛବି ମଧ୍ୟ ଭାସି ଉଠିଲା; କିନ୍ତୁ ସେମାନଙ୍କର ମିଳନର ପ୍ରତିବନ୍ଧକ ସ୍ଵରୂପ ଛିଡ଼ା ହୋଇଛି ଏକ କ୍ରୂର କର୍ମ ପ୍ରେରଣା । ଶେର୍‍ ମହମ୍ମଦ କଥା ଶୁଣି ଅତ୍ୟନ୍ତ ଲଘୁ କଣ୍ଠର ରହସ୍ୟମୟୀ ଜେବ୍‍ଉନ୍ନିସା କହିଲା–“ଦୁର୍ଘଟଣା ଘଟିଲେ ତୁମେ ଆଉ ମୁଁ ଏକାଠି ମରିବା । ଏକା ଗୋରରେ ମାଟି ପାଇବା । ସେହିପରି ମୃତ୍ୟୁରେ କ’ଣ ତୁମର ଆନନ୍ଦ ହେବ ନାହିଁ ଶେର୍ ମହମ୍ମଦ ?”

 

ଶେର୍ ମହମ୍ମଦ କହିଲା–‘‘ନା ଜେବ୍‌ଉନ୍ନିସା, ମୁଁ ଏତେଦୂର ଭାବପ୍ରବଣ ନୁହେଁ । କୌଣସି ରକମ ମୃତ୍ୟୁରେ ମୋର ଅଭିଳାଷ ନାହିଁ । ବିଶେଷତଃ ତୁମ ସହିତ ସ୍ଵର୍ଗକୁ ଯିବାର ମୋର ଇଚ୍ଛାନାହିଁ ।’’

 

ଶେର୍ ମହମ୍ମଦର କଥା ଶୁଣି ଜେବ୍‌ଉନ୍ନିସା କହିଲା–‘‘କାହିଁକି ଶେର୍ ମହମ୍ମଦ, ମୋତେ କ’ଣ ତୁମେ ଘୃଣାକର ?’’

 

–“ନା, ନା, ତୁମକୁ ମୁଁ ଅତିଶୟ ଭକ୍ତିକରେ । ତୁମର ଚାତୁରୀ, ଛଳ, କଳା ଓ ଅଭିନୟ କୌଶଳ ପ୍ରକୃତରେ ଅତି ଉଚ୍ଚକୋଟୀର । ଏପରି କଳାବତୀ ସ୍ତ୍ରୀ ଲୋକ ସାଧାରଣତଃ କୋଟିକେ ଗୋଟିଏ ଦେଖାଯାନ୍ତି । ସେପରି ଯୋଗଜନ୍ମା ନାରୀକୁ ମୋ’ପରି କ୍ଷୁଦ୍ର ଲୋକ ଭକ୍ତି ନ କରି ଉପାୟ ଅଛି ?”

 

କିନ୍ତୁ ଆଶ୍ଚର୍ଯ୍ୟ କଥା, ଶେର୍ ମହମ୍ମଦର ବ୍ୟଙ୍ଗୋକ୍ତି ଶୁଣି ଜେବ୍ଉନ୍ନିସା ତିଳେ ମାତ୍ର କ୍ରୋଧ ପ୍ରକାଶ କଲାନାହିଁ । କୌତୂହଳପୂର୍ଣ୍ଣ କଣ୍ଠରେ କହିଲା–“ଇଏତ ବଡ଼ ଅବଶୋଶ୍‍ର କଥା ମିଆଁ ସାହେବ ! ଏ ନିଛାଟିଆ ରାତିରେ ମୋ’ପରି ଗୋଟିଏ ସୁନ୍ଦରୀ ସ୍ତ୍ରୀ ଲୋକକୁ ଏକା ପାଇ ହୁଏତ ତୁମେ ମୋତେ କେତେ ମିଠା କଥା କହନ୍ତ ! ତା’ ପରିବର୍ତ୍ତରେ ତୁମେ ମୋତେ ଏପରି ଅପମାନ କରୁଛ !”

 

ସାମାନ୍ୟ ହସି ଶେର୍ ମହମ୍ମଦ କହିଲା–“ଧିର ସ୍ଥିର ମନରେ ଗାଡ଼ି ଚଳାଅ ଜେବ୍ଉନ୍ନିସା ମୋ ଜୀବନରେ ତୁମଠାରୁ ବେଶି ବୁଦ୍ଧିମତୀ ବେଶି ଛଳନାମୟୀ ନାରୀ ମୁଁ ବହୁତ ଦେଖିଛି । ମୁଁ ବୈଜ୍ଞାନିକ ତାପସ ଚୌଧୁରୀପରି ପ୍ରେମ ପାଗଳ ନୁହେଁ । ତୁମ କଥା ମୁଁ ସବୁ ବୁଝିପାରୁଛି, ଆଉ ତୁମର ଗୋଚରାର୍ଥେ ମୁଁ ନିବେଦନ କରୁଛି ଯେ ଏହାଠାରୁ ଆହୁରି ଜଟିଳ କଥା ମୁଁ ବୁଝିପାରେ ।’’

 

ଶେର୍ ମହମ୍ମଦ ମୁଖରୁ ତାପସ ଚୌଧୁରୀ ନାମ ଶୁଣି ଜେବ୍ଉନ୍ନିସା ଚମକି ଉଠିଲା । କିଛି ଉତ୍ତର ଦେଲାନାହିଁ । ମନରେ ତା’ର ପ୍ରଣୟର ଗୋପନ ଭାଷା ଓଷ୍ଠାଧାରକୁ ଥରାଇ ଦେଲା । ମାତ୍ର ନିଜର କୌଣସି ଦୁର୍ବଳତା ପ୍ରକାଶ ନ କରି ମୋଟର ଡ୍ରାଇଭିଂ କରି ଚାଲିଲା । ଆସିଥିଲା କର୍ତ୍ତବ୍ୟର ଖଣ୍ଡଧାରରେ ଚାଲିବାକୁ–ହୃଦୟର ଶତ ଦୁର୍ବଳତା ମନରେ ଚାପିରଖି ସେ ନିଜ ରାଷ୍ଟ୍ର ପାଇଁ ଯାହା କିଛି କରିବାର କଥା କରିଛି । ଏପରିକି ନିଜର ପ୍ରିୟତମ ତାପସ ଚୌଧୁରୀକୁ ମଧ୍ୟ ପଛରେ ପକାଇ ଦେଇଆସିଛି–ମାତ୍ର ରାଷ୍ଟ୍ରଦ୍ରୋହୀ ହୋଇନାହିଁ । ମନରେ ତା’ର ଫୁଟିଉଠିଲା ଆଶାର ସୁଗନ୍ଧ କୁସୁମ–ମନେ ମନେ ଠିକ୍‍ କରି ନେଲା ତାପସହିଁ ତା’ର ଜୀବନର ଅର୍ଦ୍ଧାଙ୍ଗ । ମନଟା ଯେପରି ବାରମ୍ବାର ଯାଇଁ ତାପସର ଗୋଡ଼ ତଳେ ଲୋଟି ଯାଉଛି, ‘‘କ୍ଷମାକର ତାପସ...ମୁଁ କର୍ମର ନିଗଡ଼ରେ ବନ୍ଦିନୀ, ତଥାପି ଭବିଷ୍ୟତରେ ତୁମକୁ ପାଇବା ପାଇଁ ମୁଁ କରିବି ଆପ୍ରାଣ ପ୍ରୟାସ-। ତୁମେ ଯେଉଁଠି ଥାଆ, ତୁମ ପାଖରେ ମୁଁ ନିଜକୁ ଉତ୍ସର୍ଗ କରି ପଛ କଥା ସହସ୍ର ବାର କ୍ଷମା ଭିକ୍ଷା କରିବି ।” ...ମଟର ତୋଫାନ ବେଗରେ ଚାଲିଛି । ଆଉ ଜେବ୍‌ଉନ୍ନିସାର ମନରେ ତାପସର ସ୍ମୃତି ଆହୁରି ବେଗରେ ଗତି କରୁଛି । ସେ ଭାବିଲା ତାପସର ଦେହର ସୌନ୍ଦର୍ଯ୍ୟ ନିଖୁଣ-। ସାବଲୀଳ ପୁରୁଷୋଚିତ ଅଙ୍ଗ ସୌଷ୍ଠବ । ପ୍ରତ୍ୟେକ ନାରୀର ଲୋଭନୀୟ ପୁରୁଷ, ପୁଣି ତା’ର ମନେପଡ଼ିଲା ତା’ର ପୂର୍ବପୁରୁଷ ମଧ୍ୟ ଥିଲେ ବଙ୍ଗାଳୀ । ଅବସ୍ଥାର ଚକ୍ରରେ ତା’ର ମା’ ଇସଲାମ୍‍କୁ ଧର୍ମାନ୍ତର ହୋଇଛି । ତଥାପି ତା’ର ପ୍ରତ୍ୟେକ ଧମନୀରେ ହିନ୍ଦୁର ଶୋଣିତ ପ୍ରବାହିତ ହେଉଛି । ସେହି ଆକର୍ଷଣରେ ହୁଏତ ତାପସ ତା’ର ହୋଇ ପାରିଚି ଏତେ ପ୍ରିୟତମ । ଯାହାହେଉ ସେ ଆଜି କର୍ତ୍ତବ୍ୟର ଶେଷ ସୋପାନରେ । ଆଉ ଦୁଇଦିନ ମଧ୍ୟରେ ତା’ର କାର୍ଯ୍ୟ ଶେଷ ହେବ । ତା’ପରେ ମେଜର ଉସମାନଠାରୁ କୌଶଳରେ ଖସି ଆସି ଭାରତର ନାଗରିକ ହେବ । ଏହାହିଁ ସେ ମନେ ମନେ ସଂକଳ୍ପ କରି ମଟର ଚଳାଉଥିଲା । ମନ କୁହରରେ ‘ତାପସ’ ‘ତାପସ’ ବାରମ୍ବାର ପ୍ରତିଧ୍ଵନିତ ହେବାକୁ ଲାଗିଲା । ତା’ର ମନର ଉତ୍ତେଜନା ଓ ମୁଖର ଗମ୍ଭୀରତା ପାଖରେ ବସିଥିବା ଶେର୍ ମହମ୍ମଦର ଲକ୍ଷ୍ୟକୁ ଏଡ଼ାଇ ପାରି ନ ଥିଲା ।

 

ଦ୍ରୁତ ବେଗରେ ମଟରକାର୍‌ଟି ଉଡ଼ି ଚାଲିଲା । ରାତି ପ୍ରାୟ ଦୁଇଟା ବେଳେ ବାଲେଶ୍ଵର ସହରରେ ପହଞ୍ଚିଲେ । ଗଭୀର ରାତିରେ ରାଜପଥ ନୀରବ । ମିଟି ମିଟି ହୋଇ ରାଜପଥରେ ଇଲେକ୍‌ଟ୍ରିକ୍‌ ଲାଇଟ୍ ଜଳୁଛି । ଟ୍ରଙ୍କ ରୋଡ଼ରେ କିଛି ଦୂର ଯାଇ ହଠାତ୍ ଜେବ୍ଉନ୍ନିସା ଗାଡ଼ିର ଗତି ପରିବର୍ତ୍ତନ କଲା । ନୀଳଗିରି ଅଞ୍ଚଳର ଘନ ଅରଣ୍ୟମୟ ବାଟ ଦେଇ ଗାଡ଼ି ଚାଲିବାକୁ ଲାଗିଲା । ଖରାପ ରାସ୍ତାଯୋଗୁଁ ଗାଡ଼ିର ଗତି ଶିଥିଳ ହୋଇ ଆସିଲା । ପ୍ରାୟ ପନ୍ଦର ମାଇଲ ଆସିଲା ପରେ ଗୋଟିଏ ନିବିଡ଼ ବଣ ଭିତରେ ହଠାତ୍ ଗାଡ଼ି ବନ୍ଦ ହେଲା । ଇଞ୍ଜିନରେ ଚାବି ଲଗାଇ ଜେବ୍‍ଉନ୍ନିସା ତଳକୁ ଓହ୍ଲାଇଲା । ଖୁସି ମନରେ କହିଲା, ‘‘ଆମେ ପହଞ୍ଚି ଯାଇଛୁ ଶେର୍ ମହମ୍ମଦ । ଏଥର ଓହ୍ଲାଇ ଆସ ।’’ ଏହା କହି ନିଜର ହାତ ଘଡ଼ିକୁ ଚାହିଁ ସମୟ ଦେଖିଲା । ରାତି ସାଢ଼େ ଦୁଇଟା । “ଆମ୍ଭେମାନେ ଖୁବ୍‌ ଶୀଘ୍ର ଆସିପାରିଛୁ, ନା’ ଶେର୍ ମହମ୍ମଦ ?” ଏହା କହି ଶେର୍‌ ମହମ୍ମଦ ଆଡ଼େ ଚାହିଁ ଜେବ୍‍ଉନ୍ନିସା ସ୍ତମ୍ଭିତ ହୋଇଗଲା । ଶେର୍ ମହମ୍ମଦ ଗୋଟିଏ ରିଭଲ୍‍ଭର୍‍ ଜେବ୍‍ଉନ୍ନିସା ଛାତିକୁ ଲକ୍ଷ୍ୟ କରି ଛିଡ଼ା ହୋଇଛି ।

 

–“ଏଁ !!” ଜେବ୍‍ଉନ୍ନିସା ମୁହଁରୁ କଥା ବାହାରିବା ପୂର୍ବରୁ ମଟରକାର୍‍ର ଲଗେଜ୍ କ୍ୟାରିୟର ଖୋଲି ଆଉ ଗୋଟିଏ ଲୋକ ବାହାରି ଆସିଲା । ତା’ ହାତରେ ଗୋଟିଏ ରିଭଲ୍‍ଭର୍‍ । ତା’ର ଲକ୍ଷ୍ୟ ମଧ୍ୟ ଜେବ୍‌ଉନ୍ନିସା ଛାତି ଆଡ଼େ ।

 

–‘‘କିଏ ତୁମ୍ଭେମାନେ ?” ଜେବ୍‌ଉନ୍ନିସାର କଣ୍ଠସ୍ଵର ଗୋଟାଏ କ୍ଷୀଣ ଆର୍ତ୍ତନାଦ ପରି ଶୁଣାଗଲା । ମୁରୁକି ହସି ଶେର୍ ମହମ୍ମଦ କହିଲା–‘‘ଏ ହେଉଛନ୍ତି ଭାରତ ସରକାରଙ୍କର ସେଣ୍ଟ୍ରାଲ ଇନଟେଲିଜେନ୍‌ସ ଅଫିସର–ମି. ମାଥୁର । ଆଉ ଏ ଅଧମ ହେଉଛି ଜଣେ ଦେଶୀୟ ଡିଟେକ୍ଟିଭ୍‍–ନାମ ଭବାନୀ ମହାପାତ୍ର । ଅସଲ ଶେର୍ ମହମ୍ମଦ ବର୍ତ୍ତମାନ ଗୋପାଳପୁରରେ ପୁଲିସ୍‍ ହିପାଜତରେ ରହିଛି । ତୁମର ଲୀଳା ଖେଳା ଶେଷ ହୋଇଗଲା, ଏଥିପାଇଁ ମୁଁ ବାସ୍ତବିକ ଦୁଃଖିତ ।”

 

ବହୁକ୍ଷଣ ପରେ ନିଜକୁ ସଂଯତ କରି ଜେବ୍‍ଉନ୍ନିସା କହିଲା–“ତୁମେ କ’ଣ କଲିକତାରେ ବନ୍ଦୀ ହୋଇଥିଲ, ଆଉ କୌଶଳକ୍ରମେ ସେଠାରୁ ଖସି ଆସିଥିଲ ?”

 

ସାମନ୍ୟ ମୁଣ୍ଡ ନୁଆଁଇ ବିନୟର ଭଙ୍ଗୀରେ ଭବାନୀବାବୁ କହିଲେ–‘‘ହଁ ବେଗମ୍‍ ସାହେବା, ତୁମ ଦଳର ପୋଷା କୁକୁର ରହିମ ସର୍ଦ୍ଧାର ମୋର ଅପମୃତ୍ୟୁ ପାଇଁ ବହୁତ ସରଞ୍ଜାମ ଯୋଗାଡ଼ କରିଥିଲା; କିନ୍ତୁ ମୁଁ ଦୁଃଖିତ ଯେ ତା’ର ଆତିଥ୍ୟ ସ୍ଵୀକାର କରିପାରିଲି ନାହିଁ । ସେଇ ରାତିରେ ପୁଲିସ୍‍ ଗୁଳିରେ ରହିମ ସର୍ଦ୍ଦାର ଓ ତା’ ଦଳର ଆହୁରି କେତେକ ପୋଷା କୁକୁର ମଲେ । ମୁଁ ଅବଗତ ଅଛି ଯେ ମୋର ଏଇ ମୁଣ୍ଡ ପାଇଁ ତୁମର ଦଳପତି ଦଶହଜାର ଟଙ୍କା ଘୋଷଣା କରିଛି, କିନ୍ତୁ ଦୁଃଖର ବିଷୟ ଯେ ଏ ମୁଣ୍ଡ ବର୍ତ୍ତମାନ ବିକ୍ରି ହେବ ନାହିଁ । ହଁ ବେଗମ୍‍ ସାହେବା, ତୁମର ମହତ ଉଦ୍ଦେଶ୍ୟ ମୁଁ ବୁଝିପାରୁଛି । ତୁମର ହାତବ୍ୟାଗ ଭିତରୁ ଯେଉଁ ଜିନିଷଟି ତୁମେ ବାହାର କରିବାର ଚେଷ୍ଟା କରୁଛ ତା’ର କାର୍ଯ୍ୟକାରିତା ମୁଁ ଏକାଧିକବାର ଦେଖି ସାରିଛି । ଆମ ହାତରେ ଏଗୁଡ଼ିକ ‘ପରାଲାଇଜର’ ନୁହେଁ । ଅତି ସାଧାରଣ ଛ’ ଗୁଳି ବିଶିଷ୍ଟ ରିଭଲ୍‌ଭର୍‍, କିନ୍ତୁ ଏହା ଦେହରେ ସାଇଲେନ୍‌ସର ସଂଯୁକ୍ତ ଅଛି । ମୋର ଲକ୍ଷ୍ୟ ମଧ୍ୟ ପ୍ରାୟ ଅବ୍ୟର୍ଥ । ନାରୀହତ୍ୟା କରିବାରେ ମୋର ଖୁବ୍ ଆଗ୍ରହ ନ ଥିଲେ ମଧ୍ୟ ତୁମପରି ସର୍ପିଣୀକୁ ହତ୍ୟା କରିବାରେ ମୋର ଆପତ୍ତି ନାହିଁ । କାରଣ ମୁଁ ଜାଣେ ଏ ଦେଶର ବିଚାରରେ ତୁମର ଫାଶୀ ସୁନିଶ୍ଚିତ । ଅତଏବ ମୋର ଆଦେଶ ତୁମର ବ୍ୟାଗଟି ଫିଟାଇବାର ଚେଷ୍ଟା ନ କରି ସେଇଟି ତଳେ ପକାଇ ଦିଅ ଓ ଦୁଇହାତ ଉପରକୁ ଟେକି ଛିଡ଼ା ହୁଅ ।”

 

ଭବାନୀବାବୁଙ୍କ କଥା ଶୁଣି ଓ ତା’ର ଦୃଢ଼ତା ଉପଲବ୍‌ଧି କରି ଭୟରେ ଜେବ୍‌ଉନ୍ନିସାର ସୁନ୍ଦର ମୁହଁଟି କଳା ପଡ଼ିଗଲା । ସେ ଯେଉଁ କର୍ମରେ ଲିପ୍ତ ଧରାପଡ଼ିଲେ ପରିଣାମ କ’ଣ ହେବ ସେ କଥା ତାକୁ ଭଲ ଭାବରେ ଜଣା । ଭାନିଟି ବ୍ୟାଗଟି ତଳେ ପକାଇ ଦୁଇହାତ ଉପରକୁ ଟେକି ସେ ଛିଡ଼ା ହେଲା । ତା’ପରେ ଭୀତି ବିହ୍ଵଳ କଣ୍ଠରେ କହିଲା–‘‘ଆଉ ମୋତେ କ’ଣ କରିବାକୁ ହେବ-।’’

 

ଭବାନୀବାବୁ କହିଲେ–“ତୁମକୁ କ’ଣ କରିବାକୁ ହେବ, ସେ କଥା ତୁମେ ଶୁଣିବାକୁ ନିଶ୍ଚୟ ହକ୍‌ଦାର । ତା’ଛଡ଼ା ଆମ୍ଭେମାନେ କ’ଣ କରିବୁ, ସେ ପ୍ରୋଗ୍ରାମ ମଧ୍ୟ ତୁମକୁ ଦେବାରେ ମୋର ଆପତ୍ତି ନାହିଁ । ତୁମେ ବର୍ତ୍ତମାନ ଯାଇ କାର୍‍ର ପଛ ସିଟରେ ସଂଜ୍ଞାହୀନ ବୈଜ୍ଞାନିକଙ୍କ ନିକଟରେ ବସିବ । ତୁମ ନିକଟରେ ମି. ମାଥୁର ବସିବେ । କିଛିକ୍ଷଣ ପୂର୍ବେ ଟ୍ରଙ୍କ ରୋଡ଼ରେ ମଟର ଚଲାଇଲା ବେଳେ ତୁମେ ମୋତେ ତୁମ ନିକଟରେ ବସିବା ପାଇଁ ଥଟ୍ଟାରେ କହୁଥିଲ । ବର୍ତ୍ତମାନ ମି. ମାଥୁରଙ୍କ ସଙ୍ଗେ ସୁଖରେ ତୁମର ସେ ଅଭିଳାଷ ପୂର୍ଣ୍ଣ ହେବ । ମି. ମାଥୁରଙ୍କ ନିକଟରେ ଅନ୍ଧକାରରେ ବସି ତୁମ ଛାତି ପଞ୍ଜରା ଉପରେ ଗୋଟିଏ ଶକ୍ତ ଜିନିଷର ସ୍ପର୍ଶ ଅନୁଭବ କରୁଥିବ । ସେଇଟି ଆଉ କିଛି ନୁହେଁ । ମି. ମାଥୁରଙ୍କ ରିଭଲ୍‌ଭର୍‍ର ନଳି । ମୁଁ ବସି ଗାଡ଼ି ଚଳାଇବି । ବାଲେଶ୍ଵରରେ ତୁମକୁ ଏବଂ ବୈଜ୍ଞାନିକ ବୋଷଙ୍କୁ ପୁଲିସ୍‍ ହିପାଜତରେ ରଖି ଓ ସେଠାରୁ ଆଉ ପୁଲିସ୍‍ ଫଉଜ ନେଇ ପୁଣି ଏଠାକୁ ଫେରି ଆସିବୁ । କାରଣ ତୁମର ନେତା କର୍ଣ୍ଣେଲ ସାହେବ ଓ ତାଙ୍କର ଅନୁଚରମାନଙ୍କ ସହିତ ଆମର କେବଳ ବାକ୍‌ଯୁଦ୍ଧ ହେବାର ସମ୍ଭାବନା ନାହିଁ । ଏବେ ଗାଡ଼ି ଭିତରକୁ ଯାଇ ବସ ।

 

ଭବାନୀବାବୁଙ୍କର କଥା ଶୁଣି ଜେବ୍‌ଉନ୍ନିସାର ମୁହଁ ଭୟରେ ମ୍ଳାନ ହୋଇଗଲା । ଚାରିଆଡ଼େ ଘନ ବନାନୀ, ଘୋର ଅନ୍ଧକାର । ମୌନୀବାବାଙ୍କ ଆଶ୍ରମ କିଛି ଦୂରରେ ପାହାଡ଼ ଉପରେ ଅବସ୍ଥିତ । ସେଇଠାରେ ଅଛନ୍ତି କର୍ଣ୍ଣେଲ । ସେଇଠାରେ ଅଛି ଅତୀତ ପ୍ରଣୟୀମେଜର ଓସ୍‍ମାନ । ସେମାନେ ହୁଏତ ଜେବ୍ଉନ୍ନିସାର ବିପଦ ଜାଣିପାରିବେ ନାହିଁ । ଚିତ୍‌କାର କରିବାକୁ ମଧ୍ୟ ତା’ର ଭୟ ହେଲା । ସେହିପରି ଚେଷ୍ଟା କଲେ ଏମାନେ ଯେ ଗୁଳି କରିବେ ଏଥିରେ ସନ୍ଦେହ ନାହିଁ । ଭବାନୀବାବୁ ଓ ମି: ମାଥୁର ରିଭଲ୍‌ଭର୍ ଧରି ଜେବ୍‍ଉନ୍ନିସାର ସାମନାରେ ଛିଡ଼ା ହୋଇଛନ୍ତି-। ସେମାନଙ୍କ ପଛଆଡ଼େ ଅନ୍ଧକାର ଭିତରେ କ’ଣ ଦେଖି ହଠାତ୍‌ ଜେବ୍‍ଉନ୍ନିସାର ମୁହଁ ଖୁସିରେ ଝଲମଲ ହୋଇ ଉଠିଲା । ଭବାନୀବାବୁ ଏହା ଲକ୍ଷ୍ୟ କଲେ, କିନ୍ତୁ ଏହା ତା’ର ଛଳନା ବା ଅଭିନୟ ମନେକରି ପଛକୁ ଚାହିଁଲେ ନାହିଁ । ପୁଞ୍ଜିଭୂତ ଅନ୍ଧକାର ପରି ଯେ ମୃତ୍ୟୁଦୂତ ଆସି ଭବାନୀବାବୁଙ୍କ ପଛଆଡ଼େ ଛିଡ଼ା ହେଲା ଏ କଥା ହତଭାଗ୍ୟ ଡିଟେକ୍ଟିଭ୍‌ ଜାଣିପାରିଲେ ନାହିଁ ।

 

ଭବାନୀବାବୁଙ୍କ ଆଡ଼େ ଚାହିଁ ମୁରୁକି ହସି ଜେବ୍‍ଉନ୍ନିସା କହିଲା–“ନିଜକୁ ଅତ୍ୟନ୍ତ କୌଶଳୀ ଓ ଶକ୍ତିଶାଳୀ ଆପଣମାନେ ମନେକରୁଛନ୍ତି । ମୁଁ ପରିଷ୍କାର ଦେଖିପାରୁଛି ଆପଣମାନେ ଭବିଷ୍ୟତର ଅନେକ ରଙ୍ଗିନ୍‍ କଳ୍ପନା କରି ସାରିଛନ୍ତି । ପଦୋନ୍ନତି ହେବ, ସରକାରଙ୍କଠାରୁ ପ୍ରଚୁର ଅର୍ଥ ଲାଭ କରିବେ ଆଉ ଦେଶସାରା ଆପଣଙ୍କ କୃତିତ୍ଵର ଜୟ ଡିଣ୍ଡିମ ବାଜି ଉଠିବ । ନୁହେଁକି ?”

 

କଠୋର କଣ୍ଠରେ ଭବାନୀବାବୁ କହିଲେ–ବକ୍ତୃତା ବନ୍ଦ କରି ଅବିଳମ୍ବେ ମୋର ଆଦେଶ ପାଳନ କର । ନୁହେଁତ ପରିଣାମ ସାଙ୍ଘାତିକ ହେବ ।”

 

ବିଦ୍ରୂପର ହସ ହସି ଜେବ୍‍ଉନ୍ନିସା କହିଲା–“ସେଇ ସାଙ୍ଘାତିକ ପରିଣାମ କଥା ମୁଁ ବର୍ତ୍ତମାନ ଭାବୁଛି, କିନ୍ତୁ ସେଇଟା ମୋର ନିଜର ନୁହେଁ–ଆପଣମାନଙ୍କର । ଦୁନିଆର ଏହାହିଁ ବୈଚିତ୍ର୍ୟ । ମୃତ୍ୟୁ ସୁନିଶ୍ଚିତ ଜାଣି ସୁଦ୍ଧା ମଣିଷ ମନେକରେ ସେ କାଳଜୟୀ । ମୃତ୍ୟୁର ବାହୁ ବନ୍ଧନ ଭିତରେ ଠିଆ ହୋଇ ମଧ୍ୟ ତୁମମାନଙ୍କର ଆସ୍ଫାଳନ ଦେଖି ମୋତେ ହସ ମାଡ଼ୁଛି । ଜୀବନରେ ଅନେକ ଲୋକଙ୍କୁ ମରିବାର ଦେଖିଥିବ; କିନ୍ତୁ ମୃତ୍ୟୁର ସ୍ଵରୂପ କେବେ ଦେଖିଛ କି ? ତାହା ଅତି ମନୋହର । ତୁମେମାନେ ବର୍ତ୍ତମାନ ମୁହଁ ବୁଲାଇ ଦେଖିପାର । ତା’ର ବିଶାଳ ଲୋମସ ଦେହ । ହିଂସ୍ରଦଂଷ୍ଟ୍ରା । ସେଇ ମୃତ୍ୟୁଦୂତଟିର ନାମ ହେଉଛି ‘‘ହିପୋ’’ । ଆମମାନଙ୍କର ପୋଷା ଓ ଅତି ଅନୁଗତ ।”

 

ଜେବ୍‌ଉନ୍ନିସାର କଥାରୁ ଭବାନୀବାବୁ ଯେପରି କ’ଣ ସନ୍ଦେହ କଲେ । ସେ ପୂର୍ବରୁ ଜାଣିଥିଲେ ଏ ଦଳରେ ଗୋଟିଏ ଶିକ୍ଷିତ ଗରିଲା ଅଛି । ଗରିଲା ଯେ କେଡ଼େ ବଳବାନ ଓ ହିଂସ୍ର ସେ କଥା ତାଙ୍କୁ ଭଲକରି ଜଣା । ସେଇ କ’ଣ ନିଃଶବ୍ଦରେ ଆସି ସେମାନଙ୍କ ପଛପଟେ ଛିଡ଼ା ହୋଇଛି ?

 

ଜେବ୍ଉନ୍ନିସା ଉପରେ ଲକ୍ଷ୍ୟ ରଖି ଭବାନୀବାବୁ ସାମାନ୍ୟ ମୁହଁ ବୁଲାଇଲେ । ଯାହା ଦେଖିଲେ ସେଥିରେ ତାଙ୍କର ହୃତ୍‍ସ୍ପନ୍ଦନ ବନ୍ଦ ହୋଇ ଯିବାର ଉପକ୍ରମ ହେଲା । ଗୋଟାଏ ବିଶାଳ ଦେହ ଗରିଲା ପ୍ରାୟ ତାଙ୍କ ଦେହକୁ ଲାଗି ଛିଡ଼ା ହୋଇଛି । ଭବାନୀବାବୁ ହଠାତ୍ ସେଠାରୁ ଘୁଞ୍ଚି ଯାଇ ଗରିଲାଟାର ଛାତି ଉପରକୁ ରିଭଲ୍‌ଭର୍ ଉଦ୍ୟତ କରିବାର ଚେଷ୍ଟା କରୁଥିଲେ; କିନ୍ତୁ ବିଜୁଳି ବେଗରେ ଗରିଲାଟା ଭବାନୀବାବୁ ଓ ମି. ମାଥୁରଙ୍କୁ ଦୁଇଟି ସାନ କଣ୍ଢେଇ ପରି ଟେକି ନେଲା । ତା’ପରେ ଦୁହିଁଙ୍କୁ ଦୁଇ ହାତରେ ଧରି ତୀବ୍ର ବେଗରେ ବୁଲାଇବାକୁ ଲାଗିଲା । ସେ ଘୂର୍ଣ୍ଣନର ବେଗ ଅକଥନୀୟ । ରିଭଲ୍‍ଭର୍ ଦୁଇଟି ହାତରୁ ଖସି ତଳେ ପଡ଼ିଗଲା । ମନେହେଲା ଯେପରି ସେ ଘୂର୍ଣ୍ଣନର ବେଗରେ ଦେହରୁ ରକ୍ତ ସବୁ ଆଖି ଫଟାଇ ବାହାରି ଆସୁଛି । ଧୀରେ ଧୀରେ ମି. ମାଥୁର ଓ ଭବାନୀ ମହାପାତ୍ରଙ୍କର ସଂଜ୍ଞା ଲୋପ ହୋଇଆସିଲା । ଶେଷ ମୁହୂର୍ତ୍ତରେ ସେମାନେ କେବଳ ଜେବ୍ଉନ୍ନିସାର ତୀବ୍ର ଅଟ୍ଟହାସ୍ୟ ଶୁଣିବାକୁ ପାଇଲେ । ତା’ପରେ ଯେପରି ଆହୁରି କେତେକ ଲୋକର କଣ୍ଠସ୍ଵର ଶୁଣି ପାରିଲେ । ତା’ପରେ ସବୁ ସ୍ଥିର ।

 

ଏଗାର

 

ପଥର ଚଟଣା ଉପରେ କଚାଡ଼ି ହୋଇ ପଡ଼ି ଭବାନୀବାବୁ ଓ ମି. ମାଥୁରଙ୍କର ଜ୍ଞାନ ଫେରି ଆସିଲା । ଗୋଟିଏ ଅତିବୃହତ୍ କୋଠରୀ । ତା’ରି ଗୋଟିଏ କୋଣକୁ ମିଞ୍ଜି ମିଞ୍ଜି ହୋଇ ଗୋଟିଏ ଲଣ୍ଠନ ଜଳୁଛି । ଅଜ୍ଞାନ ଅବସ୍ଥାରେ ବୋହି ଆଣି ସେହି କୋଠରୀର ପଥର ଚଟଣା ଉପରେ ଗରିଲାଟା ଭବାନୀବାବୁ ଓ ମି. ମାଥୁରଙ୍କୁ କଚାଡ଼ି ଦେଲା । ସେମାନଙ୍କ ହାତରେ ହାତ କଡ଼ା । ଅଣ୍ଟାରେ ମଜଭୁତ ଲୁହା ଝଞ୍ଜିର ବନ୍ଧା ହୋଇଛି ଓ ସେଇ ଝଞ୍ଜିରର ଅପରପାର୍ଶ୍ଵ ଅତି ଉଚ୍ଚରେ ଛାତ ନିକଟରେ ଥିବା ଗୋଟିଏ ଝରକାର ମୋଟା ଲୁହା ରେଲିଂରେ ବନ୍ଧା ହୋଇଛି । ସେଇ ପ୍ରାୟ ଅନ୍ଧକାର କୋଠରୀ ଭିତରେ ଗରିଲାଟା ଗୋଟିଏ ଅତିକାୟ ଦାନବ ପରି ମନେହଉଛି-

 

କିଛିକ୍ଷଣ ପରେ ଭବାନୀବାବୁ ଦେଖିପାରିଲେ ସେ ଘରେ ଆଉଜଣେ ମଧ୍ୟ ସେହିପରି ବନ୍ଧା ହୋଇ ପଡ଼ିଛି । ତା’ର ଦେହ ଶୀର୍ଣ୍ଣ–କ୍ଷତ ବିକ୍ଷତ । ଏହି କାରାଗାରରେ ଯେ ସେଇ ଲୋକ ଉପରେ ଅତି ନିର୍ମମ ଅତ୍ୟାଚାର ହୋଇଛି ତାହା ସୁସ୍ପଷ୍ଟ । ଏହି ସମୟରେ ସେ ଘରେ ଆଉ ଦୁଇଜଣ ଲୋକ ପ୍ରବେଶ କଲେ । ଜଣେ ଆମର ପୂର୍ବୋକ୍ତ କର୍ଣ୍ଣେଲ ଓ ଆଉ ଜଣେ ମେଜର ଓସ୍‍ମାନ ସେମାନଙ୍କର ଆଉ ସନ୍ନ୍ୟାସୀର ଛଦ୍ମବେଶ ନାହିଁ । କର୍ଣ୍ଣେଲ ଭବାନୀବାବୁଙ୍କ ଆଡ଼େ ଚାହିଁ କହିଲେ–‘‘ତୁମର ସାହାସ ଓ ଚାତୁରୀ ଦେଖି ମୁଁ ବାସ୍ତବିକ ଖୁସି ହୋଇଛି, ଡିଟେକ୍ଟିଭ୍‌ ଭବାନୀ ମହାପାତ୍ର । ଯେ କୌଣସି ଦେଶ ପକ୍ଷରେ ତୁମେ ଗୌରବର ବସ୍ତୁ । ସୁନିଶ୍ଚିତ ମରଣ ମୁହଁରୁ ତୁମେ ଏକାଧିକ ଥର ଖସିଯାଇଛ; କିନ୍ତୁ ଏଥର ଆଉ ତୁମର ନିସ୍ତାର ନାହିଁ । ମେଜର, ଏଥର ତୁମର କାମ ଶେଷ କର । ଆମର ଆଉ ଯଥେଷ୍ଟ ସମୟ ନାହିଁ ।’’

 

କର୍ଣ୍ଣେଲଙ୍କ କଥା ଶୁଣି ମେଜର ଓସ୍‍ମାନ ସେହି ଘରର ଗୋଟିଏ କୋଣରେ କେତେଗୁଡ଼ିଏ କଳକବ୍‍ଜା ଲଗାଇଲା । ତା’ପରେ ସାନ ରେଡ଼ିଓ ପରି ଗୋଟିଏ ବାକ୍‌ସ ରଖି ତା’ଉପରେ ଗୋଟିଏ ଘଡ଼ି ରଖିଲା । ଟିକ୍ ଟିକ୍ ହୋଇ ଘଡ଼ିଟି ଚାଲୁଥିଲା ।

 

ସମସ୍ତଙ୍କୁ ଚାହିଁ କର୍ଣ୍ଣେଲ କହିଲେ–‘‘ତୁମମାନଙ୍କ ସାମନାରେ ଏଇ ଯେଉଁ ଯନ୍ତ୍ରଟି ରଖା ହେଲା, ତା’ ହେଉଛି ଗୋଟିଏ ଅତି ଆଧୁନିକ ସମୟ ବୋମା । ଏହାର କାର୍ଯ୍ୟକାରୀତା ଅତି ସାଙ୍ଘାତିକ । ବର୍ତ୍ତମାନ ସାଢ଼େ ତିନିଟା ବାଜିଛି । ଠିକ୍ ପାଞ୍ଚଟା ବେଳେ ଯନ୍ତ୍ରଟା ଉପରେ ରଖା ହୋଇଥିବା ଘଡ଼ିଟିର ଆଲାରାର୍ମ ବାଜି ଉଠିବ । ଆଉ ସଙ୍ଗେ ସଙ୍ଗେ ବୋମାଟି ଫୁଟି ଏ ଘରଟି ସହିତ ତୁମମାନଙ୍କୁ ପାଉଁଶ କରିଦେବ । ସେତେବେଳକୁ ଆମେମାନେ ହେଲିକପ୍‌ଟରେ ବସି ଶୂନ୍ୟମାର୍ଗରେ ଏ ଦେଶ ଛାଡ଼ି ଚାଲିଯାଇଥିବୁ । ତୁମେମାନେ ବର୍ତ୍ତମାନଠାରୁ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଜୀବନ ଯାକର ବାହାଦୁରି ସ୍ମରଣ କରି ପୁଲକିତ ହେଉଥାଅ ।”

 

କିଛିକ୍ଷଣ ମୌନ ରହି କର୍ଣ୍ଣେଲ କହିଲେ–“ବୈଜ୍ଞାନିକ ଡକ୍ଟର ଦାଶ ! ତୁମକୁ ବଞ୍ଚି ରହିବାର ମୁଁ ସବୁ ସୁଯୋଗ ଦେଇଥିଲି । ଜୀବନରେ ପ୍ରଚୁର ଅର୍ଥ, ଯଶ ଓ ସମ୍ମାନ ତୁମ ହାତ ମୁଠାରେ ଥିଲା, କିନ୍ତୁ ତୁମେ ସେ ସବୁ ଗ୍ରହଣ ନ କରି ମୃତ୍ୟୁକୁ ବରଣ କଲ । ତୁମେ ମହାଶୂନ୍ୟର ସନ୍ଧାନୀ । ଜୀବନସାରା ମହାଶୂନ୍ୟର ରହସ୍ୟଭେଦ କରିବା ପାଇଁ ସାଧନା କରି ଆସିଛ କିନ୍ତୁ ଏ ଜୀବନରେ ସେ ସୁଯୋଗ ତୁମେ ପାଇଲ ନାହିଁ । ମାତ୍ର ଆଉ ଦେଢ଼ଘଣ୍ଟା ପରେ ତୁମର ଅତ୍ମା ମହାଶୂନ୍ୟର ରହସ୍ୟ ଭେଦ କରିବ ।”

 

ତା’ପରେ ଭବାନୀବାବୁଙ୍କ ଆଡ଼େ ଚାହିଁ କହିଲେ–“ତୁମ ସହିତ ଆମର କୌଣସି ବିରୋଧ ନ ଥିଲା । କେବଳ ଗୋଟିଏ ବାହାଦୁରି ପାଇବା ପାଇଁ ତୁମେ ଆମର ଅନେକ କ୍ଷତି କରିଛ । ମୁଁ ନିଶ୍ଚୟ ଭାବରେ ଜାଣେ ଯେ ଉତ୍ତର କାଳରେ ତୁମର ଜୀବନୀ ଗୋଟିଏ ପୁସ୍ତାକାରରେ ଲେଖିବା ତୁମର ଅଭିଳାଷ ଥିଲା । ଜନତାର ବାହା ବାହା ପାଇବା ଯେଉଁମାନଙ୍କ ଜୀବନର ଚରମ ଅଭିଳାଷ, କେବଳ ସେଇମାନେ ଆତ୍ମଜୀବନୀ ଲେଖନ୍ତି । ମୁଁ ବଡ଼ ଦୁଃଖିତ ଯେ ସେ ସୁଖରୁ ତୁମେ ବଞ୍ଚିତ ହେଲ । ତୁମ ଦେଶର ବହୁ ନେତାଜୀ–ବହୁ ସ୍ୱାମୀଜୀଙ୍କ ପରି ତୁମେ ଲୋକଲୋଚନ ଅଗୋଚରରେ ଲୋପ ପାଇଯିବ । ତୁମର ମୃତ୍ୟୁର ପ୍ରମାଣ ମଧ୍ୟ ସଠିକ ଭାବରେ ମିଳିବ ନାହିଁ । ବର୍ତ୍ତମାନଠାରୁ ଆଉ ଦେଢ଼ଘଣ୍ଟା ତୁମ ଜୀବନର ମିଆଦ । ଏଇ ସମୟ ମଧ୍ୟରେ ତୁମର ବିଗତ ଜୀବନର ବାହାଦୁରିଗୁଡ଼ିକ ନିଶ୍ଚିନ୍ତ ଚିତ୍ତରେ ରୋମନ୍ଥନ କରୁଥାଅ ।”

 

–‘‘ଆଉ ମି. ମାଥୁର” କର୍ଣ୍ଣେଲ ପୁଣି କହିଲେ–‘‘କେତେ ଉଚ୍ଚାଭିଳାଷ ଘେନି ଭାରତ ସରକାରର ଇନଟେଲିଜେନ୍‌ସ ବିଭାଗରେ ପଶିଥିଲ । ବିଦ୍ୟା, ବୁଦ୍ଧି, ସ୍ଵାସ୍ଥ୍ୟ–ସବୁ ତୁମର ଥିଲା; କିନ୍ତୁ ଆଶ୍ଚର୍ଯ୍ୟ ଏ ବିଧିଲିପି । କେଉଁ ସୁଦୂର ଦିଲ୍ଲୀରେ ତରୁଣୀ ବଧୁ ତୁମର କେତେକାଳ ବାଟ ଚାହିଁ ବସିବ, କିନ୍ତୁ ଆଉ ତୁମେ ଫେରି ଯିବନାହିଁ । ଆଚ୍ଛା ନମସ୍କାର । ଆମେମାନେ ବର୍ତ୍ତମାନ ଯାଉଛୁ । ଏଇ ଘଡ଼ିଟିର ଯେଉଁ ଟିକି ଟିକି ଶବ୍ଦ ହେଉଛି ତାହା ଘଡ଼ିର ଶବ୍ଦ ନୁହେଁ । ମୃତ୍ୟୁର ସୁସ୍ପଷ୍ଟ ପଦଶବ୍ଦ । ଧୀରେ ଧୀରେ ମୃତ୍ୟୁ ତା’ର କଳା ପାଦ ପକାଇ ଆଗେଇ ଆସିବାର କେବେ ଦେଖିଛ ? ଏଇ ଦେଖ । ତୁମେମାନେ ଭାବିପାର, ତୁମମାନଙ୍କୁ ହତ୍ୟା କରିବା ଯଦି ମୋର ଉଦ୍ଦେଶ୍ୟ ତେବେ ତାହା ଅତି ଶୀଘ୍ର ନ କରି, ତୁମମାନଙ୍କୁ ଦେଢ଼ଘଣ୍ଟା ବଞ୍ଚାଇ ରଖୁଛି କାହିଁକି ? ଏହାର ଉତ୍ତର ଅତି ସରଳ । କାରଣ ମୃତ୍ୟୁକୁ ଫାଙ୍କିଦେଇ ଏଠାରୁ ମୁକ୍ତି ପାଇବା ପାଇଁ ତୁମମାନଙ୍କର ଆଉ କୌଣସି ଉପାରେ ନାହିଁ । ମଣିଷର ମୃତ୍ୟୁରେ କୌଣସି ବିଶେଷତ୍ଵ ନାହିଁ । ବିଶେଷତ୍ଵ ରହିଛି ମୃତ୍ୟୁ ପୂର୍ବରୁ ତା’ର ସ୍ଵରୂପ ଦର୍ଶନରେ । ତୁମେମାନେ ପ୍ରତ୍ୟେକେ ବିଖ୍ୟାତ ବ୍ୟକ୍ତି । ତୁମମାନଙ୍କୁ ସେ ସୁଖରୁ ମୁଁ ବଞ୍ଚିତ କରିବି ନାହିଁ । ସେଥିପାଇଁ ମୋର ଏହି ସୁବ୍ୟବସ୍ଥା । ଆଚ୍ଛା, ନମସ୍କାର ।” ଏହା କହି କର୍ଣ୍ଣେଲ ତାଙ୍କର ଦଳବଳ ଘେନି ସେ ଘରୁ ବିଦାୟ ନେଲେ ଓ ଘର ବାହାରେ ତାଲା ପଡ଼ିବାର ଶବ୍ଦ ଶୁଣାଗଲା ।

 

ଦୁଇଟି କଥା ଭବାନୀବାବୁ ଅତି ପରିସ୍କାର ଭାବରେ ବୁଝିପାରିଲେ । ଏଥର ସେମାନଙ୍କର ମୃତ୍ୟୁ ସୁନିଶ୍ଚିତ । ଆଉ ଏହି ଯେଉଁ ଶୀର୍ଣ୍ଣକାୟ ବ୍ୟକ୍ତିଟି ଲୁହା ଝଞ୍ଜିରରେ ବନ୍ଧା ହୋଇ ଏ ଘରେ ପଡ଼ିଛନ୍ତି, ସେ ହେଉଛନ୍ତି ସୁବିଖ୍ୟାତ ବୈଜ୍ଞାନିକ ରମେଶ ଦାଶ ।

 

ମୃତ୍ୟୁ ସୁନିଶ୍ଚିତ ଜାଣି ସୁଦ୍ଧା ଭବାନୀବାବୁ ମୁକ୍ତି ପାରିବାର ଥରେ ଶେଷ ଚେଷ୍ଟା କଲେ । ସୁଦୃଢ଼ ଲୁହା ଝଞ୍ଜିରକୁ ଥରେ ଝିଙ୍କି ଦେଲେ; କିନ୍ତୁ ତାହା ଛିଣ୍ଡାଇବା ଅସମ୍ଭବ । ଘଡ଼ିର କଣ୍ଟାଟି ଆଗେଇ ଚାଲିଛି । ଟିକ୍-ଟିକ୍-ଟିକ୍ ଶବ୍ଦରେ ସୁନିଶ୍ଚିତ ମୃତ୍ୟୁ ଆଗେଇ ଆସୁଛି । ବୈଜ୍ଞାନିକଙ୍କ ଆଡ଼େ ଚାହିଁ ନିରାଶ କଣ୍ଠରେ ଭବାନୀବାବୁ କହିଲେ–“ଶୁଣନ୍ତୁ ଡକ୍ଟର ଦାଶ, ଆପଣ ମୋର ଓ ମୋର ବନ୍ଧୁଙ୍କର ପରିଚୟ ପାଇ ସାରିଛନ୍ତି । ଆଉ ମାତ୍ର କେତୋଟି ମିନିଟ ଆମେମାନେ ବଞ୍ଚି ରହିବା । ସବୁ ଦେଖିବା ଓ ସବୁ ଶୁଣିବା । ବାହାରକୁ ଚାଲିଯିବା ପୂର୍ବରୁ ମୁଁ ଆପଣଙ୍କୁ କହିବାକୁ ଚାହେଁ, ଆପଣଙ୍କ ଦେଶ ଓ ଆପଣଙ୍କ ସରକାର ଆପଣଙ୍କ ମୁକ୍ତି ପାଇଁ ପ୍ରାଣାନ୍ତ ଚେଷ୍ଟା କରିଛନ୍ତି । ବହୁବିପଦ ଭିତର ଦେଇ ବହୁ ଚେଷ୍ଟା କରି ଆମେମାନେ ଆପଣଙ୍କର ସାକ୍ଷାତ ପାଇଲୁ; କିନ୍ତୁ ବଞ୍ଚାଇ ପାରିଲୁ ନାହିଁ । ଆପଣଙ୍କର ଦେଶବାସୀ ଅକୃତଜ୍ଞ ନୁହନ୍ତି, ଏହାହିଁ ଶେଷ ମୁହୂର୍ତ୍ତରେ ଆପଣ ଶୁଣି ଯା’ନ୍ତୁ ।”

 

ଘଡ଼ିର କଣ୍ଟା ଆଗେଇ ଚାଲିଛି । ମୃତ୍ୟୁର ସ୍ପଷ୍ଟ ପଦକ୍ଷେପ ।

 

ଡକ୍ଟର ଦାଶ କହିଲେ–‘‘ଭବାନୀବାବୁ ବାହାରୁ ସାହାଯ୍ୟ ପାଇବାର କ’ଣ ଆଉ ଉପାୟ ନାହିଁ ?”

 

ଦୀର୍ଘ ନିଶ୍ଵାସ ପକାଇ ଭବାନୀବାବୁ କହିଲେ–“ନା ଡକ୍ଟର ଦାଶ, ଆମେମାନେ ଏଠାକୁ ଆସିବାର କଥା ଅନ୍ୟ କେହି ଜାଣନ୍ତି ନାହିଁ । ଆଉ ଆମର ଜୀବନର କୌଣସି ଆଶା ନାହିଁ ।”

 

ବୈଜ୍ଞାନିକ କହିଲେ–“ଆମେମାନେ ଏ କେଉଁ ସ୍ଥାନରେ ବନ୍ଦୀ ହୋଇଛୁ ଆପଣ ଜାଣନ୍ତି କି ? ନିକଟସ୍ଥ ବେତାର ଷ୍ଟେସନ ଏଠାରୁ କେତେଦୂର ଆପଣ କହିପାରିବେ ?”

 

ଭବାନୀବାବୁ କହିଲେ–“ବାଲେଶ୍ଵରଠାରୁ ଚଉଦ ମାଇଲ ପୂର୍ବକୁ ନୀଳଗିରିର ମୌନୀ ପାହାଡ଼ରେ ଆମେମାନେ ବନ୍ଦୀ ହୋଇଛୁ; କିନ୍ତୁ ସେ କଥା ଜାଣି ଆଉ ଲାଭ କ’ଣ ?”

 

ବୈଜ୍ଞାନିକ କହିଲେ–‘‘ମୋର ଏଇ ଯେଉଁ ତକିଆଟି ଦେଖୁଛନ୍ତି, ତା’ରି ଭିତରେ ମୁଁ ଗୋଟିଏ ଅତି ଶକ୍ତିଶାଳୀ ରେଡ଼ିଓ ଟ୍ରାନ୍‌ସମିଟର ଲୁଚାଇ ରଖିଛି । ଚାବୁକ ମାଡ଼ରେ ମୋର ହାତ ଗୋଡ଼ ସବୁ ପଙ୍ଗୁ ହୋଇଯାଇଛି । ହାତ ବା ଗୋଡ଼ ବଢ଼ାଇ ମୁଁ ବର୍ତ୍ତମାନ ତକିଆଟି ଆଣି ପାରିବି ନାହିଁ । ଆପଣ ସେଇଟିକୁ ମୋ ନିକଟକୁ ଆଣି ଦିଅନ୍ତୁ ।”

 

ବୈଜ୍ଞାନିକଙ୍କ କଥାଶୁଣି ଭବାନୀବାବୁ ଆଶାନ୍ଵିତ ହୋଇ ଉଠିଲେ । ବନ୍ଧା ହୋଇଥିବା ସ୍ଥାନରୁ ବହୁ କଷ୍ଟରେ ଗୋଡ଼ ବଢ଼ାଇ ତକିଆଟିକୁ ପାଖକୁ ଟାଣି ଆଣିଲେ । ବୈଜ୍ଞାନିକ ତା’ ଭିତରୁ ଗୋଟିଏ କ୍ଷୁଦ୍ର ବାକ୍‌ସ ବାହାର କରି ଖୋଲିଲେ ଓ କାନରେ ଦୁଇଟି ଇଅର୍‌ ଫୋନ୍ ଲଗାଇ ବାକ୍‌ସର ବିଭିନ୍ନ କଳ ମୋଡ଼ିବାକୁ ଲାଗିଲେ ।

 

ଗଭୀର ଉତ୍କଣ୍ଠାରେ ଭବାନୀବାବୁ ଓ ମି. ମାଥୁର ଚାହିଁ ରହିଲେ । ଆଉ ମାତ୍ର ସତୁରୀ ମିନିଟ ବାକି ଅଛି । ବାଲେଶ୍ଵରରେ ଖବର ପହଞ୍ଚିଲେ ମଧ୍ୟ ପୁଲିସ୍‍ କ’ଣ ଯଥା ସମୟରେ ଆସି ସେମାନଙ୍କୁ ଉଦ୍ଧାର କରିପାରିବେ !

 

ଏହି ସମୟରେ କ୍ଷୁଦ୍ର ବାକ୍‍ସଟି ଉପରେ ଅତି କ୍ଷୁଦ୍ର ଗୋଟିଏ ନାଲି ଆଲୁଅ ଜଳିଉଠିଲା-। ଇତର ଫୋନରେ ସ୍ଵର ତରଙ୍ଗ ଭାସି ଆସିଲା ହାଲୋ, ହାଲୋ, ବାଲେଶ୍ଵର ସ୍ପିକିଙ୍ଗ୍-

 

ଖୁସିରେ ତିନିଜଣଙ୍କର ମୁଖ ଉଜ୍ଜ୍ଵଳ ହୋଇଉଠିଲା । ଆଉ ମାତ୍ର ପଞ୍ଚସଠି ମିନିଟ । ଇଆରି ଭିତରେ କ’ଣ... । ଭଗବାନ ଜାଣନ୍ତି ।

 

ନିଜର ଅବସ୍ଥିତି ଓ ସମୁଦାୟ ଘଟଣା ବର୍ଣ୍ଣନା କରି ଡକ୍ଟର ଦାଶ କହିଲେ–ଅତି ଶୀଘ୍ର ଯଦି ପୁଲିସ୍‍ ଫଉଜ ଆସି ଆମମାନଙ୍କୁ ଉଦ୍ଧାର ନ କରନ୍ତି, ତେବେ ଆମର ମୃତ୍ୟୁ ସୁନିଶ୍ଚିତ ।

 

ଅପେକ୍ଷାକୃତ ନିଶ୍ଚିନ୍ତ ମନରେ ତିନିଜଣଯାକ ଅପେକ୍ଷା କରି ରହିଲେ । ଘଡ଼ିର କଣ୍ଟା ଧୀରେ ଧୀରେ ଆଗେଇ ଯିବାକୁ ଲାଗିଲା । ଆଉ ମାତ୍ର ପଚାଶ ମିନିଟ । ତଥାପି ପୁଲିସ୍‍ ପହଞ୍ଚିଲେ ନାହିଁ । ସୁନିଶ୍ଚିତ ମୃତ୍ୟୁ ତା’ର କଳା ଡେଣା ବିସ୍ତାର କରି ଧୀରେ ଧୀରେ ମାଡ଼ି ଆସୁଛି । ପଦଶବ୍ଦ ତା’ର ନିକଟତର ହୋଇଗଲାଣି । ଆଉମାତ୍ର ଚାଳିଶ ମିନିଟ । ଆଉ ଆଶା ନାହିଁ । ପୁଲିସ୍‍ ପହଞ୍ଚିବା ପୂର୍ବରୁ ନିଶ୍ଚୟ ସେମାନଙ୍କର ମୃତ୍ୟୁ ହୋଇଥିବ ।

 

ତେଣେ ବଙ୍ଗୋପସାଗର ଉପରୁ ଗୋଟିଏ ହେଲିକପ୍‌ଟର ଘଡ଼ ଘଡ଼ ଶବ୍ଦ କରି ଉଡ଼ିଆସୁଛି । ଖୁବ୍ ଗୁପ୍ତ ମାର୍ଗରେ ଆସି କର୍ଣ୍ଣେଲ ଓ ଅନ୍ୟାନ୍ୟ ଅନୁଚରମାନଙ୍କୁ ନେଇ ଚାଲିଯିବ । ଅବଶ୍ୟ ଡକ୍ଟର ଦାଶଙ୍କୁ କରାୟତ କରିପାରିଲେ ନାହିଁ । ଏତିକି ମାତ୍ର ମନରେ ଅବଶୋଷ ରହିଗଲା-। ତଥାପି ସେମାନେ ବୈଜ୍ଞାନିକ ବୋଷଙ୍କର ସମସ୍ତ ଖାତାପତ୍ର ହସ୍ତଗତ କରିପାରିଥିଲେ-। ପୃଥିବୀ ଯେତେବେଳେ ପେଟ୍ରୋଲର ଅଭାବ ଅନୁଭବ କରିବ, ତାଙ୍କ ରାଷ୍ଟ୍ର ସମୁଦ୍ର ପାଣିରୁ ପେଟ୍ରୋଲ ବାହାର କରିବେ । କର୍ଣ୍ଣେଲ ଏହା ସ୍ମରଣ କରି ଆନନ୍ଦରେ ଅଧୀର ହୋଇ ପଡ଼ୁଥିଲେ । ଏଇ...ଖୁବ୍ ପାଖରେ ହେଲିକପ୍‌ଟରର ନେଳି ଆଲୁଅ ଦେଖାଗଲା । ଏମାନେ ନିଜ ସ୍ଥାନରୁ ନୀଳ ଆଲୁଅ ସାହାର୍ଯ୍ୟରେ ସଙ୍କେତ ଦେଲେ । ହେଲିକପ୍‌ଟର ଖୁବ୍ ଧୀରେ ସେଇ ନୀଳ ଆଲୁଅ ଜଳୁଥିବା ମୌନୀ ପାହାଡ଼ ଦିଗକୁ ଅଗ୍ରସର ହେଲା । ଜେବ୍ଉନ୍ନିସା ଓ ଉସ୍‌ମାନ ଆଗ୍ରହରେ ଉପରକୁ ଅନାଇ ଛିଡ଼ା ହୋଇଛନ୍ତି । ଶତ୍ରୁ ଯେ ତାଙ୍କର କେଶ ସ୍ପର୍ଶ କରିପାରିବ ନାହିଁ । ଏଥିପାଇଁ ସେମାନେ ଏକପ୍ରକାର ନିଶ୍ଚିନ୍ତ ଅଛନ୍ତି । ଭୟଙ୍କର ଟାଇମ ବୋମା ବିସ୍ଫୋରଣ ଫଳରେ ହୁଏତ ଏହି ସ୍ଥାନର ସନ୍ଧାନ ନ ମିଳିପାରେ । ମାତ୍ର ସେତେବେଳକୁ ହେଲିକପ୍‍ଟର ସେମାନଙ୍କୁ ନେଇ ବଙ୍ଗୋପସାଗରର ବିସ୍ତୀର୍ଣ୍ଣ ବକ୍ଷ ଉପରେ ଉଡ଼ି ଉଡ଼ି ସ୍ଵଦେଶକୁ ଫେରିଯାଉଥିବ–ତା’ପରେ ସେମାନେ ନିଜ ଦେଶରେ କେତେ ଆଦର କେତେ ସମ୍ମାନ ପାଇବେ । କଳ୍ପନାର ଦୋଳିରେ ଯେତେବେଳେ ଏମାନେ ଖୁସିରେ ଆନ୍ଦୋଳିତ ହେଉଥିଲେ, ହଠାତ୍ ଦେଖି ପାରିଲେ ଖୁବ୍ ଦୂରରେ ସର୍ଚ୍ଚ ଲାଇଟ ଜଳି ଉଠିଛି । ଘର୍ଘର ନାଦରେ ମଟରଗୁଡ଼ିଏ ତାଙ୍କରି ଆଡ଼କୁ ଅଗ୍ରସର ହୋଇଆସୁଛି-

 

ଏଣେ ହେଲିକପ୍‌ଟରର ଗର୍ଜନ ଶବ୍ଦ ତେଣେ ମଟରର ଲାଇଟ ପାଖ ପାଖ ହୋଇଆସୁଛି–କର୍ଣ୍ଣେଲ ସଙ୍କେତ ଦେଲେ ଖୁବ୍ ଶୀଘ୍ର ଆସ...…ବିପଦ, ବିପଦ, ବିପଦ । ହେଲିକପଟ୍‌ର ଖୁବ୍‍ ଶୀଘ୍ର ଅବତରଣ କରିବାକୁ ଲାଗିଲା......ଆହୁରି ପାଖ ହୋଇଆସିଲା । ମାତ୍ର ଭାରତୀୟ ପୋଲିସ ଜିପ୍‍ଗୁଡ଼ିକ ପାଖେଇ ଆସିଲା ।

 

ତେଣେ ଟାଇମ ବୋମା ଫୁଟିବାକୁ ମାତ୍ର ତିରିଶ ମିନିଟ । ହଠାତ୍ ତୀବ୍ର ପୁଲିସ୍‍ ହୁଇସିଲରେ ବନଭୂମି ମୁଖରିତ ହୋଇଉଠିଲା । ଶକ୍ତିଶାଳୀ ପୁଲିସ୍‍ ରାଇଫଲ ଗର୍ଜନ କରିଉଠିଲା-। ହେ ଭଗବାନ, ଅଶେଷ ତୁମର କରୁଣା । ତିନିଜଣ ଯାକ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଜଣାମ ଜଣାଇଲେ । ପୋଲିସ ଗୁଳିବର୍ଷଣରେ ହେଲିକପ୍‌ଟର ମେସିନ ଅଚଳ ହୋଇଗଲା-। ମୌନୀ ଆଶ୍ରମରୁ ମଧ୍ୟ କର୍ଣ୍ଣେଲ ଓ ଓସ୍‍ମାନ ପ୍ରଭୃତି ଗୁଳି ଚଳାଇଲେ । କଟ୍, କଟ୍, କଟ୍ ଶବ୍ଦରେ ମେସିନଗନ୍ ଚାଲିଲା । ପୁଲିସ୍‍ ଫୌଜ କ୍ଷତ ବିକ୍ଷତ ହେବାକୁ ଲାଗିଲେ । ଏହି ସମୟରେ ଭୀଷଣ ବିସ୍ଫୋରଣ ଶବ୍ଦରେ ବନଭୂମି କମ୍ପି ଉଠିଲା । ଭବାନୀବାବୁ ବୁଝିଲେ ଯେ ଦୁର୍ବୃତ୍ତମାନେ ପୁଲିସ୍‍ ଫଉଜକୁ ହଟାଇବା ପାଇଁ ‘ଡିନାମାଇଡ ଷ୍ଟିକ୍’ ନିକ୍ଷେପ କରିଛନ୍ତି ।

 

ଅବିରାମ ବେଗରେ ରାଇଫଲ, ମେସିନଗନ୍ ଓ ହ୍ୟାଣ୍ଡ ଗ୍ରିନେଡ ଚାଲିଲା । ହଠାତ୍ ବାହାରେ ଗୋଟିଏ ବିକଟ ଆର୍ତ୍ତନାଦ ଶୁଣାଗଲା । ସେ ଅମାନୁଷୀ ବିକଟ ଆର୍ତ୍ତନାଦରେ ବନଭୂମି କମ୍ପି ଉଠିଲା । ଭବାନୀବାବୁ ବୁଝିଲେ ଯେ ଗୁଳି ଚୋଟରେ ଗରିଲାଟାର ମୃତ୍ୟୁ ହୋଇଛି ।

 

ଘର ଭିତରେ ସମୟ ବୋମାର ଘଡ଼ିଟି ଆଗେଇ ଚାଲିଛି । ଆଉ ମାତ୍ର ବାର ମିନିଟ ବାକି । ତେବେ କ’ଣ ପୁଲିସ୍‍ ସେମାନଙ୍କୁ ରକ୍ଷା କରିପାରିବ ନାହିଁ !!

 

ହଠାତ୍ ପୁଲିସ୍‍ ଫଉଜ ଆଗେଇ ଆସିଲେ । ମେସିନଗନ୍‌ର ଗୋଳା ବୃଷ୍ଟିକୁ ଭ୍ରୁକ୍ଷେପ ନ କରି ଚାରିପଟରୁ ପୁଲିସ୍‍ ଫଉଜ ମାଡ଼ି ଆସିଲେ । ପଥର ଚଟାଣରେ ସେମାନଙ୍କର ବୁଟ୍‌ର ସୁସ୍ପଷ୍ଟ ଶବ୍ଦ ଶୁଣାଗଲା । ସମବେତ ହୁଇସିଲର ତୀବ୍ର ଶବ୍ଦ ବନଭୂମି କମ୍ପାଇ ଦେଲା । ହୁରରେ ! ହୁରରେ-!!

 

ବନ୍ଦୀଶାଳାର ବାହାରେ ଅନେକଗୁଡ଼ିଏ ବୁଟ୍‌ର ଶବ୍ଦ ଶୁଣାଗଲା । ଆଉ ମାତ୍ର ପାଞ୍ଚ ମିନିଟ ବାକି । ଦୁଆର ଖୋଲି ଏକାବେଳକେ କେତେଜଣ ପୁଲିସ୍‍ କର୍ମଚାରୀ ସେ ଘରେ ପ୍ରବେଶ କଲେ । ଅଙ୍ଗ ତାଙ୍କର ରକ୍ତାକ୍ତ । ରାଇଫଲ ବାରେଲ୍‌ରୁ ସେ ପର୍ଯ୍ୟନ୍ତ ଧୂଆଁ ବାହାରୁଛି । ମୁଣ୍ଡରେ ଷ୍ଟିଲ ହେଲମେଟ୍ । ଆଉ ଓଠରେ ଦୃଢ଼ ପ୍ରତିଜ୍ଞାର ସୁସ୍ପଷ୍ଟ ସ୍ୱାକ୍ଷର । ସ୍ଵାଧୀନ ଭାରତର ଶାନ୍ତି ସେନା-। ଏମାନେ ହତ୍ୟାକାରୀ ନୁହନ୍ତି । ସତ୍ୟାଗ୍ରହୀ ।

 

ଭବାନୀବାବୁ ଚିତ୍କାର କରି କହିଲେ–“ଏଇ ମୁହୂର୍ତ୍ତରେ ଆମକୁ ଏଠାରୁ ନେଇ ଦୂରକୁ ପଳାଇ ଯାଅ । ଆଉ ମାତ୍ର ଚାରି ମିନିଟ ପରେ ଏ ବୋମା ଫୁଟିବ ।”

 

ବଳିଷ୍ଠ ପୁଲିସ୍‍ କର୍ମଚାରୀମାନଙ୍କର ସମବେତ ଆକର୍ଷଣରେ ଝରକାର ଲୁହା ରେଲିଂ ଉପୁଡ଼ି ଗଲା । ପରମୁହୂର୍ତ୍ତରେ ପୁଲିସ୍‍ କର୍ମଚାରୀମାନେ ବନ୍ଦୀମାନଙ୍କୁ ନେଇ ଦୂରକୁ ପଳାଇ ଗଲେ-। କିଛିକ୍ଷଣ ପରେ ବଜ୍ରପାତ ହେଲାପରି ଭୀଷଣ ବିସ୍ଫୋରଣ ହେଲା । ଯେଉଁଘରେ ଭବାନୀବାବୁ ବନ୍ଦୀ ହୋଇଥିଲେ ତାହା ଧୂଳିସାତ୍ ହୋଇଗଲା ।

 

ସବୁଦିନ ପରି ସେଦିନ ମଧ୍ୟ ପୂର୍ବ ଗଗନରେ ଅରୁଣୋଦୟ ହେଲା । ଅବିଶ୍ରାନ୍ତ ଗୁଳି ବର୍ଷଣ ପରେ ବନଭୂମି ନୀରବ ହୋଇଛି ଏସ୍.ପି. ଓ ଭବାନୀବାବୁ କଥାବାର୍ତ୍ତା ହେଉଥିଲେ । ଏସ୍. ପି.କହିଲେ–“ଦୁଇଜଣ ପୁଲିସ୍‍ କନେଷ୍ଟବଳ ଯୁଦ୍ଧରେ ନିହତ ହୋଇଛନ୍ତି । ବୈଜ୍ଞାନିକ ବୋଷ ଉଦ୍ଧାର ପାଇଛନ୍ତି ଓ ତାଙ୍କର ଜ୍ଞାନ ଫେରିଆସିଛି । ଶତ୍ରୁ କବଳରୁ ତାଙ୍କର ଗବେଷଣା ତଥ୍ୟନିହିତ ଖାତାପତ୍ର ମଧ୍ୟ ଫେରିପାଇଛୁ । ଶତ୍ରୁପକ୍ଷର ସମସ୍ତେ ଗିରଫ ହୋଇଛନ୍ତି । କେବଳ ଗରିଲାଟା ଓ ଆଉଜଣେ ବଳବାନ ଯୁବକ ମରିଛି । ସେ ଯୁବକ ଆତ୍ମସମର୍ପଣ ନ କରି ଶେଷପର୍ଯ୍ୟନ୍ତ ଯୁଦ୍ଧ କରିଥିଲା । ସର୍ଜେଣ୍ଟର ଗୁଳିରେ ସେ ନିହତ ହୋଇଛି ।”

 

ଉଭୟେ ଦେବୀଙ୍କ ମନ୍ଦିର ନିକଟକୁ ଆସିଲେ । ପାଷାଣମୟୀ ଦେବୀ ପ୍ରତିମା ସେଇପରି ନୀରବ–ନିଶ୍ଚଳ । ତାଙ୍କରି ବେଦୀମୂଳେ ମେଜର ଓସ୍‍ମାନ ରକ୍ତାକ୍ତ କଳେବରରେ ପଡ଼ି ରହିଛି । ଠିକ୍ ଯେପରି କିଛିଦିନ ପୂର୍ବେ ସାଧକ ମୌନୀବାବାଙ୍କର ରକ୍ତାକ୍ତ ମୃତ୍ୟୁଦେହ ଲୋଟି ପଡ଼ିଥିଲା । ସେ ଦିନ ମଧ୍ୟ ପାଷାଣମୟୀ ନୀରବ ଥିଲା । ଆଜିବି ନୀରବ ।

Image